ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରାଚୀନ ଆଟକିକ ଓ ମହାକାନ୍ତାର ସଭ୍ୟତାର ସ୍ବାକ୍ଷର ବହନ କରୁଥିବା ଦେବଗିରିରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଦେବଗିରି ମଠ ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମର ମିଳନ ସ୍ଥଳି ଭାବେ ସାରା ରାଜ୍ୟରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଥାଏ। ଦେବଗିରି ମଠର ଗୁମ୍ଫା ମଧ୍ୟରେ ମହାଦେବ, ମହାମାୟା ଚଣ୍ଡିଙ୍କ ସହ ପାର୍ଶ୍ଵ ଦେବାଦେବୀ ପୂଜା ପାଉଥିବାବେଳେ ଗୁମ୍ଫା ସଂଲଗ୍ନ ମନ୍ଦିରରେ ଦଧିବାମନ ଜୀଉ ପୂଜିତ ହୋଇଥାନ୍ତି। ବର୍ତ୍ତମାନ ଏଠାରେ ଉଦ୍ୟୋକ୍ତା ରଞ୍ଜନ କୁମାର ମହାନ୍ତିଙ୍କ ଦ୍ବାରା ନିର୍ମିତ ହୋଇଛି ନୂତନ ଗଣେଶ ମନ୍ଦିର। ସିଦ୍ଧି ବିନାୟକ ମନ୍ଦିର ନାମରେ ନାମିତ ହୋଇଥିବା ଏହି ନୂତନ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ମଠ ପରିସରରେ ଆୟୋଜିତ ହୋଇଛି। ଏହି କ୍ରମରେ ଗୁରୁବାର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏନେଇ ମନ୍ଦିରର ପୋଖରୀରୁ ଶତାଧିକ ମହିଳା ଓ ସେବାୟତମାନେ ଏକ ଭବ୍ୟ କଳସ ଶୋଭାଯାତ୍ରାରେ ଆସି ମଠ ସମ୍ମୁଖିସ୍ଥ ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ। ସେଠାରେ କଳସ ସ୍ଥାପନ ହୋଇଥିଲା। ଏହି ପ୍ରତିଷ୍ଠା ଉତ୍ସବରେ ରଞ୍ଜନ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ଜ୍ୟୋତି ମହାନ୍ତି କର୍ତ୍ତା ଦାଇତ୍ୱ ନିର୍ବାହ କରୁଛନ୍ତି। ବେଦଜ୍ଞ ପଣ୍ଡିତ ଆଚାର୍ଯ୍ୟ ଦେବ ଷଡ଼ଙ୍ଗୀଙ୍କ ପ୍ରତକ୍ଷ ତତ୍ବାବଧାନରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟର ବ୍ରହ୍ମା ରଥ ପ୍ରସାଦ ପାଢ଼ି, ପୁସ୍ତକ ଆଚାର୍ଯ୍ୟ ଆଶୁତୋଷ ପାଢି, ସୁପ୍ତ ପାଠକ ସୁରେନ୍ଦ୍ର ତ୍ରିପାଠୀଙ୍କ ଦ୍ବାରା ପ୍ରତିଷ୍ଠା କାର୍ଯ୍ୟ ଚାଲିଛି। ପ୍ରଥମ ଦିବସରେ ଅଙ୍କୁରା ରୋପଣ, କର୍ତ୍ତାଙ୍କ କାୟା ଶୁଦ୍ଧି, ଗର୍ଭାଧାନ, ସୂର୍ଯ୍ୟ ପୂଜା, ଆଦି ବିଭିନ୍ନ ବିଧାନ ସହ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ବିଗ୍ରହ ଓ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯିବ। ଦେବଗିରି ମଠ ପ୍ରାଙ୍ଗଣରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ବିଜୟ ଧଙ୍ଗଡାମାଝୀ, ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ସଞ୍ଜୟ ଧଙ୍ଗଡାମାଝୀ, ରଜନୀ ଗଉଡ, ବିଷ୍ଣୁ ଗଉଡ, ଅଶୋକ ଧଙ୍ଗଡାମାଝୀ, ଗୁଣନିଧି ଧଙ୍ଗଡାମାଝୀ, ପ୍ରଦୀପ ଧଙ୍ଗଡାମାଝୀ, ଅଶୋକ ଅଗ୍ରୱାଲ, ସେବାୟତ ତବିବର ଦାସ, ହରି ଦାସ, ରୋମାଞ୍ଚଳ ଦାସ, ଟିକେ ଗଉଡ, ବିଭିଷଣ ଦାସ ପ୍ରମୁଖ ସହଯୋଗ କରୁଛନ୍ତି।