ଗୁରୁ-ଶିଷ୍ୟ ପରମ୍ପରାର ଅନନ୍ୟ ନିଦର୍ଶନ ‘ତସ୍ମୈଶ୍ରୀ’

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପବିତ୍ର ଗୁରୁ ପୂର୍ଣ୍ଣିମାର ଶୁଭ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ଏକ ସାରସ୍ୱତ ଉତ୍ସବ “ତସ୍ମୈଶ୍ରୀ” ଅନୁଷ୍ଠିତ ହୋଇଯାଇଛି । ପଏଁରୀ ଅନୁଷ୍ଠାନ ପରିସରରେ  ସଭାପତି ଲଡୁକିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତା ଏବଂ ସଂପାଦକ ଚୌଧୁରୀ ବିଭାରଙ୍କର ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର କଳା, ନାଟକ, ସଂଗୀତ, ନୃତ୍ୟ ଓ ସଂସ୍କୃତିକୁ ନିଜର ନିଶା ଭାବରେ ଆପଣେଇ ନେଇଥିବା ପ୍ରବୀଣ କଳାକାର ମାନଙ୍କୁ ଅନୁଷ୍ଠାନ ତରଫରୁ ପୂଜ୍ୟପୂଜା କରାଯାଇଥିଲା । ସଂଗୀତ କ୍ଷେତ୍ରରେ ଗୁରୁଶ୍ରୀ କାର୍ତ୍ତିକ ମେହେର, ସୁବର୍ଣ୍ଣପୁର ଓ ଗୁରୁଶ୍ରୀ ନରେନ୍ଦ୍ର ସାହୁ, ସୁବର୍ଣ୍ଣପୁର, ନୃତ୍ୟ କ୍ଷେତ୍ରରେ ଗୁରୁଶ୍ରୀ ବୈରାଗୀ ବାଘ, ରାଣୀପୁରଙ୍କୁ “ତସ୍ମୈଶ୍ରୀ ସମ୍ମାନ-୨୦୨୩” ରେ ସମ୍ମାନୀତ କରାଯାଇଥିଲା । ପ୍ରଥମେ ସଭାପତି ଲଡୁକିଶୋର ମଲ୍ଲିକ ସ୍ୱାଗତ କରିବା ସହିତ କଣ୍ଠଶିଳ୍ପୀ ପଞ୍ଚାନନ ଗରିଆ ଆବାହନୀ ସଂଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ ଓ ଗବେଷକ ସୁଦାମ ନାଏକ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ରହି ଏହା ଗୋଟିଏ ନିଆରା ଗୁରୁଶିଷ୍ୟ ପରମ୍ପପରାର ନିଦର୍ଶନ ସହିତ ଉଚ୍ଚ କୋଟିର କାର୍ଯ୍ୟକ୍ରମ ବୋଲି ମତ ବ୍ୟକ୍ତ କରିଥିଲେ । ଦଣ୍ଡରତ୍ନ ଓ ମହର୍ଷି  ବିପିନ ଜାଲ ସମ୍ମାନୀତ ବକ୍ତା ଭାବରେ ଯୋଗଦାନ କରି ଗୁରୁ ଶିଷ୍ୟର ଅନାବିଳ ସଂର୍ପକ କିପରି ରହିବା କଥା ସେ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଉପ-ସଭାପତି ପ୍ରଫୁଲ୍ଲ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସହସଂପାଦକ ପୃଥିରାଜ ବାଗ, ସଦସ୍ୟ ଗୋପାଳ ମେହେର, ସନ୍ତୋଷ ମିଶ୍ର, ସନ୍ତୋଷ କୁମାର ପାଢୀ, ଅମିତ ସାହୁ, ଭାସ୍କର ଦାସ, ମନୋଜ ପଣ୍ଡା, ସୁଶାନ୍ତ ସାହୁ, ସ୍ୱଚ୍ଛ ଭାରତର ଉପସଭାନେତ୍ରୀ ଇନ୍ଦୁମତି ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ । ଗୁରୁ ଭୁଷଣ ଦେହୁରୀ, ଗୁରୁ ଗୋକୁଳ ମାଝି, ମାଧବ ଭୋଇ, ମାନଭଂଜନ ଭୋଇ, ଦାଶରଥି ମହାନନ୍ଦିଆ, ଶ୍ୟାମ ସୁନା, ରାଜହଂସ କୁମ୍ଭାର ପ୍ରମୁଖ ଲୋକକଳାକାରମାନେ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଲୋକ କଳାକାର ଅଂଶଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.