ନର୍ଲା ନିର୍ବାଚନ ମଣ୍ଡଳୀରେ ବହିରାଗତ ନେତାଙ୍କ ଭିଡ଼, ସ୍ଥାନୀୟ ଲୋକଙ୍କୁ ଦିଆ ଯାଉନାହିଁ ଗୁରୁତ୍ବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୧୯୫୭ ମସିହାରେ ସୃଷ୍ଟି ହୋଇଥିବା ନର୍ଲା ବିଧାନସଭା କ୍ଷେତ୍ର ବିଭିନ୍ନ କାରଣ ପାଇଁ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ହୋଇ ଆସୁଛି । ଇତି ମଧ୍ୟରେ ଏହି ବିଧାନସଭା କ୍ଷେତ୍ରରେ ୧୩ ଗୋଟି ନିର୍ବାଚନ ସମାପ୍ତ ହୋଇଯାଇଥିବା ବେଳେ ଆଗାମୀ ୨୦୨୪ ରେ ୧୪ ନମ୍ବର ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଗତ ନିର୍ବାଚନରେ ଏଠାରେ ବହିରାଗତ ପ୍ରାର୍ଥୀଙ୍କ ଗୁରୁତ୍ବ ରହିଥିବା ବେଳେ ଏବେ ମଧ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ଭଡାଟିଆ ନେତାଙ୍କ ଭିଡ଼ ଜମି ରହୁଛି । ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ନର୍ଲା ବିଧାୟକ ପ୍ରାର୍ଥୀ ଟିକଟ ହାତେଇବା ପାଇଁ ଅନ୍ୟ ନିର୍ବାଚନ ମଣ୍ଡଳୀର ନେତାମାନେ କସରତ କରୁଥିବା ଦେଖାଯାଉଛି । ବର୍ତ୍ତମାନ ଜିଲ୍ଲାର ପାଞ୍ଚୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ନର୍ଲାକୁ ଛାଡ଼ିଦେଲେ ବାକି ଚାରୋଟି ଆସନରେ ସେହି ଅଞ୍ଚଳର ଲୋକ ହିଁ ବିଧାୟକ ହୋଇଛନ୍ତି, ତେଣୁ ଜନସାଧାରଣଙ୍କ ମଙ୍ଗଳବିଧାନ ହେବାସହ ଅଞ୍ଚଳର ବିକାଶ ଦୃତ ଗତିରେ ହୋଇ ଚାଲିଛି ।

Omkar Vasthu
Omkar Vasthu

୨୦୦୯ରେ ବହୁ ଆଶା କରି ଜନତା କଂଗ୍ରେସକୁ ଭୋଟ ଦେଇଥିଲେ । ୨୦୧୪ ଓ ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋଙ୍କ ଭାବମୂର୍ତ୍ତିକୁ ନଜରରେ ରଖି ଭୋଟର ବିଜୁ ଜନତା ଦଳକୁ ଭୋଟ ଦେଇ ବିଧାୟକ କରାଇଥିଲେ । ସେହିପରି ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଭରସା କରି ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇଲେ ଜନତା ଜନାର୍ଦ୍ଦନ । କିନ୍ତୁ ୨୦୧୯ ନିର୍ବାଚନରେ ଏହି ତିନି ଦଳର ଜିଲ୍ଲା, ରାଜ୍ୟ ତଥା କେନ୍ଦ୍ରୀୟ ନେତାମାନେ ନର୍ଲାବାସୀଙ୍କ ଭାବନାକୁ ବୁଝିପାରିଲେ ନାହିଁ । ସେହି ସମୟରେ କଂଗ୍ରସ, ବିଜେପି ଓ ବିଜେଡ଼ି ସ୍ଥାନୀୟ ପ୍ରାର୍ଥୀତ୍ବଙ୍କୁ ଗୁରୁତ୍ବ ନଦେଇ ଭଡାଟିଆ ନେତାଙ୍କୁ ହିଁ ପ୍ରାର୍ଥୀ କରିଥିଲେ । ଉପେକ୍ଷିତ ହେଲେ ସ୍ଥାନୀୟ ଟିକଟ ଆଶାୟୀ । ଏପଟେ ଭାଗ୍ୟକୁ ନିନ୍ଦିବା ଛଡା ନର୍ଲା ଜନତାର ଅନ୍ୟ ଗତି ନଥିଲା ।

Pearl dental clinic
Near Ashish Medical Store, Bhawanipatna

ଏଠାରେ ଜନତା ପ୍ରଶ୍ନ କରିଛନ୍ତି ଯେ ନର୍ଲାରେ କ’ଣ ପ୍ରାର୍ଥୀର ଅଭାବ ଥିଲା ଯେ, ୨୦୧୯ ନିର୍ବାଚନରେ ନେତା ଆମଦାନୀ ହେଲେ ? ଏହି ତିନି ଦଳ ଜାଣିରଖିବା ଉଚିତ ଯେ, ନର୍ଲା ନେତା ତିଆରି କାରଖାନା । ଉର୍ଲାଦାନିରେ ଜନ୍ମିତ ଅମର ବୀର ସ୍ବାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ, କଳାହାଣ୍ଡି ଗଡଜାତ ଆନ୍ଦୋଳନର ମୂଖ୍ୟ ଗୋବର୍ଦ୍ଧନ ଭୋଇ, ରାଜତନ୍ତ୍ର ବିରୁଦ୍ଧରେ ଆରମ୍ଭ ହୋଇଥିବା ଐତିହାସିକ ଅସୁରଗଡ କନ୍ଧ ମେଳିର ନେତୃତ୍ବ ନେଇଥିବା କମଲ ମାଝୀ ଓ ରେଖପୁର ଗୌନ୍ତିଆ ଜଗତ ଭୋଇଙ୍କ ସହ କଳାପାଣି ଦଣ୍ଡାଦେଶ ପାଇଥିବା ୨୧ ଜଣ ବୀର ପୁରୁଷ, କଳାହାଣ୍ଡି-ବଲାଙ୍ଗୀର ଲୋକସଭା ଆସନର ପ୍ରଥମ ସାଂସଦ ଗିରିଧାରି ଭୋଇଙ୍କ ପରି ଅନେକ ଯୋଗ୍ୟ ସନ୍ତାନକୁ ଧରି ଏହି ମାଟି ଧନ୍ୟ ହୋଇଛି ।

Udyog Nursery
Udyogi Nursery

ଦୂର୍ଭାଗ୍ୟର ବିଷୟ ୨୦୧୯ ସାଧାରଣ ନିର୍ବାଚନରେ ପ୍ରବଳ ଦାବୀ ସତ୍ତ୍ବେ ମଧ୍ୟ ନର୍ଲା ମାଟିର କୌଣସିବି ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କଲେନାହିଁ ବିଜେପି, ବିଜେଡି, କଂଗ୍ରେସ । ଏହି ତିନି ଦଳ ପାଇଁ ନର୍ଲାର ଅବଦାନ କମନୁହଁ । ୧୯୭୭, ୧୯୮୦, ୧୯୮୫ ଓ ୨୦୦୯ ଏପରି ୪ଥର ବହୁମତରେ କଂଗ୍ରେସ ଏହି ଆସନରୁ ବିଜୟୀ ହୋଇଥିଲା । ୧୯୯୦ ଓ ୧୯୯୫ ଏପରି ଦୁଇଥର ଜନତା ଦଳ ଓ ୧୯୯୫, ୨୦୦୦, ୨୦୧୪ ଓ ୨୦୧୯ରେ ବିଜେଡି ବିଧାୟକ ଗଢିଥିଲା ନର୍ଲା । ଏହି ଆସନରୁ ଥରେ ମଧ୍ୟ ଜିତି ପାରି ନଥିଲେ ହେଁ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରାର୍ଥୀ ମାନଙ୍କ ସପକ୍ଷରେ ଯାଇଥିଲା ଜନମତ । ଆଗାମୀ ନିର୍ବାଚନରେ ଯେପରି ଭଡାଟିଆ ନେତା ଧାରାର ପୁନରାବୃତ୍ତି ନହୁଏ ସେଥିପାଇଁ ସମସ୍ତ ସ୍ଥାନୀୟ ବାସିନ୍ଦା ସଜାଗ ରହିବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ତେଣୁ ୨୦୨୪ ସାଧାରଣ ନିର୍ବାଚନରେ ଯେଉଁ ଦଳ ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକଟ ଦେବ ସେ ବିଜୟୀ ହେବାର ସମ୍ଭାବନା ଅଧିକ ରହିବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.