ମାଓବାଦୀଙ୍କ ଶହୀଦ୍ ସପ୍ତାହର ତୃତୀୟ ଦିନ: ୫ଟି ରୁଟରେ ସରକାରୀ ବସ୍ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ମାଓ ପ୍ରବଣ ରାୟଗଡା ଜିଲ୍ଳାରେ ଗତ ଜୁଲାଇ ୨୮ ତାରିଖରୁ ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଶହୀଦ ସପ୍ତାହ ପାଳନ ନିମନ୍ତେ ଜିଲ୍ଳାର ବିଭିନ୍ନ ଅଂଚଳରେ ମାଓ ପୋଷ୍ଟର ଓ ବ୍ୟାନର ମାରି ଆହ୍ୱାନ କରିଥିଲେ । ଶହୀଦ୍ ସପ୍ତାହ ପାଳନ ସମୟରେ କୈାଣସି ମାଓ ହିଂସା ଯେପରି ନ ଘଟେ ଏବଂ ଜିଲ୍ଳାବାସୀ ନିଜକୁ ଅସୁରକ୍ଷିତ ମନେ ନ କରିବା ପାଇଁ ରାୟଗଡା ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ପୋଲିସ, ଏସଓଜି, ଡିଭିଏଫ ଏବଂ ସିଆରପିଏଫ ତରଫରୁ ମାଓ ପ୍ରବଣ ଅଂଚଳରେ କୁମ୍ଭିଂ ଅପରେସନ୍‌କୁ ଜୋରଦାର କରାଯାଇଥିବା ବେଳେ ଜିଲ୍ଳା ସୀମାନ୍ତବର୍ତୀ ଅଂଚଳ ତଥା ପ୍ରବେଶ ପଥଗୁଡିକରେ ନାକା ଚେକିଂ କରାଯାଉଛି । ତେବେ ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନ ବେଳେ ପୂର୍ବରୁ ଅନେକ ସମୟରେ ସରକାରୀ ବସଗୁଡିକୁ ମାଓବାଦୀମାନେ ଟାର୍ଗେଟ କରୁଥିବାରୁ ବସଯାତ୍ରୀ ଏବଂ ବସ କର୍ମଚାରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ପକ୍ଷରୁ ଶହୀଦ ସପ୍ତାହରେ ସମ୍ବେଦନଶୀଳ ଅଂଚଳଗୁଡିକ ଯିବା ରୁଟରେ ବସ ଚଳାଚଳ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ନିର୍ଦ୍ଦେଶକୁ ପାଳନ କରି ରାୟଗଡା ଜିଲ୍ଳା ଶାଖା ଓଏସଆରଟିସି ପକ୍ଷରୁ ଜିଲ୍ଳାର ୮ଟି ରୁଟ୍ ମଧ୍ୟରୁ ରାୟଗଡାରୁ ନାରାୟଣପାଟଣା, ଡଙ୍ଗାପାଇ, ଚନ୍ଦ୍ରପୁର, କାଶିପୁର ଓ ରାମପୁର ଭଳି ୫ଟି ରୁଟରେ ବସ ଚଳାଚଳ ବନ୍ଦ କରାଯାଇଥିବା ବେଳେ ରାୟଗଡାରୁ ବ୍ରହ୍ମପୁର,ଗୁଡାରୀ ଓ ଚିତ୍ରକୋଣ୍ଡା ଭଳି ୩ ଟି ରୁଟରେ ବସ ଚଳାଚଳ କରୁଥିବା ନେଇ ଶାଖା ସହକାରୀ ପରିଚାଳକ ସଂଗ୍ରାମ କେଶରୀ ଜେନା ସୂଚନା ପ୍ରଦାନ କରିଛନ୍ତି । ତେବେ ୫ଟି ରୁଟରେ ବସ ଚଳାଚଳ ବନ୍ଦ ରହିଥିବାରୁ ଉକ୍ତ ରୁଟ ଦେଇ ବସ ଯୋଗେ ଯାତାୟାତ କରୁଥିବା ବସଯାତ୍ରୀମାନେ ସରକାରୀ ବସ ଚଳାଚଳ ବନ୍ଦ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ପ୍ରକାଶ ଥାଉ କି,ସିପିଆଇ ମାଓବାଦୀ ସଂଗଠନ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ୍ ତରଫରୁ ଜିଲ୍ଳାର କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ପାର୍ସାଲି ଗ୍ରାମ ପଂଚାୟତର ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସ୍ଥାନରେ ଗାଁ ଗାଁରେ ଶହୀଦ ସପ୍ତାହ ପାଳନ କରିବା ପାଇଁ ଆହ୍ୱାନ କରାଯାଇଥିଲା । ଯାହାକୁ ନେଇ ମାଓ ପ୍ରବଣ ରାୟଗଡା ଜିଲ୍ଳାରେ ଜିଲ୍ଳାବାସୀଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ତଥା ସୁରକ୍ଷା ବାହିନୀ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.