ଖାଇଚୁଆଁ ମର୍ଡର କେସ: କୋର୍ଟ ଚାଲାଣ ହେଲା କକା ହତ୍ୟାକାରୀ ପୁତୁରା ଚକାମନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ପୋଲିସକୁ ବଡ ସଫଳତା ମିଳିଛି । ନର୍ଲା ବ୍ଲକ ରାକ୍ସି ଗ୍ରାମ ପଞ୍ଚାୟତର ଖାଇଚୁଆଁରେ କକା ଯୋଗିନ୍ଦ୍ର ବାଗକୁ ଠେଙ୍ଗାରେ ମୁଣ୍ଡ ପଛପଟେ ପିଟି ପିଟି ହତ୍ୟା କରିଥିବା ପୁତୁରା ଚକାମନ ବାଗ (୨୭)କୁ ଗତକାଲି ଭବାନୀପାଟଣାରୁ ଗିରଫ କରିଛି ନର୍ଲା ପୋଲିସ୍ । ଗତ ୮/୯ ସକାଳେ ଖାଇଚୁଆ ଗ୍ରାମର ଶେଷ ମୁଣ୍ଡରେ ଗୋଟିଏ ସାଗୁଆନ ଗଛରେ ଝୁଲିରହିଥିଲା ଯୋଗିନ୍ଦ୍ରର ଶବ । ଖବର ପାଇ ନର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଲାଗୁଥିଲା ଯେମିତି ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଛି । ହେଲେ ମୁଣ୍ଡ ପଛପାଖରେ ରହିଥିବା ଗଭୀର କ୍ଷତକୁ ଦେଖି ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ନକରି ନର୍ଲା ପୋଲିସ୍ ଆରମ୍ଭ କରିଥିଲା ତଦନ୍ତ । ମୃତ ଯୋଗିନ୍ଦ୍ରର ସ୍ତ୍ରୀ ଗୋମତୀ ବାଗ ଏନେଇ ନର୍ଲା ଥାନାରେ ୮/୯ ୨୦୨୩ ଦିନ ଏକ କେସ୍ ଦାଏର କରିଥିଲେ । ଗତ ୨୦୧୭ ରେ ମଧ୍ୟ ଜଣେ ନାବାଳିକାକୁ ହତ୍ୟା କରି ମୁମ୍ବାଇ ଚାଲିଯାଇ ସେଠାରେ କାମ ଧନ୍ଦା କରି ରହିଥିଲା ଚକାମନ । ନାବାଳିକାକୁ ହତ୍ୟା କରିଥିବା ମଧ୍ୟ ପୋଲିସ୍ ଆଗରେ ସ୍ୱିକାର କରିଛି ଚକାମନ । ଗତବର୍ଷ ୨୦୨୨ ରେ ଆସାମୀ ଚକାମନର ବାପାଙ୍କ ଦେହାନ୍ତ ପରେ ଇଜମାଲିରେ ରହିଥିବା ତା ଭାଗର ଜମି ତାକୁ ବଣ୍ଟା ଦେବାପାଇଁ ଚକାମନ ତା କକା ଯୋଗିନ୍ଦ୍ରକୁ କହିଥିଲା । ହେଲେ ଯୋଗିନ୍ଦ୍ର ସେ ସବୁରୁ ବିରତ ରହିବା ପାଇଁ ଚକାମନକୁ କହିବା ସହିତ ଜମିଜମା ମାମଲାରେ ମୁଣ୍ଡ ନପୁରାଇବା ପାଇଁ ତାଗିଦ କରିବାରୁ କକାକୁ ମାରିଦେବା ପାଇଁ ଗତବର୍ଷରୁ ଯୋଜନା କରିଥିଲା ଚକାମନ ବୋଲି ପୋଲିସ ଆଗରେ ସ୍ୱିକାର କରିଥିବା ନର୍ଲା ଆଇଆଇସି ଗଙ୍ଗାଧର ମେହେର ସୂଚନା ଦେଇଛନ୍ତି । ଯୋଜନା ବଦ୍ଧ ଭାବରେ କକା ଯୋଗିନ୍ଦ୍ରକୁ ପୋଲିସ୍ ଜାଣି ନପାରିବା ପାଇଁ ତାର ଭିଣୋଇ ସହ ଠେଙ୍ଗାରେ ପିଟିପିଟି ହତ୍ୟା କରି ଗଛରେ ଝୁଲାଇ ଆତ୍ମହତ୍ୟାର ରୁପ ଦେଇଦେଇ ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ମସୁଧା କରିଥିଲା ହତ୍ୟାକାରୀ ବୋଲି ଆଜି କେସିଙ୍ଗା ଏସଡିପିଓ ରୋହିତ ବର୍ମା ଓ ନର୍ଲା ଡିଏସପି ପ୍ରଦୋସ୍ ପ୍ରଧାନ ନର୍ଲା ଥାନାରେ ସାମ୍ବାଦିକ ସମ୍ମିଳନୀ କରି ଗଣ ମାଧ୍ୟମକୁ ସୂଚନା ଦେବା ସହ କକା ଯୋଗିନ୍ଦ୍ରକୁ ହତ୍ୟାରେ ଆସାମୀ ଚକାମନ ବ୍ୟବହାର କରିଥିବା ଦୁଇଗୋଟି ଠେଙ୍ଗା ଯାହା ହତ୍ୟା କରି ସାରିବା ପରେ ବଲବସପୁର ବଡ ବନ୍ଧ ପାଶ୍ୱରେ ରହିଥିବା ଏକ ବୁଦାମୂଳେ ଲୁଚାଇ ରଖିଥିଲା ତାହା ପ୍ରଦର୍ଶିତ କରିଥିଲେ । କେସ ନଂ-୧୯୦/୨୦୨୩ ରେ ଦଫା ୩୦୨/୨୦୧/୧୨୦-ବି/୩୪ ଆଇପିସି ଯୋଗେ ଚକାମନକୁ ନର୍ଲା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସାମ୍ବାଦିକ ସମ୍ମିଳନୀରେ ନର୍ଲା ଆଇଆଇସି ଗଙ୍ଗାଧର ମେହେର ନର୍ଲା ପୋଲିସ୍ ଟିମ୍ ହତ୍ୟାକାରୀ ଯୋଗିନ୍ଦ୍ରର ମୋବାଲ ଫୋନ ଟ୍ରାକିଂ କରି ତାକୁ କେମିତି ଭବାନୀପାଟଣାରୁ ଗିରଫ କରିଥିଲେ ସେ ସବୁର ବିସ୍ତୃତ ବିବରଣୀ କହିଥିଲେ । 

(କ୍ଲିକ୍ କରି ଦେଖନ୍ତୁ ଭିଡ଼ିଓ)

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.