ବିଦ୍ୟାଳୟର କୋଠା ଭୁଶୁଡିଲା: ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ କସବସା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଲଗାଣ ବର୍ଷାରେ ଅପରାହ୍ନ ୩ ଘଟିକାରେ ଭୁଶୁଡ଼ି ପଡ଼ିଥିବା ଖବର ହସ୍ତଗତ ହୋଇଛି। ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ମଧ୍ୟ କାହାର କିଛି କ୍ଷୟକ୍ଷତି ହୋଇନଥୁବା ଜଣାପଡ଼ିଛି। ଦାରିଙ୍ଗବାଡି ବ୍ଳକ ସଦର ମହକୁମା ଠାରୁ ପ୍ରାୟ ୫୦ କି.ମି ଓ ପଞ୍ଚାୟତ ମହକୁମା ଠାରୁ କସବସା ଗ୍ରାମ ପ୍ରାୟ ୩.୫ କି.ମି ଠାରୁ ଅଧ‌ିକ ଦୂରରେ ଅବସ୍ଥିତ। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀରେ ଯାଏଁ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୨୦ ବର୍ଷ ତଳେ ବିଦ୍ୟାଳୟ ଶ୍ରେଣୀଗୃହ ସ୍ଥାପିତ ହୋଇଥଲା। ଡିପିଇପି ବିଭାଗ ଦ୍ବାରା ୨୦୦୩ ମସିହାରେ ୪ଟି ଶ୍ରେଣୀ କୋଠରୀ ବିଶିଷ୍ଟ ସ୍କୁଲର ଛାତ କାମ ହୋଇଥ‌ିବା ସୂଚନା ରହିଛି। ହେଲେ ଟିକିଏ ବଡ଼ ଧରଣର ବର୍ଷା ହେଲେ ଏହି ଦୁଇଟି ଶ୍ରେଣୀ କୋଠରୀ ଛାତରୁ ପାଣି ଗଳି ଶିକ୍ଷା ଦାନରେ ବାଧା ଉପୁଜି ଥ‌ିବା ଜଣା ପଡ଼ିଛି। ବର୍ତ୍ତମାନ ଦୁଇଟି ଶ୍ରେଣୀ କୋଠରୀର ଛାତ ଅଧା ଭୁଶୁଡ଼ି ପଡ଼ିବାରୁ ଶିକ୍ଷକ ମାନେ ସେହି ବିଦ୍ୟାଳୟରେ ଶିକ୍ଷା ଦାନ କରିବାକୁ ଭୟ କରୁଥିବା ବେଳେ ଅଭିଭାବକ ମାନେ ମଧ୍ୟ ବିଦ୍ୟାଳୟକୁ ନିଜ ପିଲାଙ୍କୁ ପାଠ ପଢ଼ିବା ନିମନ୍ତେ ଛାଡ଼ିବାକୁ ଭୟକରୁଥିବା ଜଣାପଡିଛି। ବର୍ତ୍ତମାନ ସମୟରେ ତିନୋଟି ଶ୍ରେଣୀ ଗୃହରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ଯାଉଛି। ଦୁଇଟି ଶ୍ରେଣୀ ଗୃହ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଛାତ ଭୁଶୁଡ଼ି ପଡ଼ିବା ନେଇ ପ୍ରଧାନ ଶିକ୍ଷକ ବିଭାଗୀୟ ଅଧିକାରୀ ମାନଙ୍କୁ ଲିଖିତ ଭାବେ ଜଣାଇ ଥ‌ିବା ବେଳେ ଗ୍ରାମବାସୀ ସମୂହ ଅତିଶୀଘ୍ର ନୂତନ ଶ୍ରେଣୀ କୋଠା ଯୋଗାଇ ଦେବାକୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହିତ ବ୍ଲକ ପ୍ରଶାସନ ଓ ଜିଲା ପାଳଙ୍କ ନିକଟରେ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.