ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଗୀତାମୃତ କଥାଯଜ୍ଞ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ଓଡ଼ିଶାର ସର୍ବ ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସମ୍ପାଦିକା  ପ୍ରଣତି ମହାପାତ୍ରଙ୍କର ସଞ୍ଚାଳନାରେ, ଢେଙ୍କାନାଳର ଯୁବସ୍ରଷ୍ଟା ତଥା ରାଜ୍ୟ ସଂଯୋଜକ ତପନ କୁମାର ବିଶ୍ବାଳଙ୍କର ପୌରହିତ୍ୟରେ, ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଆଭାସୀ ମାଧ୍ୟମରେ ଗୀତାମୃତ କଥାଯଜ୍ଞ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସୁଶିକ୍ଷାବିତ୍ ସ୍ନେହ ମିଶ୍ର, ମୁମ୍ବାଇ ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଓ ଅଭିନନ୍ଦନ କରିଥିବା ବେଳେ ବାଲେଶ୍ଵରରୁ ବିପିନ ବିହାରୀ ବାରିକ ଅତି ସୁନ୍ଦର ଭାବରେ ଅନୁଷ୍ଟପ୍ ଛନ୍ଦରେ ଷଷ୍ଠ ଅଧ୍ୟାୟ ଧ୍ୟାନ ଯୋଗଃର ପାରାୟଣ କରିଥିଲେ ।

ସାନ୍ଧ୍ୟ ସତସଙ୍ଗରେ ଓଡ଼ିଶାର ବିଶିଷ୍ଟ କଥାବାଚକ ତଥା ଗବେଷକ ପଣ୍ଡିତ ପ୍ରଦୀପ୍ତ କୁମାର ମିଶ୍ର ଷଷ୍ଠ ଅଧ୍ୟାୟ ଧ୍ୟାନ ଯୋଗଃ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।
ଭଗବାନଙ୍କର ଶ୍ଲୋକରୁ ଆରମ୍ଭ ଅଧ୍ୟାୟର ପ୍ରାରମ୍ଭିକ ଶ୍ଲୋକ-
ଅନାଶ୍ରିତଃ କର୍ମଫଳଂ କାର୍ଯ୍ୟ କର୍ମ କରୋତି ଯଃ ।
ସ ସନ୍ୟାସୀ ଚ ଯୋଗୀ ଚ ନ ନିରଗ୍ନିର୍ନ ଚାକ୍ରିୟଃ ।।
ପ୍ରଥମରୁ ଭଗବାନ କର୍ମଫଳରେ ଆଶା ନ ରଖି କର୍ତ୍ତବ୍ୟ କରିବାକୁ ଅର୍ଜୁନଙ୍କ ମାଧ୍ୟମରେ ସମସ୍ତଙ୍କୁ ଉପଦେଶ ଦେଇଛନ୍ତି । ଏଭଳି କର୍ତ୍ତବ୍ୟ ପରାୟଣ ଜୀବ ସନ୍ୟାସୀ ଓ ଯୋଗୀ ଅଟନ୍ତି ।
ଜୀବାତ୍ମାକୁ ଆତ୍ମବଳଦ୍ବାରା ଉଦ୍ଧାର କରିବ, ତାକୁ ନିମ୍ନଗାମୀ କରାଇବ ନାହିଁ । ବିଷୟରେ ଅନାସକ୍ତ ମନ ଆତ୍ମା ବନ୍ଧୁ ଅଟେ । ବିଷୟାସକ୍ତ ଆତ୍ମାର ଶତ୍ରୁ ବୋଲି ଭଗବାନ କହିଛନ୍ତି ବୋଲି ପଣ୍ଡିତ ବିଭିନ୍ନ ଉଦାହରଣ ମଧ୍ୟରେ ବ୍ୟାଖ୍ୟା କରିଥିଲେ । ପଣ୍ଡିତ ଡକ୍ଟର ନିରଞ୍ଜନ ସାହୁ, ପଣ୍ଡିତ ଶ୍ୟାମସୁନ୍ଦର ଦାଶ, ପଣ୍ଡିତ ପ୍ରଦୀପ ଆଚାର୍ଯ୍ୟ ଏବଂ ପଣ୍ଡିତ ଭାବଗ୍ରାହୀ ମିଶ୍ର ମହୋଦୟମାନେ ମଧ୍ୟ ଖୁବ୍ ସୁନ୍ଦର ଭାବରେ ଉପରୋକ୍ତ ଅଧ୍ୟାୟର ସମୀକ୍ଷାୟନ ବ୍ୟାଖ୍ୟା ରଖିଥିଲେ । ଓଡ଼ିଶାର କୋଣ ଅନୁକୋଣରେ ଥିବା ଗୀତା ପ୍ରେମୀ, ତଥା ଓଡ଼ିଶା ବାହାରେ ଥିବା ଅନେକ ପଣ୍ଡିତ ବିଦ୍ୱାନଗଣ କାର୍ଯ୍ୟକ୍ରମ ସହ ସଂଯୁକ୍ତ ହୋଇ ଏହି କଥାଯଜ୍ଞ ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଆଲୋଚକ ମାନଙ୍କର କଥା ଶ୍ରବଣ କରି ପ୍ରୀତ ହୋଇଥିଲେ ।

ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୫୮ରୁ ଉର୍ଦ୍ଧ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସାହିତ୍ୟିକ କବି ବନ୍ଧୁ ପରିବାରର ରାଜ୍ୟ ସଂଯୋଜିକା ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ସୁଶିକ୍ଷାବିତ୍ ଶ୍ରୀଯୁକ୍ତ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ । କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ବିରତି ଭାଷଣ ସହ ଅନୁମତି କ୍ରମେ ସଭାସାଙ୍ଗ ହୋଇଥିଲା।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.