ଲାଞ୍ଜିଗଡ଼ରୋଡ଼ ସୁବର୍ଣ୍ଣ ଜୟନ୍ତୀ ଦୁର୍ଗାପୁଜା ପାଇଁ କଳସ ଯାତ୍ରା: ସାମିଲ ହେଲେ ହଜାର ହଜାର ଭକ୍ତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଦୁର୍ଗାପୂଜା ୫୦ ବର୍ଷରେ ପଦାର୍ପଣ କରିଛି । ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଅଞ୍ଚଳବାସୀ ସମସ୍ତେ ଲାଗି ପଡିଥିବା ବେଳେ ଶନିବାର ନବରାତ୍ରୀ ଦୁର୍ଗା ପୂଜା ପାଇଁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଳସ ଯାତ୍ରାରେ ହଜାର ହଜାର ମହିଳା ଓ ପୁରୁଷ ସାମିଲ ହୋଇଥିବା ବେଳେ ଅଞ୍ଚଳବାସୀ ଆବାଳ ବୃଦ୍ଧ ବନିତା ଅଂଶ ଗ୍ରହଣ କରିଥିଲେ।

ଲାଞ୍ଜିଗଡ଼ରୋଡ଼ ସାର୍ବଜନୀନ ପୂଜା କମିଟିର ପ୍ରତ୍ୟକ୍ଷ ତତ୍ୱବାଧାନରେ ନବରାତ୍ରୀ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହେଉଛି । ଆଜି ଏନେଇ ସ୍ଥାନୀୟ ଗଜରାଜପୁର ନୂଆବନ୍ଦ ଠାରୁ ପୂଜାର୍ଚ୍ଚନା ପରେ କଳସରେ ଜଳ ନେଇ ଭକ୍ତ ମଣ୍ଡଳୀ ଭବ୍ୟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମାରେ ପୂଜା ମଣ୍ଡପକୁ ପହଞ୍ଚିଥିଲେ। ଏଥିରେ କର୍ତ୍ତା ଭାବରେ ପ୍ରବଣ କୁମାର ରାଉତ ଦାଇତ୍ୱ ତୁଲାଉଛନ୍ତି । କଳସ ଯାତ୍ରା ସମୟରେ ସଂକୀର୍ତ୍ତନ, ଡିଜେ, ଘୁମୁରା, ବାଦ୍ୟନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ଲାଞ୍ଜିଗଡ଼ରୋଡ଼ ସହର । ମୁଖ୍ୟ ପୂଜକ ଲମ୍ବୋଦର ପାଢ଼ୀ ମନ୍ତ୍ର ଉଚ୍ଚାରଣ କରି କଳସ ଯାତ୍ରାର ସର୍ବାଗ୍ରେ ଚାଲିଥିଲେ । ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ନବରାତ୍ରୀ ପୂଜା ପାଇଁ କାର୍ଯ୍ୟକ୍ରମ ସବୁ ଆୟୋଜନ କରିଛି ପୂଜା କମିଟି। ପୂଜା ମଣ୍ଡପରେ କଳସ ସ୍ଥାପନା ପରେ ଅଧିବାସ ଓ ବିଲ୍ଵ ବରଣ ନୀତି ଅନୁଷ୍ଠିତ ହୋଇଯାଇଛି । ତେବେ ଏବର୍ଷ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ପ୍ରତିବର୍ଷ ମାଁ ଜଗଜ୍ଜନନୀ ଦୁର୍ଗାଙ୍କ ମୂର୍ତ୍ତି ସହିତ ପାର୍ଶ୍ଵ ଦେବତା ଭାବରେ ଗଣେଶ, ଲକ୍ଷ୍ମୀ, ସରସ୍ୱତୀ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି ନିର୍ମିତ ହେଉଥିଲା ।

ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଇଁ ଦୁର୍ଗା ମୂର୍ତ୍ତିଙ୍କ ସମେତ ୨୨ ଗୋଟି ପାର୍ଶ୍ଵ ଦେବାଦେବୀ ମୂର୍ତ୍ତି ନିର୍ମିତ ହୋଇଥିବା ଜଣାପଡିଛି । ଲାଞ୍ଜିଗଡ଼ରୋଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଭାବେ ଟଙ୍କଧର ମାଝୀ, ସମ୍ପାଦକ ପ୍ରବଣ ରାଉତ, କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ମହାପାତ୍ର ରହିଥିବା ବେଳେ ସାଂସ୍କୃତିକ ସମ୍ପାଦକ ଭାବେ ପୂର୍ଣ୍ଣଚନ୍ଦ୍ର ଗଉଡ଼ ରହିଛନ୍ତି। ତେବେ ଏଥିରେ ମନୋରଞ୍ଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.