ବାର୍ଦ୍ଧକ୍ୟ ଭତା ଦେବାକୁ ମଧ୍ୟ ମାଗୁଛନ୍ତି ଲାଞ୍ଚ, ହିତାଧିକାରୀ ହେଲେ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାଜ୍ୟ ସରକାରଙ୍କ ତରଫରୁ ବରିଷ୍ଠ ନାଗରିକଙ୍କୁ ମିଳୁଛି ବାର୍ଦ୍ଧକ୍ୟ ଭତା ୫ଶହ ଟଙ୍କା। ହେଲେ ଏହି ଭତା ପାଇବାକୁ ହେଲେ ସେମାନଙ୍କୁ ଦେବାକୁ ପଡୁଛି ଲାଂଚ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଳା ସଦର ବ୍ଳକ ଗାଜିଗାଁ ଗ୍ରାମ ପଂଚାୟତର ସଦର ଗାଜିଗାଁ ଗ୍ରାମରେ।

ଆଜି ଏହି ଗ୍ରାମର ୨୦ଜଣ ହିତାଧିକାରୀ ଜିଲ୍ଳାପାଳଙ୍କୁ ନିଜ ସମସ୍ୟା ଜଣାଇବାକୁ ଆସିଥିଲେ। ତେବେ ଜିଲ୍ଳାପାଳ ଓ ଅତିରିକ୍ତ ଜିଲ୍ଳାପାଳ ଅନୁପସ୍ଥିତ ରହିଥିବାରୁ ଜିଲ୍ଳା ଜରୁରୀକାଳୀନ ଅଧିକାରୀ ସୂର୍ଯ୍ୟମଣି ଭୋଇଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏହି ଅଭିଯୋଗ ପତ୍ରରେ ଗ୍ରାମର ପୋଷ୍ଟ ଅଫିସରେ କାର୍ଯ୍ୟରତ ଅଧିକାରୀ ଜଣକ ହିତାଧିକାରୀମାନଙ୍କୁ ସେମାନଙ୍କର ଭତା ଟଙ୍କା ପ୍ରଦାନ ବାବଦକୁ ଜଣକୁ ପିଛା ୫୦ ଟଙ୍କାରୁ ଆରମ୍ଭ କରି ୨୦୦ଟଙ୍କା ପର୍ଯ୍ୟନ୍ତ ମାଗୁଥିବା ଅଭିଯୋଗ କରିଛନ୍ତି ହିତାଧିକାରୀମାନେ। ଦୀର୍ଘ ୮ରୁ ୯ମାସ ହେଲା ହିତାଧିକାରୀମାନେ ଭତା ଟଙ୍କା ନ ପାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଗ୍ରାମର ୱାର୍ଡସଭ୍ୟା ଶ୍ରୀମତି କୁମ୍ବୁଲି ମିଣିଆକା ହିତାଧିକାରୀମାନଙ୍କ ଠାରୁ ଅଭିଯୋଗ ପାଇବା ପରେ ରାୟଗଡା ପଂଚାୟତ ସମିତି କାର୍ଯ୍ୟାଳୟକୁ ଯାଇ ପଚାରି ବୁଝିଥିଲେ। ତେବେ ସେଠାରେ ହିତାଧିକାରୀଙ୍କ ଟଙ୍କା ପୋଷ୍ଟ ଅଫିସ ଆକାଉଂଟରେ ଜମା ହୋଇଥିବା ଜାଣିବା ପରେ ପୁଣି ନିଜ ଗାଁ ପୋଷ୍ଟ ଅଫିସକୁ ଯାଇଥିଲେ। ସେଠାରେ ହିତାଧିକାରୀମାନଙ୍କ ଆକାଉଂଟକୁ ଟଙ୍କା ଜମା ହୋଇଥିବା ନେଇ ହିତାଧିକାରୀ ଏବଂ ଅଧିକାରୀଙ୍କୁ ଜଣାଇଥିଲେ।

ତେବେ ଅଧିକାରୀ ଜଣକ ବାର୍ଦ୍ଧକ୍ୟ ଭତା ପ୍ରଦାନ ବାବଦକୁ ହିତାଧିକାରୀମାନଙ୍କୁ ଲାଂଚ ମାଗିଥିଲେ। ନିଜ ଭତା ଟଙ୍କା ପାଇବା ପାଇଁ ଲାଂଚ କାହିଁକି ଦେବୁ ବୋଲି ନିଷ୍ପତି ନେଇ ଆଜି ବୁଧବାର ଦିନ ଗ୍ରାମର ହିତାଧିକାରୀ ବିିଡିକା ରମି, ହିମିରିକା କାନି, ବିଡିକା ମୁତାଇ, କାଡ୍ରକା କାମି, ନାରୀ ବିଡିକା, ହୁଇକା ରାମି, କୋଣ୍ଡାଗରୀ ଲକି, କାଡ୍ରକା ଲେଲା, ସିଲିକା କଣ୍ଡାଗରି, ନାରାୟଣ କଣ୍ଡାଗରି, ରୁପ କଣ୍ଡାଗରି, ତୁଳସି କଣ୍ଡଗରୀ, ଲକ୍ଷ୍ମୀ ଜାକାକା, କଣ୍ଡାଗରୀ ମୋହନା, ଆକାମା କଣ୍ଡାଗରୀ, ଅସାଡି କଣ୍ଡାଗରୀଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି।

ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ହିତାଧିକାରୀଙ୍କ ଅଭିଯୋଗ ଶୁଣିବା ପରେ ଯାଂଚ କରି ସମସ୍ତଙ୍କ ଭତା ଟଙ୍କା ପୋଷ୍ଟ ଅଫିସ ଜମା ଖାତାରେ ଜମା ଥିବା କହିଥିଲେ। ଆଜି ଏହି ଦାବିପତ୍ର ପ୍ରଦାନ ବେଳେ ରାୟଗଡା ଜିଲ୍ଳା କଂଗ୍ରେସ କମିଟି ସଂପାଦକ ଭୂଷଣ ବିଡିକାଙ୍କ ସମେତ ଗ୍ରାମବାସୀ ଶଙ୍କର ନାଇଡୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.