ଆହାତ ଛାତ୍ରୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବ ଜିଲ୍ଳା ପ୍ରଶାସନ :ଜିଲ୍ଳାପାଳ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାର ବାରିଝୋଲା ସ୍ଥିତ ଜିଆଇଏସିଆର କଲେଜ ପଡିଆ ଠାରେ ଗତକାଲି ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଜିଲ୍ଳାସ୍ତରୀୟ ନୂଆ-ଓ ଉତ୍ସବ କାର୍ଯ୍ୟକ୍ରମରେ ଘଟିଥିବା ଅଘଟଣକୁ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂ । କାର୍ଯ୍ୟକ୍ରମ ମଧ୍ୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଠେଲାପେଲା ଭିତରେ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଛାତ୍ରୀ ଦୀପାଂଜଳି ନାୟକଙ୍କ ଗୋଡରେ ଗରମ ରନ୍ଧା ତେଲ ପଡିଯାଇଥିବା ବେଳେ ଗୁଣପୁର ଥାୟାରାମା ମହିଳା ମହାବିଦ୍ୟାଳୟର ଛାତ୍ରୀ ମେନେକା ଶବର ଅଣନିଶ୍ୱାସୀ ହୋଇ ପଡିଯାଇଥିଲେ । ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ତରଫରୁ କାର୍ଯ୍ୟକ୍ରମ ଆୟୋଜକ ମଣ୍ଡଳି ତଥା ଜିଲ୍ଳା ପ୍ରଶାସନର ଅବହେଳା ଓ ଅବ୍ୟବସ୍ଥାକୁ ଦୃଢ ନିନ୍ଦା କରାଯାଇଥିଲା । ଏ ନେଇ ଆଜି ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂ ନିଜ ପ୍ରତିକ୍ରିୟା ରଖିଛନ୍ତି । ଜିଲ୍ଳାସ୍ତରୀୟ ନୂଆ-ଓ ଉତ୍ସବ କାର୍ଯ୍ୟକ୍ରମ ସଫଳତା ପୂର୍ଣ୍ଣକ ଶେଷ ହୋଇଥିବା ବେଳେ ଦୁଇଟି ଦୁର୍ଭାଗ୍ୟଜନକ ଘଟଣା ଘଟିଗଲା ବୋଲି କହିଛନ୍ତି । ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଗହଳି ମଧ୍ୟରେ ଓ ଟାଣ ଖରା ଯୋଗୁଁ ଜଣେ ଛାତ୍ରୀ ଡିହାଇଡ୍ରେସନ୍ ଓ ଦୁର୍ବଳତା କାରଣରୁ ମୂର୍ଚ୍ଚିତ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ବର୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଆଜି ମେଡିକଲରୁ ଛଡାଯିବ ଏବଂ ତାଙ୍କୁ ୨୦ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଆଉ ଆବଶ୍ୟକ ହେଲେ ଯୋଗାଇ ଦିଆଯିବ ବୋଲି ଜିଲ୍ଳାପାଳ ପ୍ରକାଶ କରିଥିବା ବେଳେ ଖାଦ୍ୟ ଷ୍ଟଲ ନିକଟରେ ରଖାଯାଇଥିବା ଗରମ ରନ୍ଧା ଖାଦ୍ୟ କିଛି ଅନ୍ୟ ଜଣେ ଛାତ୍ରୀଙ୍କ ଗୋଡରେ ପଡିଯିବାରୁ ସେ ଆହାତ ହୋଇଥିଲେ । ତାଙ୍କୁ ମଧ୍ୟ ରାୟଗଡା ଡିଏଚଏଚକୁ ନିଆଯାଇ ଚିକିତ୍ସା କରାଯାଇଥିବା ବେଳେ ସେମିତି କୈାଣସି ଗଭୀର କ୍ଷତ ଗୋଡରେ ହୋଇ ନ ଥିବା ଡାକ୍ତରମାନେ ଜଣାଇଥିବା ଜିଲ୍ଳାପାଳ କହିଛନ୍ତି । ତେବେ ଭବିଷ୍ୟତରେ ଛାତ୍ରୀଜଣଙ୍କ ଚଲାବୁଲାରେ ଯେମିତି କୈାଣସି ଅସୁବିଧା ନ ହେବ ସେଥିପାଇଁ ତାଙ୍କୁ ୪ରୁ ୫ଦିନ ଯାଏଁ ଡାକ୍ତରଙ୍କ ତତ୍ୱାବଧାନରେ ପର୍ଯ୍ୟବେକ୍ଷଣରେ ରଖାଯାଇଛି । ବର୍ତମାନ ଛାତ୍ରୀଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୩୦ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ କ୍ଷତ ସ୍ଥାନ ଶୁଖିବା ପରେ ତାଙ୍କୁ ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ ଉଚ୍ଚ ଚିକିତ୍ସା ପାଇଁ ପଠାଯିବ ବୋଲି କହିଛନ୍ତି ଜିଲ୍ଳାପାଳ । ସେଠାରେ ପ୍ଳାଷ୍ଟିକ୍ ସର୍ଜରୀ ବିଶେଷଞ ଡାକ୍ତର ପରୀକ୍ଷା କରିବା ପରେ ଯଦି କିଛି ଚିକିତ୍ସାର ଆବଶ୍ୟକ ପଡେ ତେବେ ସବୁ ପ୍ରକାର ସହଯୋଗ ଜିଲ୍ଳା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଜିଲ୍ଳାପାଳ ଶ୍ରୀମତି ସିଂ ପ୍ରକାଶ କରିଛନ୍ତି । ସେହିପରି ନୂଆ – ଓ ଉତ୍ସବ କାର୍ଯ୍ୟକ୍ରମକୁ ନେଇ ବାହାରେ ଦଳାଚକଟା ଭଳି ପରିସ୍ଥିତି ହୋଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ସେହିଭଳି କିଛି ହୋଇ ନ ଥିବା କହିଛନ୍ତି ଜିଲ୍ଳାପାଳ । ସେହିପରି କାର୍ଯ୍ୟକ୍ରମକୁ ଯେତିକି ପିଲାଙ୍କୁ ଡକାଯାଇଥିଲା ତାହା ଠାରୁ ଅଧିକ ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରାଯାଇଥିଲା । କୈାଣସି ପ୍ରକାର ଅବ୍ୟବସ୍ଥା ମଧ୍ୟରେ ଏଭଳି ଅଘଟଣ ହୋଇନାହିଁ ଏହା କେବଳ ଦୁର୍ଭାଗ୍ୟଜନକ ଘଟଣା ବୋଲି ଜିଲ୍ଳାପାଳ ଶ୍ରୀମତି ସ୍ୱଧାଦେବ ସିଂ ପ୍ରକାଶ କରିଛନ୍ତି ।