ଗଙ୍ଗାନାରାୟଣ ଦାଶ ଓ ରବୀନ୍ଦ୍ରନାଥ ଦୋରାଙ୍କୁ ‘ଦେବଗିରି ଗୁରୁ ସମ୍ମାନ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବରିଷ୍ଠ ଶିକ୍ଷାବିତ୍ ଗଙ୍ଗାନାରାୟଣ ଦାଶ ଏବଂ ରବୀନ୍ଦ୍ରନାଥ ଦୋରାଙ୍କୁ ଯଥାକ୍ରମେ ୨୦୨୫ ଓ ୨୦୨୬ ମସିହା ପାଇଁ ସମ୍ମାନଜନକ ‘ଦେବଗିରି ଗୁରୁ ସମ୍ମାନ’ ପ୍ରଦାନ କରାଯିବ। ୧୯୮୮ ମସିହାରେ ଶିକ୍ଷାଦାନରେ ନିଜକୁ ସମର୍ପିତ କରିଥିବା ଶ୍ରୀ ଦାଶ ଦୀର୍ଘ ୩୮ ବର୍ଷା ଧରି ଅଞ୍ଚଳର ଶିକ୍ଷାକ୍ଷେତ୍ରକୁ ଏକ ନୂତନ ଦିଶା ଦେଇ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନଶିକ୍ଷକ ଭାବେ ଅବସର ଗ୍ରହଣ କରିଛନ୍ତି। ଜଣେ ଆଦର୍ଶ ଗଣିତ ଶିକ୍ଷକ ଭାବେ ଶ୍ରୀ ଦାଶ କେବଳ ଶିକ୍ଷାଦାନରେ ସୀମିତ ରହିନାହାନ୍ତି, ବରଂ ଶୃଙ୍ଖଳା, ନୈତିକତା ଓ ଜୀବନବୋଧର ସୁନ୍ଦର ସମନ୍ୱୟ ଘଟାଇ ଅସଂଖ୍ୟ ଶିକ୍ଷାର୍ଥୀଙ୍କ ଜୀବନକୁ ଆଲୋକିତ କରିଛନ୍ତି। ତାଙ୍କ ଦକ୍ଷ ନେତୃତ୍ୱରେ ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରୀୟ ଅନେକ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ଏଥିସହ ଶିକ୍ଷକ ସଂଘର ରାଜ୍ୟସ୍ତରୀୟ ନେତୃତ୍ୱ ନେଇ ସେ ଶିକ୍ଷକମାନଙ୍କର ନ୍ୟାୟସଙ୍ଗତ ଦାବି ଓ ସମସ୍ୟାକୁ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରି ଶିକ୍ଷକ ସମାଜର ଆସ୍ଥା ଓ ସମ୍ମାନ ଅର୍ଜନ କରିଛନ୍ତି। ସେହିପରି ଶ୍ରୀ ଦୋରା ୧୯୯୯ ମସିହାରୁ ନିଶାନପୁର ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ। ଶିକ୍ଷାକୁ ବ୍ରତ କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ସହିତ ବିଦ୍ୟାଳୟ ପରିବେଶ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ ସେ ସର୍ବଦା ପ୍ରୟାସରତ ରହିଛନ୍ତି। ବୃକ୍ଷରୋପଣ ଓ ସ୍ୱଚ୍ଛତା ଅଭିଯାନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇ ଆସୁଛନ୍ତି। ଜଣେ ନିର୍ଭୀକ, ସ୍ପଷ୍ଟବାଦୀ ତଥା ଆଦର୍ଶ ଗୁରୁ ଭାବରେ ସେ ଶିକ୍ଷାର୍ଥୀଙ୍କ ପାଇଁ ଆଦର୍ଶସ୍ଥାନୀୟ ହୋଇପାରିଛନ୍ତି। ଶିକ୍ଷା ଓ ସଂଘର୍ଷ ମାଧ୍ୟମରେ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ଦିଗରେ ସେ ଜଣେ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି। ସଂପ୍ରତି ସେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ। ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ନଭେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ‘ଗୋସିଂହ ଦୈତ୍ୟ ଦରବାର’ରେ ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.