ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶିଷ୍ଟ ସାମ୍ବାଦିକ ଅଖିଳ ଚନ୍ଦ୍ର ହୋତା ଓ ରଜନୀକାନ୍ତ ମିଶ୍ର ଯଥାକ୍ରମେ ୨୦୨୫ ଓ ୨୦୨୬ ବର୍ଷ ପାଇଁ ମର୍ଯ୍ୟାଦାଜନକ ଦେବଗିରି ସମ୍ମାନ ପାଇବେ। ପ୍ରମେୟ ଓ ନିଉଜ୍-ସେଭେନ୍ ର ବଲାଙ୍ଗୀର ଏଡିସନ୍ ନିଉଜ ସାର୍କୁଲେସନ ଡିଜିଏମ ଭାବେ କାର୍ଯ୍ୟରତ ଶ୍ରୀ ହୋତା ଜଣେ ନିରପେକ୍ଷ ସାମ୍ବାଦିକ ଓ ଲେଖକ ଭାବେ ସାରା ରାଜ୍ୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ୧୯୯୯ ମସିହାରେ ସେ ନିଜସ୍ଵ କେବୁଲ ନେଟୱର୍କ କୋସଳ ଟିଭି ଆରମ୍ଭ କରିବା ବେଳେ ପରବର୍ତ୍ତୀ ସମୟରେ ‘ସମ୍ବାଦ’ରେ ଯୋଗଦେଇ ଭୁବନେଶ୍ୱର, ରାଉରକେଲା ଓ ବରଗଡ଼ ଆଦି ସ୍ଥାନରେ ସାମ୍ବାଦିକ ଓ ସହ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ୨୦୦୭ରେ ଧରିତ୍ରୀ ବରଗଡ଼ ଜିଲ୍ଲା ପ୍ରତିନିଧି ଭାବେ ଓ ପଦୋନ୍ନତି ପାଇ ଦକ୍ଷିଣାଞ୍ଚଳ ଏଡିସନ (ରାୟଗଡ଼ା) ବ୍ରାଞ୍ଚ ମ୍ୟାନେଜର ଏବଂ ୨୦୧୩ରେ ପୁନଃ ପଦୋନ୍ନତି ପାଇ ଅନୁଗୁଳ-ଢେଙ୍କାନାଳ ଏଡିସନର ଏଜିଏମ (ନିଉଜ) ଭାବେ ଅବସ୍ଥାପିତ ହୋଇଥିଲେ। ୨୦୧୫ ରେ ପ୍ରମେୟ ଓ ନିଉଜ୍-ସେଭେନ୍ ର ଡିଜିଏମ (ନିଉଜ) ଭାବେ ଯୋଗ ଦେଇଥିଲେ। ୨୦୨୧ରେ ସିନିଅର ଡିଜିଏମ ଭାବେ ପଦୋନ୍ନତି ପାଇବା ସହ ଅନୁଗୁଳ-ଢେଙ୍କାନାଳର ଅତିରିକ୍ତ ଦାୟିତ୍ବ ମଧ୍ୟ ଗ୍ରହଣ କରିଥିଲେ। ଇତି ମଧ୍ୟରେ ଶ୍ରୀ ହୋତାଙ୍କ ୪ଟି ପୁସ୍ତକ ‘ଶୂନ୍ୟ ଶବ୍ଦାଞ୍ଜଳି”, ‘ତର୍ପଣ ଓ ବୈଶ୍ୱଦେବ ବିଧି’, ‘କଥା କିଞ୍ଚିତ’ ଓ ‘ଶକ୍ତିଧାରା’ ପ୍ରକାଶ ପାଇଛି। ସେହିପରି ଭବାନୀପାଟଣା ନିବାସୀ ଶ୍ରୀ ମିଶ୍ର ଦୀର୍ଘ କୋଡ଼ିଏ ବର୍ଷ ଧରି ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଥିବା ବେଳେ ସଂପ୍ରତି ‘ସକାଳ’ ଓ ‘ଏଏନ୍ଆଇ’ ପ୍ରତିନିଧି ଭାବେ କାର୍ଯ୍ୟରତ। ସେ ଓଡ଼ିଶା ନ୍ୟୁଜରୁ ସାମ୍ବାଦିକତା ଆରମ୍ଭ କରି ପରବର୍ତ୍ତୀ ସମୟରେ ସମ୍ବାଦ କଳିକା, ନିତିଦିନ, ନକ୍ଷତ୍ର ନ୍ୟୁଜ, ଜୀ କଳିଙ୍ଗ ଆଦିରେ କାର୍ଯ୍ୟ କରି ଜିଲ୍ଲାର ଜନସାଧାରଣଙ୍କ ସମସ୍ୟା ଓ ସଂଘର୍ଷକୁ ଲୋକଲୋଚନକୁ ଆଣି ତାହାର ସମାଧାନ ଦିଗରେ ପ୍ରଯତ୍ନ କରିଛନ୍ତି। ତାଙ୍କ ନିଜସ୍ୱ ସମ୍ବାଦପତ୍ର ‘ଜନ ଆନ୍ଦୋଳନ’ ମଧ୍ୟ ଏ ଦିଗରେ ଏକ ସଫଳ ପ୍ରୟାସ। କଳାହାଣ୍ଡି ପେଶାଦାର ସାମ୍ବାଦିକ ସଂଘର ସଭାପତି ଭାବେ ମଧ୍ୟ ସେ ସାମ୍ବାଦିକମାନଙ୍କୁ ସଂଗଠିତ କରି ସେମାନଙ୍କ ସମସ୍ୟା ସମାଧାନ ଦିଗରେ ପ୍ରୟାସରତ। ଉକ୍ତ ପ୍ରତିଭାମାନଙ୍କୁ ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ‘ଗୋସିଂହ ଦୈତ୍ୟ ଦରବାର’ରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।





