ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ନଭେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ‘ଗୋସିଂହ ଦୈତ୍ୟ ଦରବାର’ରେ ବରିଷ୍ଠ ସମାଜସେବୀ ଅଶୋକ କୁମାର ପଟ୍ଟନାୟକଙ୍କୁ ୨୦୧୫ ମସିହା ପାଇଁ ‘ଦେବଗିରି ସମାଜସେବା ସମ୍ମାନ’ରେ ସମ୍ମାନିତ କରାଯିବ। ଦୀର୍ଘ ୩୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶ୍ରୀ ପଟ୍ଟନାୟକ ସାମାଜିକ ଓ ଉନ୍ନୟନମୂଳକ କ୍ଷେତ୍ରରେ ସକ୍ରିୟ ରହିଛନ୍ତି। ୧୯୯୧ ମସିହାରୁ ସେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥା ‘କର୍ତ୍ତବ୍ୟ’ର ମୁଖ୍ୟ ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କର ନିରନ୍ତର ପ୍ରୟାସରେ କଳାହାଣ୍ଡି ଜିଲ୍ଲାରେ ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି ଶିଶୁ ଅଧିକାର ସୁରକ୍ଷା ପର୍ଯ୍ୟନ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ତାଙ୍କ ନେତୃତ୍ୱରେ ୩୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ୩୦୦୦ରୁ ଅଧିକ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରାଯାଇଛି। ସେହିପରି ଶିଶୁ ଶ୍ରମିକ ମୁକ୍ତି ଦିଗରେ କାର୍ଯ୍ୟ କରି ୨୦୦୦ରୁ ଅଧିକ ଶିଶୁ ଶ୍ରମିକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ୧୨୦ ଆଦିବାସୀ ପରିବାରକୁ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜମି ପାଇବାରେ ସହାୟତା କରିଛନ୍ତି। ଏଥିସହ ସେ କୃଷି କ୍ଷେତ୍ରରେ ଅଭିନବ ପଦ୍ଧତି ପ୍ରଚଳନ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା, ବନ୍ୟା ପରିଚାଳନା ଏବଂ ପ୍ରୌଢ଼ ଶିକ୍ଷା ଅଭିଯାନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି। ସେ ୨୦୦୬ ମସିହାରେ ଜିଲ୍ଲାରେ ଧାନ ଚାଷର ଶ୍ରୀ ପଦ୍ଧତି ଆରମ୍ଭ କରିଥିଲେ, ଯାହା ଆଜି ସମଗ୍ର ଜିଲ୍ଲାରେ ଲୋକପ୍ରିୟ ହୋଇପାରିଛି। ଏଥିସହ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ମିଶି ସେ ଶିଶୁ ଶ୍ରମିକ ପୁନର୍ବାସ, ଜୀବିକା ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ତାଙ୍କର ଏହି ନିଃସ୍ୱାର୍ଥପର ସେବା ଓ ଜିଲ୍ଲାର ବିକାଶରେ ଅବଦାନ ପାଇଁ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।





