ଶିକ୍ଷକ ରାଜେଶ୍ୱର ସାହୁ ଓ ବିଶ୍ୱାମିତ୍ର ଗହୀରଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ନଭେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ‘ଗୋସିଂହ ଦୈତ୍ୟ ଦରବାର’ରେ ଦୁଇ ପ୍ରତିଭାବାନ୍ ଶିକ୍ଷକ ରାଜେଶ୍ୱର ସାହୁ ଓ ବିଶ୍ୱାମିତ୍ର ଗହୀରଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ସେହିପରି ପଲମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ରାଜେଶ୍ୱର ସାହୁ ଜଣେ ଦକ୍ଷ ଶିକ୍ଷକ ଭାବେ ପରିଚିତ। ସମୟାନୁବର୍ତ୍ତୀ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ସେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ପ୍ରିୟଭାଜନ ହୋଇପାରିଛନ୍ତି। ୨୦୦୮ ମସିହାରୁ ଶିକ୍ଷକତାକୁ ବୃତ୍ତି ଭାବେ ଗ୍ରହଣ କରି ସେ ଅଦ୍ୟାବଧି ସାଧନାରତ ଅଛନ୍ତି। ତାଙ୍କ ଶିକ୍ଷକ ଜୀବନରେ ଅନେକ ଛାତ୍ରଛାତ୍ରୀ ନବୋଦୟ ଓ ବୃତ୍ତି ପରୀକ୍ଷା ସହ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଉତ୍କର୍ଷତା ଲାଭ କରିଛନ୍ତି। ଏହା ସହ ସେ ସମାଜସେବାରେ ମଧ୍ୟ ବିଶେଷ ରୁଚି ରଖନ୍ତି। ସେହିପରି ବିଶ୍ୱାମିତ୍ର ଗହୀର ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ। ଦୀର୍ଘ ସମୟ ଧରି ଶିକ୍ଷାଦାନ କାର୍ଯ୍ୟରେ ନିଜକୁ ବ୍ରତୀ ରଖି ସେ ଇନ୍ଦିରା କଲୋନୀ ପ୍ରାଥମିକ ବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି। ଥୁଆମୂଳ ରାମପୁର ବାଗଡିଆନି ସ୍କୁଲରୁ ଶିକ୍ଷକତା ଜୀବନ ଆରମ୍ଭ କରି ସେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରିଛନ୍ତି। ଜଣେ ଛାତ୍ରପ୍ରେମୀ ତଥା ଶିକ୍ଷା ପ୍ରତି ନିଜକୁ ଉତ୍ସର୍ଗ କରିଥିବା ଶିକ୍ଷକ ଭାବେ ନିରନ୍ତର କାର୍ଯ୍ୟ କରି ସେ ଅବସର ଗ୍ରହଣ କରିଛନ୍ତି। ଆଗ୍ରହ ଓ ଉତ୍ସାହକୁ ପ୍ରାଧାନ୍ୟ ଦେଇ ସେ ଅନେକ ସଫଳ ଶିକ୍ଷାର୍ଥୀ ସୃଷ୍ଟି କରିଛନ୍ତି। ଉଭୟ ଶିକ୍ଷକଙ୍କ ନିଷ୍ଠାପର ସେବା ଓ ଶିକ୍ଷା କ୍ଷେତ୍ରରେ ଥିବା ଅବଦାନକୁ ସ୍ୱୀକୃତି ଦେବା ପାଇଁ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.