କଲେଜ ଛକଠାରେ ଦେଖା ହେଉ ହେଉ ବେହେରା ବାବୁ ମୋତେ କହିଲେ – ହଇହୋ ନାରଦ ମୁନି। ରାଜନୀତି ଖବର କ’ଣ? ମେଣ୍ଟ କେବେ ଘୋଷଣା ହେବ? କଳାହାଣ୍ଡି ରାଜନୀତିରେ ନୂତନ ସମୀକରଣ ହେବ ନାଁ ପୁରୁଣା ମୂଷାମାନେ ଖେଳ କରିବେ? ମୋ ଉତ୍ତରକୁ ଅପେକ୍ଷା ନକରି ଏମିତି ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଥାନ୍ତି ମୋର ବନ୍ଧୁ ବେହେରା ବାବୁ। ଏସବୁ ପ୍ରଶ୍ନର ସଠିକ ଉତ୍ତର ମୋ ପାଖରେ ନଥିବାରୁ ମୁଁ କଥାକୁ ଅନ୍ୟ ଦିଗକୁ ଟାଣି ନେଇ ଯିବାକୁ ଉଚିତ ମଣିଲି। ତେଣୁ ବେହେରା ବାବୁଙ୍କୁ କହିଲି – ସାଧୁ ଓ ମୁନି ଭିତରେ ପାର୍ଥକ୍ୟ କ’ଣ ଆପଣ ଜାଣିଛନ୍ତି କି? ଯେହେତୁ ଆପଣ ମୋତେ ନାରଦ ମୁନି ବୋଲି କହିଲେ ତେଣୁ ପଚାରି ଦେଲି। ବେହେରା ବାବୁ ଟିକେ ଅପ୍ରସ୍ତୁତ ହୋଇ କହିଲେ – ଆଜ୍ଞା, ଆପଣ ୨୨ ବର୍ଷ ହେଲା ସାମ୍ବାଦିକତା କରି ଆସୁଛନ୍ତି। ନାରଦ ମୁନି ପୃଥିବୀର ପ୍ରଥମ ସାମ୍ବାଦିକ ତେଣୁ ମୁଁ ଆପଣଙ୍କୁ ନାରଦ ମୁନି ବୋଲି କହିଲି। ତେବେ ପ୍ରକୃତରେ ସାଧୁ କାହାକୁ କୁହନ୍ତି, ମୁନି କାହାକୁ କୁହନ୍ତି ତାହା ମୁଁ ଭଲ ଭାବରେ ଜାଣେ ନାହିଁ – କହିଲେ ବେହେରା ବାବୁ।
ମୁଁ ତାଙ୍କ ସନ୍ଦେହ ମୋଚନ କରିବାକୁ ଯାଇ କହିଲି ଯିଏ ସାଧନା କରନ୍ତି ସିଏ ସାଧୁ। ଯିଏ ମନ୍ତ୍ରର ମନନରେ ନିମଗ୍ନ ଥାନ୍ତି ସିଏ ମୁନି। ଦେବର୍ଷି ନାରଦ ତ୍ରିକାଳଦର୍ଶୀ ସିଏ ତିନି ଲୋକର ବାର୍ତ୍ତା ଜାଣିଥାନ୍ତି ଏବଂ ଚଉଦ ବ୍ରହ୍ମାଣ ଘୁରି ବୁଲୁଥାନ୍ତି କିନ୍ତୁ ସବୁବେଳେ ନାରାୟଣଙ୍କ ନାମ ମନନ କରୁଥାନ୍ତି। ମୋର ଉତ୍ତରରେ ବେହେରା ବାବୁ ପ୍ରଶନ୍ନ ଜଣାପଡ଼ିଲେ। ତେବେ ସେ କଥାର ଖିଅ ଆଗକୁ ବଢାଇ କହିଲେ – ନର୍ଲା ଓ ମଦନପୁର ରାମପୁର ଏନଏସି ଘୋଷଣା ହେଲା। ବିଜେଡ଼ି କର୍ମୀ ଖୁସି ମନାଇଲେ। ବିଧାୟକ ମୁଣ୍ଡରେ ମୁକୁଟ ପିନ୍ଧି ନଗର ପରିକ୍ରମା କଲେ। ସତରେ କ’ଣ ବିଧାୟକଙ୍କ ପାଇଁ ଏହି ଦୁଇଟି ସ୍ଥାନ ଏନଏସି ମାନ୍ୟତା ପାଇଲେ? ଏହା ଶ୍ରେୟ ନେବାପାଇଁ ରାଜନୀତି ନୁହେଁ ତ?
ମୁଁ ଜାଣିଛି ବେହେରା ବାବୁ ଯେମିତି ହେଲେ ବି ରାଜନୀତିର ବିନ୍ଦୁରେ ପହଞ୍ଚିବେ ଓ ମଞ୍ଜି କଥା ହାସଲ ନକଲା ପର୍ଯ୍ୟନ୍ତ ଛାଡିବେନି। ଅଗ୍ୟାତ ମୁଁ କହିଲି – ଯେହେତୁ ନର୍ଲା ନିର୍ବାଚନ ମଣ୍ଡଳୀର ଦୁଇଟି ଗୁରୁତ୍ବପୂର୍ଣ୍ଣ ସ୍ଥାନ ମ.ରାମପୁର ଓ ନର୍ଲାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏନଏସି ଘୋଷଣା କରିଛନ୍ତି ତେଣୁ ଜନସାଧାରଣଙ୍କ ସହ ବିଜେଡ଼ି କର୍ମୀ ଖୁସି ମନାଇବା ସ୍ବାଭାବିକ କଥା। ବିଜେଡ଼ି ଶାସନରେ ନର୍ଲାର ରୂପରେଖ ବଦଲିଛି। ଗାଁ ଗାଁରେ ବିକାଶର ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ପରିମଳ, କୃଷି, ଧାର୍ମିକ ପୀଠସ୍ଥଳୀର ସଂରକ୍ଷଣ ସବୁ ଦିଗରେ ବିକାଶର ବାସ୍ନା ମହକି ଉଠୁଛି। ଏବେ ଏନଏସି ଘୋଷଣା ହେଲା। ଏହାର ଶ୍ରେୟ ନିଶ୍ଚିତ ଭାବେ ବିଧାୟକଙ୍କ ପାଖକୁ ଯିବ ହିଁ ଯିବ।
ବେହେରା ବାବୁ ସ୍ମିତ ହାସ୍ୟ କରି କହିଲେ – ମୁଁ ମନା କରୁନାହିଁ। କିନ୍ତୁ ନର୍ଲାକୁ ଏନଏସି ଘୋଷଣା କରିବା ପାଇଁ ଓକିଲ ସଂଘ ସ୍ବର ଉତ୍ତୋଳନ କରିଥିଲା। ସାମ୍ବାଦିକ ସଂଘ ମଧ୍ୟ ଖବର ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ୨୦୧୭ରେ ପଞ୍ଚାୟତ ସମିତିରୁ ରେଜୁଲେସନ ହୋଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲା ନର୍ଲାକୁ ଏନଏସି ମାନ୍ୟତା ଦେବା ପାଇଁ। ଜନସାଧାରଣ ମଧ୍ୟ ଦୀର୍ଘ ବର୍ଷ ଧରି ଏହି ଦାବି କରି ଆସୁଥିଲେ। ପ୍ରଥମ ପର୍ଯ୍ୟାୟରେ ନର୍ଲା ଏନଏସି ମାନ୍ୟତା ନପାଇଥିବାରୁ ରାଜ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ। ଏମାନଙ୍କ ଅବଦାନକୁ ଆମେ କ’ଣ ଭୁଲିଯିବା? ବେହେରା ବାବୁ କହି ଚାଲିଥାନ୍ତି, ମୁଁ ଶୁଣୁଥାଏ।
ପୁଣି ବେହେରା ବାବୁ କହିଲେ – ଶାନ୍ତିବନରେ ବିଜୁ ଜନତା ଦଳର ଶତାଧିକ କର୍ମୀ ଏକତ୍ରିତ ହୋଇ ବିଧାୟକ ଭୁପିନ୍ଦର ସିଂଙ୍କ ବିରୁଦ୍ଧରେ ଗର୍ଜିଛନ୍ତି। ସେମାନେ ବିଧାୟକଙ୍କ କାର୍ଯ୍ୟଧାରାର ଖୁଲମଖୁଲା ସମାଲୋଚନା କରିବା ସହ ନର୍ଲା ଏନଏସି ମାନ୍ୟତା ପାଇବାରେ ବିଧାୟକଙ୍କ କୌଣସି ଭୂମିକା ନାହିଁ ବୋଲି କହିଛନ୍ତି। ଏହାସହ ନର୍ଲା ବିଧାନସଭା ଆସନ ପାଇଁ ସ୍ଥାନୀୟ ପ୍ରାର୍ଥୀତ୍ଵ ଦାବି ମଧ୍ୟ କରିଛନ୍ତି। ବେହେରା ବାବୁଙ୍କ କଥାରେ ବ୍ରେକ ଦେବା ଜରୁରୀ ମନେକଲି କାରଣ ଏହି ସମୟ ମଧ୍ୟରେ ପ୍ରାୟ ୧୦/୧୨ ଜଣ ତାଙ୍କ କଥା ଶୁଣି ଟୁପୁର ଫାସୁରୁ ହେବା ଆରମ୍ଭ କରି ଦେଇଥିଲେ। ମୁଁ କହିଲି – ହେଉ ବେହେରା ବାବୁ। ବିଜେଡ଼ି କର୍ମୀମାନେ କାହିଁକି ବିଧାୟକଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି ତାହା ସେମାନଙ୍କୁ ଜଣା। ସେମାନେ ଅସନ୍ତୁଷ୍ଟ କର୍ମୀ ହୋଇଥିବେ। ସେଥିରେ ଆମେ ମତାମତ ଦେବା ଉଚିତ ମଣୁନାହୁଁ। ଦ୍ବିତୀୟ କଥା ହେଲା ନର୍ଲା ଏନଏସି ମାନ୍ୟତା ପାଇବାରେ ମାନ୍ୟବର ବିଧାୟକଙ୍କ ଭୂମିକା ନାହିଁ ଏକଥା କିନ୍ତୁ ଗ୍ରହଣ କରାଯାଇ ପାରୁନାହିଁ, ଅନ୍ୟମାନଙ୍କ ସହ ବିଧାୟକଙ୍କ ଅବଦାନ ମଧ୍ୟ ରହିଛି।
ବେହେରା ବାବୁ କହିଲେ – ହଇହୋ ନାରଦ ମୁନି! ମନନ କରୁଥିବାରୁ ମୁନି। ତୁମେ ପାଞ୍ଚକୁ ପନ୍ଦର କରିବା ଲୋକ। ଏବେ ଦେଖୁଛି ୧୦୦ କୁ ଆଣି ୧୦ରେ ରଖି ଦେଉଛ। ତେବେ ସେ ଯାହାହେଉ ମଦନପୁର ରାମପୁର ଓ ନର୍ଲା ଏନଏସି ମାନ୍ୟତା ପାଇବା ପରେ ଆମେ ସମସ୍ତେ ଖୁସି। ଏହାର ସମସ୍ତ ଶ୍ରେୟ ସାଧାରଣ ଜନତାଙ୍କର ହୋଇ ରହୁ। କିନ୍ତୁ ବିଧାୟକଙ୍କ ମୁଣ୍ଡରେ ମୁକୁଟ ଝଟକୁ ଥିଲା। ଏହା ଏମିତି ରହିଥାଉ। ଏପଟେ ମୁଁ ମନେ ମନେ ବିଧାୟକଙ୍କ ବରବେଶ କଥା ଭାବି ହସି ଉଠୁଥିଲି। ବେହେରା ବାବୁ ମୋ ପାଖରୁ ବିଦାୟ ନେଇ ଭୁବନେଶ୍ଵର ଅଭିମୁଖେ ଚାଲିଲେ। ମୁଁ ଗୃହାଭିମୁଖି ହେଲି।