ପ୍ରାଥମିକ ସଦସ୍ୟ ତଥା ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦବୀରୁ ଦେଲେ ଇସ୍ତଫା
ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଦୀର୍ଘ ୩୮ ବର୍ଷଧରି କଂଗ୍ରେସରେ ରହି ଆସିଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳ ଛାଡିଛନ୍ତି। ଆଜି ଗୁରୁବାର ମାର୍ଚ୍ଚ ୨୮ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ପିସିସି ସଭାପତିଙ୍କ ଜରିଆରେ ସେ ପଠାଇଥିବା ପତ୍ରରେ ନିଜର ବ୍ୟକ୍ତିଗତ କାରଣ ପାଇଁ ଦଳ ଛାଡୁଥିବା ଉଲ୍ଲେଖ କରିଛନ୍ତି। ଶ୍ରୀ ସିଂ ଭୋଇ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବେ କାର୍ଯ୍ୟରତ ଥିଲେ। ସେ ଦଳର ପ୍ରାଥମିକ ସଦସ୍ୟ ପଦବୀ ସମେତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ ଏଆଇସିସି ସଦସ୍ୟ ପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ହୋଇ ଉଠିଥିବା ବେଳେ ସୁରେନ୍ଦ୍ର ସିଂ ଭୋଇଙ୍କ ଇସ୍ତଫା ବଲାଙ୍ଗୀର ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ବଲାଙ୍ଗୀର ରାଜନୀତିର ଏହି ଦିଗ୍ଗଜ ନେତା ୧୯୮୬ ମସିହାରେ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ। ୧୯୯୦ ମସିହାରେ କଂଗ୍ରେସ ଦଳରୁ ଟିକେଟ ପାଇ ଯଜ୍ଞଶ୍ଵର ବାବୁଙ୍କ ଠାରୁ ପରାଜିତ ହୋଇଥିଲେ। ୧୯୯୫ ମସିହାରେ ସଇଁତଲା ନିର୍ବାଚନ ମଣ୍ଡଳୀରୁ ଯଜ୍ଞଶ୍ଵର ବାବୁଙ୍କୁ ହରାଇ କଂଗ୍ରେସ ଦଳ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୮ ମସିହାରେ ମଧ୍ୟ ବିଜୟୀ ହୋଇ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ହୋଇଥିଲେ। ୨୦୦୪ ମସିହାରେ କଳିକେଶ ନାରାୟଣ ସିଂ ଦେଓଙ୍କ ଠାରୁ ପରାଜିତ ହୋଇଥିଲେ ସୁରେନ୍ଦ୍ର ସିଂ ଭୋଇ। ୨୦୦୯ ମସିହାରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ଯୋଗେନ୍ଦ୍ର ବେହେରାଙ୍କୁ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୩ ମସିହାରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ମଧ୍ୟ ହୋଇଥିଲେ। ବର୍ତମାନ ସେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦବୀରେ ଥିଲେ। ଆସନ୍ତାକାଲି ଶୁକ୍ରବାର ସେ ନିଜ ସମର୍ଥକଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ବର ଶଙ୍ଖ ଭବନକୁ ଯାଇ ବିଜେଡ଼ିରେ ସାମିଲ ହେବେ ବୋଲି ଜଣାପଡିଛି।