ବିଜେଡ଼ିରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁରେନ୍ଦ୍ର ସିଂ ଭୋଇ ହାତ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି। ଗୁରୁବାର ସନ୍ଧ୍ୟାରେ ସେ କଂଗ୍ରେସ ଛାଡିଥିବା ବେଳେ ଶୁକ୍ରବାର ଭୁବନେଶ୍ବରର ଶଙ୍ଖ ଭବନକୁ ଯାଇ ବିଜେଡ଼ିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ସଭାରେ ରାଜ୍ୟସଭା ସାଂସଦ ସମ୍ବିତ ପାତ୍ର, ମନ୍ତ୍ରୀ ଟୁକୁନୀ ସାହୁ, ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ସହ ବିଜେଡ଼ିର ବହୁ ବିଶିଷ୍ଟ ନେତୃବୃନ୍ଦ ଏହି ଉପସ୍ଥିତ ଥିଲେ। ଶ୍ରୀ ସିଂ ଭୋଇ ନିଜ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଆସି ଶଙ୍ଖ ଭବନରେ ପହଞ୍ଚିଥିଲେ। ସେଠାରେ ସେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ସୁରେନ୍ଦ୍ର ସିଂ ଭୋଇ ଦୀର୍ଘ ୩୮ ବର୍ଷ ଧରି କଂଗ୍ରେସର ବିଭିନ୍ନ ପଦପଦବୀରେ ରହି ଆସିଥିଲେ। ବିଧାୟକ, ମନ୍ତ୍ରୀ ଓ ଜିଲ୍ଲା ସଭାପତି ଭାବରେ ତାଙ୍କର ବହୁ ଅଭିଜ୍ଞତା ରହିଛି। ତେଣୁ ବିଜେଡ଼ି ତାଙ୍କୁ ବଲାଙ୍ଗୀର ଲୋକସଭା ପ୍ରାର୍ଥୀ କରିବ ବୋଲି ଜଣାପଡିଛି। ସୁରେନ୍ଦ୍ର ସିଂ ଭୋଇଙ୍କ ସହ ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝୀ, ଟିଟିଲାଗଡ଼ ବ୍ଲକ ସଭାପତି ବିକାଶ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ସଭାପତି ଭଗବାନ ବଗର୍ତ୍ତି, ଅସୀମ ପଟ୍ଟନାୟକ, ଶ୍ରୀକାନ୍ତ ବାଗ, ୧୧ ଜଣ ସରପଞ୍ଚ, ୧୩ ଜଣ ସମିତି ସଭ୍ୟସଭ୍ୟା ସହ ବଲାଙ୍ଗୀର, ଟିଟିଲାଗଡ଼, ତୁଷୁରା, ସଇଁତଲା, ସୋନପୁର ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.