ଗୋଳାବାରୁଦ କାରଖାନା ଚାକିରୀ ନାଁରେ ନକଲି ନିଯୁକ୍ତି ପତ୍ର ଓ ଗେଟପାସରେ ଧରାପଡି ଜେଲ ଗଲେ ୩ ଯୁବକ

ମୁଖ୍ୟ ଅଭିଯୁକ୍ତ ପୂର୍ବରୁ ଜେଲରେ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ବଡ଼ମାଳ ଠାରେ ଥିବା ସର୍ବଭାରତୀୟ ପ୍ରତିରକ୍ଷା ବିଭାଗର ଗୋଳାବାରୁଦ କାରଖାନା ପରିସରରେ ଶୁକ୍ରବାର ଚାକିରୀ ଆଳରେ ନକଲି ନିଯୁକ୍ତି ପତ୍ର ଓ ସୁରକ୍ଷା ଗେଟ ପାସ ତିଆରି କରି ୩ ଜଣ ଚାକିରୀ ପାଇଁ ଯାଇଥିବା ବେଳେ କାରଖାନା ପ୍ରଶାସନିକ ଅଧିକାରୀ ଯାଞ୍ଚ ଦ୍ୱାରା ଧରାପଡିଥିଲେ। ଏ ନେଇ ସଇଁତଲା ପୋଲିସ ଥାନା କେସ ୧୩୭/୨୪ ଅନୁସାରେ ଦଫା ୪୧୯. ୪୨୦. ୪୬୮. ୪୭୧. ୪୨୦ (ବି) ଆକ୍ଟ ଏକ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତମାନଙ୍କୁ ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବା ପରେ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ହରେକୃଷ୍ଣପୁର ଗାଁର ରଞ୍ଜିତ ସାହୁ (୩୪), ଲୋହିତ ସାହୁ (୩୫) ଓ ଭୂବାନିପାଟଣା ଥାନା ମେଦିନୀପୁର ଗାଁର ପ୍ରଦୀପ ସାହୁ (୨୭) ବୋଲି ଜଣାପଡିଛି। ପ୍ରକାଶ ଯେ, ଗତ ଶୁକ୍ରବାର ଦିନ ବଡ଼ମାଳ କାରଖାନା ସ୍ଥିତ ଏସଓଏଇ ବିଭାଗରେ ଚାର୍ଜମ୍ୟାନ ପଦବୀ ପାଇଁ ୩ ଯୁବକ ନିଯୁକ୍ତି ପତ୍ର ସହ ସୁରକ୍ଷା ଗେଟ ପାସ ଧରି ଅଫିସକୁ ପହଂଚିଥିଲେ। ସେଠାରେ ପ୍ରଶାସନ ତରଫରୁ ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ନକଲି ବୋଲି କାରଖାନା ମହାପ୍ରବନ୍ଧକ ପ୍ରଦୀପ ସାହୁ ଜାଣିବାକୁ ପାଇଥିଲେ। ଏହାପରେ ସଇଁତଲା ପୋଲିସର ଦ୍ୱାରସ୍ଥ ହୋଇ ଥାନାରେ ଲିଖିତ ଏତଲା ଦେଇଥିଲେ। ଏହାକୁ ଭିତ୍ତି କରି ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନଙ୍କ ତତ୍ତ୍ୱବଧାନରେ ଥାନା ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ ତଦନ୍ତ ଆରମ୍ଭ କରିଥିଲେ। ଏହି ସମୟରେ ଟିଟିଲାଗଡ଼ ଥାନା ଉଦେପୁର ଗାଁର ପ୍ରମୋଦ ସାହୁ ଜଣେ ଜଣେ ଯୁବକଙ୍କ ଠାରୁ ୩ ଲକ୍ଷ ଲେଖାଏଁ ଟଙ୍କା ନେଇ ନିଯୁକ୍ତି ପତ୍ର ସହ ଗେଟ ପାସ ପ୍ରଦାନ କରିଥିଲେ ବୋଲି ପୋଲିସ ଆଗରେ ପ୍ରକାଶ କରିଥିଲେ। ବର୍ତମାନ ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ଘଟଣାର କିଛି ଦିନ ଆଗରୁ ଅନ୍ୟ କୋଣସି ମାମଲାରେ କଟାବାଞ୍ଜି ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.