ଦ୍ବାପର ଯୁଗରେ ଦୁଷ୍ଟ ଦଳନ ଓ ସନ୍ଥ ପାଳନ କରିବାପାଇଁ ଭଗବାନ ଶ୍ରୀକୃଷ୍ଣ ପରମ ପବିତ୍ର ଯଦୁବଂଶରେ ଜନ୍ମ ଗ୍ରହଣ କରିଥିଲେ। ସନାତନ ସଂସ୍କୃତିରେ ଜନ୍ମାଷ୍ଟମୀର ଯଥେଷ୍ଟ ଗୁରୁତ୍ବ ରହିଥିବାବେଳେ ବୈଷ୍ଣବ ଓ ଗୋପାଳ ସଂପ୍ରଦାୟରେ ଏହାକୁ ଆଡ଼ମ୍ବର ସହକାରେ ପାଳନ କରାଯାଏ। ଦ୍ଵାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ କୃଷ୍ଣ। ଭୋଜବଂଶୀ କଂସ ଥିଲେ ଶ୍ରୀକୃଷ୍ଣଙ୍କ ମାମୁଁ। ଅସୁର ସ୍ବଭାବଯୁକ୍ତ କଂସଙ୍କ ଅତ୍ୟାଚାରରେ ତ୍ରିଭୁବନ ତ୍ରାହି ତ୍ରାହି ଡାକ ଦେଉଥିଲେ। କଂସଙ୍କ କବଳରୁ ସମସ୍ତଙ୍କୁ ମୁକ୍ତ କରିବାକୁ ଅବତାର ଗ୍ରହଣ କଲେ ପରମପୁରୁଷ ପରମବ୍ରହ୍ମ। କଂସ ବନ୍ଦୀଶାଳାରେ ଦେବକୀଙ୍କ ଗର୍ଭରୁ ଅର୍ଦ୍ଧରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମଗ୍ରହଣ କଲେ। ସ୍ବର୍ଗରୁ ଦେବତାମାନେ ପୁଷ୍ପ ବୃଷ୍ଟି କରି ତାଙ୍କର ଜୟଗାନ କଲେ। ଶୂନ୍ୟବାଣୀ ଅନୁସାରେ ବସୁଦେବ ବର୍ଷଣ ମୁଖର ରାତିରେ ଗୋପପୁରର ନନ୍ଦଙ୍କ ଭବନକୁ ଯାଇ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାଙ୍କୁ ଆଣି ବନ୍ଦିଶାଳରେ ଦେବକିଙ୍କ କୋଳରେ ଦେଲେ।





