କଳାହାଣ୍ଡିରେ ବିଜେପିର ବିଜୟ ବାନା ଉଡାଇଲେ ବିଧାୟକ ସୁଧିର ପଟ୍ଟଯୋଶୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ୭ ଗୋଟି ବିଧାନ ସଭା କ୍ଷେତ୍ର ରହିଥିବା ବେଳେ ଧର୍ମଗଡରେ ହିଁ ଜଣେ ମାତ୍ର ବିଜେପି ବିଧାୟକ ଭାବରେ ସୁଧୀର ରଞ୍ଜନ ପଟ୍ଟଯୋଶୀ ନିର୍ବାଚିତ ହୋଇଛନ୍ତି। ଭେଟରାନ୍ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର କୁମାର ସିଂ ଦେଓଙ୍କୁ ପରାଜିତ କରି ଶ୍ରୀ ପଟ୍ଟଯୋଷୀ ବିଜୟ ବାନା ଉଡ଼ାଇଛନ୍ତି। ବିଜେପି ବିଧାୟକ ସୁଧିର ୮୭,୮୯୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂ ଦେଓ ୬୮,୯୬୩ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀନୀ ରଶ୍ମିରେଖା ରାଉତ ୪୧, ୨୬୯ ଖଣ୍ଡ ଭୋଟ ପାଇଛନ୍ତି। ଏହି ହିସାବରେ ବିଜେପି ବିଧାୟକ ସୁଧିର ୧୮,୯୨୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇ କଳାହାଣ୍ଡିରେ ବିଜେପିର ସମ୍ମାନ ବଜାୟ ରଖିଛନ୍ତି। ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଚଳିତ ସାଧାରଣ ନିର୍ବାଚନରେ ଅଖଣ୍ଡ କ୍ଷମତା ଧାରୀ ବିଜେଡିକୁ ଧରାଶାୟୀ କରି ଓଡିଶାରେ ସରକାର ଗଠନ କରୁଛି ବିଜେପି। ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନକୁ ନିମିଶକେ ଧୂଳିସାତ କରି ବିଜୟର ଶ୍ରେୟ ନେଇଛି ବିଜେପି। ବିଜେପି ଦଳୀୟ ନେତା (ମୁଖ୍ୟମନ୍ତ୍ରୀ) ଙ୍କ ନାମ ଏଯାଏଁ ଘୋଷଣା କରାଯାଇ ନଥିବା ବେଳେ ମନ୍ତ୍ରୀ ପଦ ହାତେଇବା ପାଇଁ ବିଧାୟକ ମାନଙ୍କ ଲବି ଆରମ୍ଭ ହୋଇଯାଇଛି। ଆସନ୍ତା ୧୨/୬ ରେ ନୂତନ ମନ୍ତ୍ରୀ ମଣ୍ଡଳ ଗଠନ କରାଯିବ। ଶପଥ ନେବେ ସମସ୍ତ ମନ୍ତ୍ରୀ। ଏକ ନୂତନ ଅଧ୍ୟାୟ ଆରମ୍ଭ ହେବ। ଏଥିପାଇଁ ଜନତା ମଇଦାନରେ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରଥମ ଥର ବିଜେପି ବିଧାୟକ ଭାବରେ ନିର୍ବାଚିତ ହୋଇ କଳାହାଣ୍ଡିରେ ବିଜେପିର ସମ୍ମାନ ରକ୍ଷା କରିଥିବା ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀଙ୍କୁ ମନ୍ତ୍ରୀ ପଦ ଦେଲେ ଆଗାମୀ ଦିନରେ କଳାହାଣ୍ଡିରେ ବିଜେପି ଦଳର ସଙ୍ଗଠନର ଅଭିବୃଦ୍ଧି ହେବ ଏଥିରେ ତିଳେହେଲେ ସନ୍ଦେହ ନାହିଁ ବୋଲି ବିଭିନ୍ନ ମହଲରୁ ଦାବୀ ହେଉଛି।




