ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ବେଦାନ୍ତ କମ୍ପାନୀ ସ୍ଥାପନ ହୋଇ ଦୀର୍ଘ ୨୦ ବର୍ଷ ବିତି ଗଲାଣି ହେଲେ ଲାଞ୍ଜିଗଡ଼ ଅଞ୍ଚଳରେ ଲୋକଙ୍କୁ ଅଣଦେଖା କରି ଆସୁଛି ବେଦାନ୍ତ କମ୍ପାନୀ। ବେଦାନ୍ତ କମ୍ପାନୀ ସ୍ଥାପନ ହେବା ପୂର୍ବରୁ ଅଞ୍ଚଳର ଲୋକଙ୍କୁ ଅନେକ ସ୍ବପ୍ନ ଦେଖାଇ ଥିଲା ହେଲେ ସ୍ବପ୍ନ ପୂରଣ କରିବା ତ ଦୂରର କଥା ଅଞ୍ଚଳରେ ଏବେ ଯାଏଁ କୌଣସି ପ୍ରକାରର ବ୍ୟବସ୍ଥା ହୋଇ ପାରିନାହିଁ। କମ୍ପାନୀରେ ଅନେକ ଲୋକ କିଏ ଜମି ହରେଇଛି ତୋ କିଏ ବାସ ହରା ହୋଇ ନିରାଶ ହୋଇଛନ୍ତି। ଫଳରେ ଲାଞ୍ଜିଗଡ଼ ଅଞ୍ଚଳ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ଓ ଅନେକ ନିରୀହ ନିଷ୍ପେସିତ ଲୋକଙ୍କ ବାହାର ରାଜ୍ୟରେ ମୃତ୍ୟୁ ଘଟୁଛି। ଏହାକୁ ନେଇ ବୁଧବାର ଲାଞ୍ଜିଗଡ଼ ସାପ୍ତାହିକ ବଜାର ପଡ଼ିଆଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବେଦାନ୍ତର ପାରିପାର୍ଷିକ ଅଞ୍ଚଳରେ ବିକାଶ ହୋଇ ପାରି ନଥିବା ନେଇ ଲାଞ୍ଜିଗଡ଼ ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସ୍ୱର ଉଠାଇଛନ୍ତି ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ରମେଶ ମାଝୀ। ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ବେକାରୀ ସମସ୍ୟା ଦୂରୀକରଣ, ଅଞ୍ଚଳର ଉଚ୍ଚ ଶିକ୍ଷିତ ଧନ୍ଦାମୂଳକ ତାଲିମ ପ୍ରାପ୍ତ ଆଇ.ଟି.ଆଇ., ବି.ଟେକ. ଯୁବକ ଯୁବତୀଙ୍କୁ ତୁରନ୍ତ କର୍ମ ନିଯୁକ୍ତିର ବ୍ୟବସ୍ଥା କରିବା,ପାରିପାର୍ଷିକ ଅଞ୍ଚଳ ବାସୀଙ୍କୁ ନେଇ ସି.ଏସ.ଆର. ଉନ୍ନତି କାର୍ଯ୍ୟ କରିବା, ଏଲ.ପି.ଡି.ଏଫ. ଫଣ୍ଡରେ ୭୦ ପ୍ରତିଶତ କମ୍ପାନୀ ପାରିପାର୍ଷିକ ଉନ୍ନତିରେ ବିନିଯୋଗ କରିବା ଏବଂ ରେଡମଣ୍ଡ୍ ଫଣ୍ଡରୁ ନିର୍ଗତ ଦୂଷିତ ବାୟୁ ପ୍ରବାହିତ ଗ୍ରାମବାସୀଙ୍କୁ ଉପଯୁକ୍ତ ଥଇଥାନରେ ବ୍ୟବସ୍ଥା କରିବାପାଇଁ ବେଦାନ୍ତ କର୍ତୃପକ୍ଷଙ୍କୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସ୍ୱର ଉତୋଳନ କରିଛନ୍ତି। ଯଦି ଏହାର ସୁଚାରୁ ରୂପେ କାର୍ଯ୍ୟକାରୀ କରାନଯାଏ ତାହାହେଲେ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ ସମେତ ରାଜ ରାସ୍ତାକୁ ଓଲ୍ଲାଇବ ବୋଲି ଶ୍ରୀ ମାଝୀ କହିଥିବାବେଳେ ଏଥିରେ ବିଜେପି ନେତା ଲକ୍ଷ୍ମୀଧର ସନ୍ତୋଷ ରାଏ, ଶୁକୃ ମାଝୀ, ସୁରେନ୍ଦ୍ର ବେନାଲ,ଭାଗିରଥି ଧଙ୍ଗଡ଼ାମାଝୀ, ତୁଳସୀ ମାଝୀ, ତ୍ରିନାଥ ପାତ୍ର, ଅମରେଶ ବୁଦ୍ଧିଆ, ରାଧାମୋହନ ଦଳପତି, ନିରଞ୍ଜନ ବିଭାର,ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।