ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବୀନ୍ଦ୍ର ମିଶ୍ର): ଶନିବାର ଭୋର ସମୟରେ ଗୁମାବାହାଲ ଠାରେ ଘଟିଛି ଏକ ଅଘଟଣ। ବର୍ଷାର ପ୍ରଭାବରେ ଜଣେ ବିଧବା ମହିଳାଙ୍କ ଚାଳ ଛପର ଘର ଭାଙ୍ଗି ଯାଇଛି। କିନ୍ତୁ ସୌଭାଗ୍ୟ ବସତଃ ପରିବାରର ତିନି ସଦସ୍ୟ ଅଳ୍ପକେ ଏକ ବଡ ବିପଦରୁ ରକ୍ଷା ପାଇ ଯାଇଛନ୍ତି। ସୂଚନା ଅନୁସାରେ ଗୁମାବାହାଲ ଗ୍ରାମର ହବଲଦେଈ ମାଝୀ ନାମକ ଜନୈକ ବିଧବା ମହିଳା ନିଜ ଦୁଇ ସନ୍ତାନଙ୍କ ସହ ଶୁକ୍ରବାର ରାତିରେ ଖାଇପିଇ ଶୋଇଥିଲେ। କିନ୍ତୁ ଶୋଇଥିବା ବେଳେ ରାତି ଦୁଇଟାରୁ ଅନବରତ ବର୍ଷା ହେଇଥିଲା। ଭୋର ୪ଟା ବେଳେ ଅଚାନକ ହବଲଦେଈର ଚାଳ ଛପର ଘର ଭାଙ୍ଗି ଯାଇଥିଲା। ଘର ଭିତରେ ଶୋଇଥିବା ୩ ଜଣ ଘର ତଳେ ଚାପି ହେଇଥିଲେ ମଧ୍ୟ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିବାରେ ସଫଳ ହେବା ସହ ଏକ ବଡ ବିପଦରୁ ରକ୍ଷା ପାଇ ଯାଇଛନ୍ତି। ସୂଚନା ଯୋଗ୍ୟ ଯେ, ବିଧବା ମହିଳା ହବଲଦେଈ ଅତ୍ୟନ୍ତ ଗରିବ। ନିଜ ସ୍ବାମୀଙ୍କ ମୃତ୍ୟୁ ପରେ ପର ଘରେ କାମଧନ୍ଦା କରି ନିଜ ପରିବାରର ପ୍ରତିପୋଷଣ କରେ। ଚାଳ ଛପର ଘରକୁ ସଜାଡିବାରେ ତାର ସମ୍ବଳର ଅଭାବ। ବର୍ତ୍ତମାନ ତା’ର ଚାଳ ଛପର ଘର ଭାଙ୍ଗି ଯାଇଛି। ପୁଣି ଆଗକୁ ଆସୁଛି ଘୋର ବର୍ଷାର ସମୟ। ଏଭଳି ସ୍ଥିତିରେ ବାସହରା ହେଇଥିବା ହବଲଦେଈର ପରିବାରର ସ୍ଥିତି ଅତ୍ୟନ୍ତ ଦୟନୀୟ। ତେଣୁ ସେ ଏବେ ତା’ର ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେବାକୁ ବାଧ୍ୟ ହେଇଛି। ତେଣୁ ତୁରନ୍ତ ଏଭଳି ଅସହାୟ ପରିବାରକୁ ସରକାରୀ ଯୋଜନାର ସାମିଲ କରି ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।