ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଡ଼. ସଦାନନ୍ଦ ଅଗ୍ରୱାଲ ଓଡ଼ିଶାର ଜଣେ ସ୍ବନାମଧନ୍ୟ ଲିପିତତ୍ତ୍ୱବିଦ, ମହିମାଧର୍ମର ଗବେଷକ, ଐତିହାସିକ ଥିବା ସହିତ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ l ସେ ଏହି ଅଞ୍ଚଳର ସାମାଜିକ, ସାଂସ୍କୃତିକ, ଧାର୍ମିକ ଅନୁଷ୍ଠାନ ଗୁଡିକର ଦିଗଦର୍ଶକ ଥିଲେ l ସେ ତାଙ୍କ ଜୀବନରେ କଲେଜ ପାଠ ପଢ଼ିବାର ସୁଯୋଗ ପାଇ ନ ଥିଲେ l କିନ୍ତୁ ନିଜ ଅଧ୍ୟବସାୟ ବଳରେ ଅନେକ ଗୁଡିଏ ଗବେଷଣାଲବ୍ଧ ପୁସ୍ତକ ରଚନା କରିଥିଲେ l ଯାହାକି ଆଜି ବିଶ୍ୱବିଦ୍ୟାଳୟ ମାନଙ୍କରେ କ୍ଲାସ କୋର୍ସ ଭାବରେ ଛାତ୍ର ଛାତ୍ରୀ ମାନେ ପାଠ ପଢୁଛନ୍ତି l ଡ଼. ଅଗ୍ରୱାଲ ମାତ୍ର ମାଟ୍ରିକ ପଢିଥିଲେ ହେଁ ବିଶ୍ଵଭାରତୀ ଶାନ୍ତି ନିକେତନ, ଓଡିଶା ସଂସ୍କୃତି ବିଶ୍ୱ ବିଦ୍ୟାଳୟ ଭଳି ଶିକ୍ଷନୁଷ୍ଠାନକୁ ଭିଜିଟିଙ୍ଗ ପ୍ରଫେସର ଭାବରେ ପାଠ ପଢାଇବା ପାଇଁ ଯାଉଥିଲେ l ମୁଖ୍ୟତଃ ପୁରାତନ ଶିଳାଲିପି, ତାମ୍ରପତ୍ର ଉତ୍ୟାଦି ପାଠୋଦ୍ଧାରରେ ସେ ସିଦ୍ଧହସ୍ତ ଥିଲେ ବୋଲି ଆଜି ମହର୍ଷି ବୁଦ୍ଧରାମ ମହାବିଦ୍ୟାଳୟ ଠାରେ ଆୟୋଜିତ ସ୍ବର୍ଗତ ଆଗ୍ରୱାଲଙ୍କ ୭ତମ ତିରୋଧାନ ଦିବସରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି l ଏମବିଆର ଡିଗ୍ରୀ କଲେଜ ଓ ସଦାନନ୍ଦ ଅଗ୍ରୱାଲ ସ୍ମୃତି କମିଟୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସୃତି ସଭାରେ କଲେଜ ପରିଚାଳନା କମିଟିର ସଭାପତି ବାଳଗୋପାଳ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ସମ୍ମାନିତ ଅତିଥି ଭାବରେ ସୋନପୁ୍ର ଯୁବ ରେଡକ୍ରସ ସୋସାଇଟିର ଜିଲ୍ଲା ସଂଯୋଜକ ଉମାକାନ୍ତ ନାଗ, ଭୀମଭୋଇ ସମାଧିପୀଠ ଟ୍ରଷ୍ଟ ଖଲିଆପାଲିର ମେନେଜିଙ୍ଗ ଟ୍ରଷ୍ଟି ଛାତ୍ରଧାରୀ ଅଗ୍ରୱାଲ, ବଲାଙ୍ଗୀର ମାରୱାଡି ସମ୍ବେଳନର ସଭାପତି ସଞ୍ଜୟ ଅଗ୍ରୱାଲ, ପାଇକବାହାଲ ପଞ୍ଚାୟତ ସରପଞ୍ଚ ଗଣନାଥ ସାହୁ ଓ ମୁଖ୍ୟବକ୍ତା ଭାବରେ ସୋହେଲା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ଟେକଚନ୍ଦ ଦୂୱାନ ଯୋଗ କରିଥିଲେ l
ଏହି ସ୍ମୃତି କମିଟିର ସିଦ୍ଧାର୍ଥ ଅଗ୍ରୱାଲ, ସ୍ବର୍ଗତ ଅଗ୍ରୱାଲଙ୍କ ବନ୍ଧୁ ନାରାୟଣ ଝାଙ୍କର, ସନ୍ତୋଷ ଦାସ, କଲେଜର ଅଧ୍ୟକ୍ଷ ସଚିଦାନନ୍ଦ ରଥ ପ୍ରମୁଖ ସ୍ବର୍ଗତ ଆଗ୍ରୱାଲଙ୍କ ସ୍ମୃତି ଚାରଣ କରିଥିଲେ l କାର୍ଯ୍ୟକ୍ରମକୁ ସାମ୍ବାଦିକ ପୂର୍ଣଚନ୍ଦ୍ର ପଣ୍ଡା ସଂଯୋଜନା କରିଥିବା ବେଳେ ଶେଷରେ କଲେଜର ଇଂରାଜୀ ଅଧ୍ୟାପକ ଉମାକାନ୍ତ ନାଗ ଧନ୍ୟବାଦ ପ୍ରଦାନ କରିଥିଲେ l ପ୍ରଥମେ ସ୍ବର୍ଗତ ସଦାନନ୍ଦ ଅଗ୍ରୱାଲଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇ ଅତିଥିଗଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ କଲେଜ ପରିଚାଳନା କମିଟିର ନାରଦ ପୁଜାହାରୀ, ଚୈତନ୍ୟ ବାରିକ, ମହାଦେବ ଜେନା, ହୃଷିକେଶ ପାତ୍ର, ସ୍ବର୍ଗତ ଆଗ୍ରୱାଲଙ୍କ ସହଧର୍ମିଣୀ ତାରା ଅଗ୍ରୱାଲ, ବୋହୁ ଚଞ୍ଚଳ ଅଗ୍ରୱାଲ, ଭଣଜା ଗୌତମ ଅଗ୍ରୱାଲ, ମନୋଜ ଅଗ୍ରୱାଲ, ଯୁକ୍ତ ଦୁଇ ମହାବିଦ୍ୟାଳୟ ଓ ଡିଗ୍ରୀ କଲେଜର ଅଧ୍ୟାପକ ଓ କର୍ମଚାରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପଣ୍ଡାପାଲି ନେତ୍ର ନିକେତନ ପକ୍ଷରୁ ଆୟୋଜିତ ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ୭୬ ଜଣ ରୋଗୀ ଚକ୍ଷୁ ପରୀକ୍ଷା କରିଥିଲେ l