ଗୋ ମାଂସ ବୋଝେଇ କଣ୍ଟେନର ଓଲଟିବା ଘଟଣା: ନିରୀହ ଶ୍ରମିକଙ୍କ ଉପରେ ବର୍ବରୋଚିତ ଆକ୍ରମଣକୁ ଦୃଢ଼ ନିନ୍ଦା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ଛଅ ନମ୍ବର ରାଜ୍ୟ ରାଜପଥ କିଡିଙ୍ଗ ନିକଟସ୍ଥ ବେହେରାପୋଲରେ ଗୁରୁବାର ବିଳମ୍ବିତ ରାତିରେ ଓଲଟି ପଡିଛି ଗୋଟେ ଗୋମାଂସ (ମଇଁଷି ମାଂସ) ବୋଝେଇ କଣ୍ଟେନର। ପ୍ରଚଣ୍ଡ ଶବ୍ଦ ଶୁଣି କିଡିଙ୍ଗ ଗାଁର ଲୋକେ ଧାଇଁ ଆସିଲେ। ଡ୍ରାଇଭରର ଚିତ୍କାର ଶୁଣି ଭିତରୁ ବାହାର କଲେ। ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଡ଼କାଇ ହସ୍ପିଟାଲ ପଠାଇଲେ। ଖବର ପାଇ ପୋଲିସ ବି ଆସିଲା। ଦେଖିଲା ବେଳକୁ କଣ୍ଟେନରରେ ରହିଛି ପ୍ୟାକେଜ ଗୋମାଂସ। ଯାହା ଝାଡ଼ଖଣ୍ଡର ରାଞ୍ଚିରୁ ଯାଉଥିଲା ବିଶାଖାପାଟଣା। ସେଠାରୁ ଜାହାଜରେ ଯାଇଥାନ୍ତା ଦୁବାଇ। କାଗଜାତ ସବୁ ଠିକଠାକ ଥିଲା। କେନ୍ଦ୍ର ସରକାରଙ୍କ ଗୋ ମାଂସ ଉତ୍ପାଦନ, ରପ୍ତାନି ସମ୍ପର୍କିତ ଭେଲିଡ଼ ଲାଇସେନ୍ସ। ପରିବହନ ଓ ଜିଏସଟି ବିଲ। ଏହାପରେ ପୁଲିସ ଉପସ୍ଥିତିରେ ଆଉ ଏକ କଣ୍ଟେନର ଅଣାଯାଇ ଲୋକଙ୍କ ଭାବାବେଗ ଦୃଷ୍ଟିରୁ ପ୍ୟାକେଜ ମାଂସକୁ ଦୁର୍ଘଟଣାସ୍ଥଳରୁ ହଟାଇନେବାକୁ ପ୍ରକ୍ରିୟା ଆରମ୍ଭ ହେଲା। ଗୋଟେ କଣ୍ଟେନର ଲୋଡ଼ ହେଲା। ଆରଟିରେ ଲୋଡ଼ ଚାଲିଥିଲା। ସ୍ଥାନୀୟ ଲୋକେ ନମିଳିବାରୁ ଭୁବନେଶ୍ୱରରୁ ଲୋକ ଅଣାଯାଇ ଲୋଡିଂ ଚାଲିଥିଲା। କିନ୍ତୁ ଅପରାହ୍ନରେ କିଛି ଗୁଣ୍ଡାଶ୍ରେଣୀୟ ବ୍ୟକ୍ତି ଆସି ଶାନ୍ତିପୂର୍ଣ୍ଣ ଭାବେ ଲୋଡ଼ିଂ କରୁଥିବା ଶ୍ରମିକଙ୍କ ଉପରେ ଅତର୍କିତ ଆକ୍ରମଣ କଲେ। ପ୍ରବଳ ମାଡ଼ରେ ଲହୁଲୁହାଣ ହୋଇ ଶ୍ରମିକମାନେ ପଳାଇ ଯିବାପରେ କଣ୍ଟେନରଟିକୁ ବି ଭଙ୍ଗାରୁଜା କରିଦେଲେ। ଭୟରେ ଯିଏ ଯୁଆଡେ ପଳାଇଗଲେ ଆଉ ଦୁର୍ଘଟଣାସ୍ଥଳରେ କୌଣସି ଆତଙ୍କବାଦୀଙ୍କଠାରୁ କମ ନଥିଲା ସେମାନଙ୍କ ବର୍ବରତା। ନିଜକୁ ବଜରଙ୍ଗ ଦଳର କର୍ମକର୍ତ୍ତା ବୋଲି ପରିଚୟ ଦେବା ସହିତ ରମେଶ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଫୋନରେ ଯୋଗାଯୋଗରେ ଥିବା ଏହି ବ୍ୟକ୍ତିମାନେ ପୁଲିସ ଉପସ୍ଥିତିରେ ନିରୀହ ଶ୍ରମିକଙ୍କ ଉପରେ ଅନ୍ଧାଧୁନ ଆକ୍ରମଣକୁ କିଡିଙ୍ଗ, କାଉଗୁଡା ସମେତ ଆଖପାଖ ଅଞ୍ଚଳବାସୀ ଦୃଢ଼ ନିନ୍ଦା କରିଛନ୍ତି। କାରଣ ଗୋମାଂସ ପଡ଼ିଥିବା ସ୍ଥାନରୁ ଜନବସତି ଅତି ନିକଟରେ ଥିବାବେଳେ ଦୁର୍ଗନ୍ଧ ବ୍ୟାପିବାରେ ଲାଗିଛି। ଏବେ ବି ଦୁର୍ଘଟଣାସ୍ଥଳରେ ମାଂସ ପ୍ୟାକେଟ ପଡ଼ିଛି। ତାକୁ ହଟାଇବା ଦାୟିତ୍ୱ ନେବ କିଏ? ଏହା ପଡ଼ିରହିଲେ ଦୁର୍ଗନ୍ଧ ହେବ। ଆଖପାଖ ଗାଁ ଲୋକଙ୍କ ଜୀବନ ବିପଦରେ ବି ପଡିପାରେ ବୋଲି ଲୋକେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଣୁ ଉତ୍ୟକ୍ତ ସ୍ଥାନୀୟ ଲୋକେ ଦମ ଅଛି ତ ତାକୁ ସଫା କର। ରାସ୍ତାରୁ ହଟାଅ। ଆମେ ମାନିଯିବୁ ତମ ଭିତରେ ଗୋଭକ୍ତି, ଦେଶଭକ୍ତି, ଆଉ ହିନ୍ଦୁଙ୍କ ଚିନ୍ତା ଅଛି ବୋଲି କହିଛନ୍ତି। କାରଣ ଆମେ ବି ହିନ୍ଦୁ ଆଉ ତମ ଭଳିଆ ବିକୃତ ମସ୍ତିଷ୍କଧାରୀଙ୍କ ପାଇଁ ଆମେ ବଦନାମ ହେଉଛୁ। ହିନ୍ଦୁ ବଦନାମ ହେଉଛି ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏପରିକି ଆମ ଦେଶରେ ସବୁଠୁ ଲାଭଜନକ ବ୍ୟବସାୟ ହେଲା ଗୋମାଂସ ବେପାର। ଆମର ଦେଶର ଗୋମାଂସର ଚାହିଦା ବିଦେଶରେ ବହୁତ ବେଶୀ। ତମେ ଦେଶର ଗୋମାଂସ କାରଖାନା ବନ୍ଦ କରୁନ। ସେମାନଙ୍କଠାରୁ ନିର୍ବାଚନୀ ଚାନ୍ଦା କିଏ ନେଇଛି ପଚାରୁନ । ବୁଲାଗାଈଗୋରୁଙ୍କ ଦାୟିତ୍ୱ ନେଉନ। ଗୋଚର ଜମିର ସୁରକ୍ଷା କରୁନ। ଖାଲି ଠେଙ୍ଗାବାଡ଼ି ଧରି ମେଣ୍ଢା ଦଳ ଭଳି ନିଅସ୍ତ୍ର ଲୋକଙ୍କୁ ମାଡ଼ ମାରିଦେଲେ ଗୋ ସୁରକ୍ଷା ହେବନି, ହିନ୍ଦୁ ସୁରକ୍ଷା ହେବନି କି ଧର୍ମ ରକ୍ଷା ହେବନି ବୋଲି ଗ୍ରାମବାସୀ ନିଜର ରୋଷ ଝାଡ଼ିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.