ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ ପୁଝାରୀଗୁଡା ଠାରେ ବଞ୍ଜରା ସମାଜର ପାରମ୍ପରିକ ବାଲିଯାତ୍ରା ତିଜ୍ ଉଦଯାପିତ ହୋଇଯାଇଛି। ଗତ ତା ୦୯/୦୮/୨୦୨୪ ରିଖ ଠାରୁ ତା ୧୭/୦୮/୨୦୨୪ ରିଖ ପର୍ଯ୍ୟନ୍ତ ନଅ ଦିନ ଧରି ଚାଲି ଥିଲା ଏହି ପର୍ବ। ଏହି ବାଲିଯାତ୍ରା ବଞ୍ଜରା ସମାଜର ମୁଖ୍ୟ ପର୍ବ ହୋଇଥିବା ବେଳେ ବଞ୍ଜରା ଭାଷାରେ ଏହାକୁ ତିଜ୍ ପର୍ବ ବୋଲି କହିଥାନ୍ତି। ଏହି ପର୍ବକୁ ବଞ୍ଜରା ସମାଜର ଲୋକେ ନିଆରା ଢଙ୍ଗରେ ପାଳନ କରିଥାନ୍ତି। ବାଲିଯାତ୍ରା ବା ତିଜ୍ ପର୍ବ କୃଷିଭିତ୍ତିକ ହୋଇଥିବାରୁ ବଞ୍ଜରା ସମାଜର କୁମାରୀ ଝିଅମାନେ ବାଲି ଓ ମାଟିରେ ନଅ ପ୍ରକାର ଶସ୍ୟରେ ତିଜ୍ ବୁଣିଥାନ୍ତି ଏବଂ ପ୍ରତ୍ୟେକ ଦିନ ସକାଳୁ ଗାଧୁଆ ପାଧୁଆ ସାରି ହଳଦୀ, ଗୋରସ ଏମିତି ନଅ ପ୍ରକାର ପାଣି ଢାଳି ଥାନ୍ତି। ବଞ୍ଜରା ସମାଜର ମୁଖ୍ୟ ପୁଝାରୀ ବିଶୁ ନାଏକ ତାଙ୍କର ଇଷ୍ଟ ଦେବୀ ମାଁ ମେରାମାଙ୍କୁ ନଅ ଦିନ ଧରି ପୂଜାର୍ଚ୍ଚନା କରିଥାନ୍ତି। ନଅ ଦିନ ପର୍ଯ୍ୟନ୍ତ କାହାରି ଘରେ ଆମିଷ ରୋଷେଇ ହେଇ ନ ଥାଏ। ପ୍ରତ୍ୟେକ ଦିନ ଦିନ ଅପରାହ୍ନରେ ତିଜ୍ ପର୍ବ ପଡିଆରେ ସମାଜର ଯୁବକ ଯୁବତୀ, ପୁରୁଷ ମହିଳା ସମସ୍ତେ ମିଶି ବଞ୍ଜରା ସମ୍ପ୍ରଦାୟର ରୀତିନୀତି ଓ ସଂସ୍କୃତିକୁ ପାଥେୟ କରି ପାରମ୍ପାରିକ ବେଶ ପୋଷାକରେ ସଜ୍ଜିତ ହୋଇ ଡଣ୍ଡା ଓ ଲଢି ଖେଲ ଏବଂ ନାଚ ଗୀତରେ ମସଗୁଲ ହୁଅନ୍ତି। ଏହି ଉତ୍ସବର ଶେଷ ଦିନରେ ଯୁବକ ମାନେ ଗେଡି ଧିରିଥିବା ବେଳେ ଯୁବତୀ ମାନେ ଗେଡି ଉପରେ ଲାଠି ପ୍ରହାର କରି ମଜ୍ଜା ନିଅନ୍ତି।
ଏହି ଉତ୍ସବର ଷଷ୍ଠ ଦିନରେ ଜୟପାଟଣା ବ୍ଲକ ଜୋନ୍ ଦୁଇର ଜିଲ୍ଲା ପରିଷଦ ସଭ୍ୟ ଦେବ ପୁଝାରୀ ମୁଖ୍ୟ ଅତିଥି ଭାବେରେ ଯୋଗଦେଇ ଥିବା ବେଳେ ସପ୍ତମ ଦିନରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେରେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବଞ୍ଜରା ସମାଜର ସମ୍ପାଦକ ବୁଦ୍ଦିରାମ ନାଏକ, ଲଲିତ କୁମାର ନାଏକ, ଖଗେଶ୍ବର ନାଏକ ପ୍ରମୁଖ ଯୋଗଦେଇ ଥିଲେ। ଶେଷଦିନରେ ମାଁ ମାରା ମାଙ୍କ ଠାରେ ବଳି ପ୍ରଦାନ କରିଥିବା ବେଳେ ପୁରଷ ବ୍ୟକ୍ତି ପ୍ରସାଦ ଭାବରେ ଗ୍ରହଣ କରିଥିଲେ। ଶେଷରେ ସମସ୍ତ ପୂଜା ସାମଗ୍ରୀକୁ ନିକଟସ୍ଥ ନଦୀରେ ବିସର୍ଜନ କରାଯାଇଥିଲା।