ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ଶ୍ରାବଣର ଶେଷ ସୋମବାର। ଶୈବ ପୀଠରେ କାଉଡ଼ିଆଙ୍କ ଜଳାଭିଷେକର ଶେଷ ପାଳି। ତେଣୁ ଆଜି କଳାହାଣ୍ଡି ତଥା ଲାଞ୍ଜିଗଡ଼ର ବିଭିନ୍ନ ନଦୀର ଘାଟ ବେଶ୍ ଚଳଚଞ୍ଚଳ ହୋଇପଡ଼ିଥିଲା। ବୋଲ୍ ବମ୍ ହର୍ ହର୍ ବମ୍, ଭୋଲେ ବାବା ପାର୍ କରେଗା, ଜଟିଆ ବାବା ପାର୍ କରେଗା ଭଳି ନାରାବାଜି ଘାଟ ତଟରେ ଏକ ସ୍ବତନ୍ତ୍ର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।
ତେବେ କାଉଡ଼ିଆମାନେ ଜଳ ଭାର କାନ୍ଧେଇ ନଦୀ ଘାଟରୁ ବିଭିନ୍ନ ଶିବ ମନ୍ଦିର ଅଭିମୁଖେ ବାହାରିପଡ଼ିଥିଲେ। ଏବର୍ଷ ଶେଷ ସୋମବାରରେ ପଡ଼ୁଛି ପବିତ୍ର ଗହ୍ମା ପୂର୍ଣ୍ଣିମା। ତେଣୁ କାଉଡ଼ିଆଙ୍କ ପାଇଁ ବିଶେଷ ଦିନ। ଏଥିପାଇଁ ଆଜି ଅଞ୍ଚଳର ଶହ ଶହ କାଉଡ଼ିଆ ନଦୀରୁ ଜଳ ନେଇ ନିଜ ନିଜର ଗନ୍ତବ୍ୟ ପୀଠକୁ ଯାଇଥିଲେ। ସକାଳୁ ଏହି ଘାଟ ମାନଙ୍କରେ ଭିଡ଼ ଆରମ୍ଭ ହୋଇଯାଇଥିଲା।