ଏବିଡିଓଙ୍କୁ ଘେରିଲେ ହିତାଧିକାରୀ; ଫେଲ୍ ମାରିଲା ଅଭିଯୋଗ ଶୁଣାଣୀ!

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ବ୍ଲକ  ଡୁଙ୍ଗୁରିପାଲି ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ମଙ୍ଗଳବାର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା। କିନ୍ତୁ ବୈଠକ ଆରମ୍ଭ ପୂର୍ବରୁ ହିତାଧିକାରୀମାନେ ଦୀର୍ଘ ସମୟ ଧରି ଏବିଡିଓଙ୍କୁ ଘେରି ରଖିବା ସହ ହୋ ହାଲ୍ଲା କରି ପାଟିତୁଣ୍ଡ କରିଥିଲେ। ଯାହା ଫଳରେ ଅଭିଯୋଗ ଶୁଣାଣି ଫେଲ ମାରିଥିଲା।

ଏହି ଅଭିଯୋଗ ଶୁଣାଣିରେ ଆବାସ ଯୋଜନା ଓ ରେସନ କାର୍ଡ ପାଇଁ ଅତ୍ୟଧିକ ହିତାଧିକାରୀ ଫର୍ମ ଦାଖଲ କରିଥିବା ବେଳେ ଜମି ଉନ୍ନତିକରଣ ଓ ଗାଈଗୁହାଳ ନାଁରେ ଟଙ୍କା ଆତ୍ମସାତ ହୋଇଥିବା ଗୁରୁତର ଅଭିଯୋଗ ହୋଇଥିଲା। ଏପରିକି ଏବିଡିଓ ଶ୍ରୀ ମାଝୀ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟକୁ ବିଳମ୍ବରେ ପହଂଚିବାରୁ ହିତାଧିକାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଏହି ଅଭିଯୋଗ ଶୁଣାଣି ନାମକୁ ମାତ୍ର ହୋଇଥିବା ବେଳେ ହିତାଧିକାରୀମାନଙ୍କ କୋୖଣସି ପ୍ରକାର ସମାଧାନ ହୋଇପାରି ନ ଥିଲା। ଫଳରେ ହିତାଧିକାରୀମାନେ ପ୍ରଶାସନର ଖାମଖିଆଲି ନୀତିକୁ ନାପସନ୍ଦ କରିଛନ୍ତି।

ଗତ ୨୦୨୨-୨୩ ବର୍ଷରେ ଜଣେ ହିତାଧିକାରୀ ତାରା ସାହୁ ଗାଈଗୁହାଳ ନିର୍ମାଣ କରିଥିଲେ ମଧ୍ୟ ମାତ୍ର ୧୫ ହଜାର ଟଙ୍କା ମିଳିଥିବା ବେଳେ ବାକିଆ ଟଙ୍କା ଆତ୍ମସାତ କରାଯାଇଛି ବୋଲି ଅଭିଯୋଗ କରିଥିଲେ। ସେହିପରି କୁବେର ରଣା, ମଦନା ସାହୁ, ଗୋବିନ୍ଦ ସାହୁ, ଡାଳିମ୍ବ ସାହୁ, ଯୁଧିଷ୍ଠିର ସାହୁ, ଚନ୍ଦୁଲାଲ ସାହୁ ହିତାଧିକାରୀମାନେ ଜମି ଉନ୍ନତିକରଣ ଟଙ୍କାର ପାଉଣା ଆଜି ପର୍ଯ୍ୟନ୍ତ ମିଳିନାହିଁ। ଏପରିକି ହିତାଧିକାରୀମାନଙ୍କ ଠାରୁ ଜିଆରଏସ ଟଙ୍କା ଲାଞ୍ଚ ନେଇଥିବା ଏବିଡିଓ ଶ୍ରୀ ମାଝୀଙ୍କ ଠାରେ ଗୁରୁତର ଅଭିଯୋଗ ଉଠାଇଥିଲେ। ଏହା ସହିତ ଗତ ୨୦୨୩ ମସିହାର ଜୁନ ଓ ଜୁଲାଇ ମାସର ଭତ୍ତା ଟଙ୍କା ହିତାଧିକାରୀମାନଙ୍କୁ ଦିଆଯାଇ ନାହିଁ ବୋଲି ଅଭିଯୋଗ ହୋଇଥିଲା।

ଉକ୍ତ ଶୁଣାଣୀରେ ବିଡ଼ିଓଙ୍କ ଅନୁପସ୍ଥିତରେ ଅନେକ ବିଭାଗୀୟ ଅଧିକାରୀମାନଙ୍କ ଦେଖା ଦର୍ଶନ ମିଳି ନ ଥିଲା। ବୈଠକରେ ଏପିଓ ବନଜାବାସିନୀ ଦାସ, ଉଦ୍ୟାନ ବିଭାଗର ଦେବବ୍ରତ ନାୟକ, ଓଏଲଏମ ବିଭାଗର ଝୁଲଣା ବାଗ, ୱାଟର ସେଟ ବିଭାଗର ପ୍ରଦୂଷ ସାହୁ, ଆବାସ ଯୋଜନାର କିଶୋର ସାହୁ, ପିଇଓ ରହିମ ପ୍ରଧାନ, ଜିଆରଏସ ପାଣ୍ଡଵ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.