ମା’ ସର୍ବମଙ୍ଗଳା ଘାଟିମୁଣ୍ଡିଆଣି ଦେବୀଙ୍କ ଡଙ୍ଗର ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରାଚୀନ କାଳରୁ କଳାହାଣ୍ଡି ଭୂଖଣ୍ଡ ତାର ନିଆରା ଧର୍ମଧାରା ସହ ଉନ୍ନତ କଳା ସଂସ୍କୃତି ପାଇଁ ନିଜର ସ୍ୱତ୍ରନ୍ତ ପ୍ରତିପାଦନ କରିଥାଏ l ଜିଲ୍ଲା ର ଗ୍ରାମାଞ୍ଚଳରେ ଅନେକ ଦେବଦେବୀ ପ୍ରାଚୀନ ପରମ୍ପରା ଅନୁକ୍ରମେ ଉପାସିତ ହେବା ସହ ସେମାନଙ୍କ ଯାତ୍ରା ପର୍ବ ଅନୁଷ୍ଠିତ ହୋଇଥାଏ l ଆଦିବାସୀମାନେ ପ୍ରତିଟି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଦେବାଦେବୀ ମାନଙ୍କୁ ସୁମରଣ ନ କଲେ କୌଣସି କାମ ଆରମ୍ଭ କରିନଥାନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡାଠାରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ କେଉଁ ଏକ ଆବାହାନମାନ କାଳରୁ ମା’ ସର୍ବମଙ୍ଗଳା ଘାଟିମୁଣ୍ଡିଆଣୀ ଦେବୀ ପୂଜାପାଇ ଆସୁଛନ୍ତି। ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମା ପରେ ପଡୁଥିବା ମଙ୍ଗଳବାର ଦିନ ଦେବୀ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀଙ୍କୁ ପୂଜା କରାଯାଏ। ଗ୍ରାମ ପୁଝାରୀଙ୍କ ଗହଣରେ ଗୋତମୁଣ୍ଡା ଗ୍ରାମରୁ ପ୍ରାୟ ଅଢେ଼ଇ କିମି ରାସ୍ତା ଚାଲିଚାଲି କାଲିସି ଓ ଲାଠି ଯାତ୍ରାରେ ବାହାରି ଦେବୀଙ୍କ ଆସ୍ଥାନରେ ପହଞ୍ଚିଥାନ୍ତି। ଏହାପରେ ପୂର୍ବ ନିର୍ଦ୍ଧାରିତ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା।

ଏହି ଡଙ୍ଗରଯାତ୍ରାରେ ଶତାଧିକ ମାନସିକଧାରୀ ମା’ଙ୍କ ନିକଟରେ ଶୁକ୍ଳ ଭୋଗସହ ପାରା, କୁକୁଡା ଓ ବୋଦା ବଳି ଦେଇ ନିଜର ମାନସିକ ପୂରଣ କରୁଥିବାବେଳେ ପଶୁପକ୍ଷୀଙ୍କ ରକ୍ତରେ ଦେବୀଙ୍କ ପୀଠ ରକ୍ତରଞ୍ଜିତ ହୋଇଥାଏ । ପଡୋଶୀ ରାଜ୍ୟ ଛତିଶିଗଡ, ବସ୍ତର ଓ ନବରଙ୍ଗପୁର ଜିଲ୍ଲାରୁ ଶତାଧିକ ଶ୍ରଦ୍ଧାଳୁ ଏହି ଯାତ୍ରାକୁ ଆସିଥାନ୍ତି । ମା’ ସର୍ବମଙ୍ଗଳାଙ୍କ ପୁଝାରୀ ମନୋହର ପୁଝାରୀ ଦେବୀଙ୍କ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଥିବାବେଳେ ଶିରା ଦେବି ସିଂ ମାଝୀ, ଅଖିଳ ମାଝୀ, ରୁମାଞ୍ଚଳ ପୁଝାରୀ, ଗୁପ୍ତେଶ୍ୱର ପୁଝାରୀ, ଗଣନାଥ ପୁଝାରୀ, ଦୁର୍ଯ୍ୟୋଧନ ନାଗ, ହର ପଟେଲ, ଦ୍ରୋଣାଚାର୍ଯ୍ୟ ପୁଝାରୀ, ହେମନ୍ତ ମାଝୀ, ପୂର୍ଣ୍ଣ ଚନ୍ଦ୍ର ନାଏକ, ଭରତ ପୂଝାରି, ଯଦୁମଣୀ ଦୁର୍ଗା, ରତନ ମାଝୀ, ପାର୍ଥବ ମାଝୀ ସମେତ ଗ୍ରାମବାସୀ ପ୍ରମୁଖ ଘାଟିମୁଣ୍ଡିଆଣି ଡଙ୍ଗର ଯାତ୍ରାରେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ହଜାର ହଜାର ସଂଖ୍ୟାରେ ଶ୍ରଧାଲୁମାନେ ମାଙ୍କ ପାଖରେ ଶୁକ୍ଲଭୋଗ ସହ ରକ୍ତଭୋଗ ଅର୍ପଣ କରି ନିଜର ମାନସିକ ପୁରଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.