ଅନ୍ଵେଷାର ୧୦୪ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମ ମହୋତ୍ସବ ପାଳନ

ଓଡ଼ିଆ ବାର୍ତ୍ତା/ ସୁନ୍ଦରଗଡ଼: ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ପକ୍ଷରୁ ୧୦୪ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମଦିନ ପାଳନ କରାଯାଇଛି। ପ୍ରତି ମାସ ଭଳି ଏହି ମାସର ମାଗଣା ହାଟ ଜଳଦା ସି ବ୍ଲକ ସ୍ଥିତ ଅଙ୍ଗନବାଡି କେନ୍ଦ୍ର ଠାରେ ଆୟୋଜିତ ହୋଇଥିଲା। ଏଥିରେ ୪୦ ଜଣ ଗର୍ଭବତୀ ମହିଳାଙ୍କୁ ନୂତନ ଛତା ବଣ୍ଟନ କରାଯାଇଥିଲା। ଏହି ସେବା କାର୍ଯ୍ୟରେ ବସ୍ତିବାସୀଙ୍କୁ ଶୁଖିଲା ଖାଦ୍ୟ ସହ ଅନ୍ୟାନ ଘରୋଇ ଉପକରଣ ଏବଂ ବସ୍ତ୍ର ବଣ୍ଟନ ହୋଇଥିଲା। ଉପସ୍ଥିତ ଥିବା ସମସ୍ତ ବସ୍ତିବାସୀଙ୍କୁ କିଭଳି ବର୍ଷା ଦିନେ ନିଜର ଏବଂ ନିଜ ପରିବାରକୁ ବିଭିନ୍ନ ରୋଗରୁ ମୁକ୍ତ ରଖିବେ ସେନେଇ ଆଲୋଚନା ହୋଇଥିଲା। ଏହି ପରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଲାଠିକଟା ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟକୁ ଯାଇ ସେଠାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହ ଜନ୍ମଦିନ ପାଳନ କରିଥିଲେ। ସେଠାରେ ଥିବା ଛାତ୍ର ଛାତ୍ରୀ ମାନେ ଭଜନ ଗାଇଥିଲେ ଏବଂ ବାଦ୍ୟ ଯନ୍ତ୍ର ବଜାଇ ଥିଲେ। ଅନୁଷ୍ଠାନର ସଦସ୍ୟା ମାନସୀ ଦେ କୃଷ୍ଣ ବନ୍ଦନା କରିଥିଲେ ଏବଂ କବି ଉପେନ୍ଦ୍ର ବସ୍ତିଆ ପିଲା ମାନଙ୍କ ପାଇଁ କବିତା ପାଠ କରିଥିଲେ।

ଅନୁଷ୍ଠାନର କୋଷାଧକ୍ଷ ଦିବାକର ଦାସ ପିଲାମାନେ କିଭଳି ଭବିଷ୍ୟତରେ ନିଜ ଗୋଡ଼ରେ ଛିଡା ହୋଇ ପାରିବେ ସେନେଇ ଆଲୋକପାତ କରିଥିଲେ।  ଉପସଭାପତି ରଶ୍ମିତା ପଣ୍ଡା ଗଳ୍ପ ମାଧ୍ୟମରେ ପିଲାମାନେ ନିଜ ଭିତରେ ଥିବା ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ପାଇଁ ମାର୍ଗଦର୍ଶନ ଦେଇଥିଲେ। ପିଲାମାନେ ଅନୁଷ୍ଠାନର କଲଚରାଲ ସେକ୍ରେଟାରୀ ରୋବେର୍ଟ ହାଇଫିଲ ନିଜେ ବାନେଇଥିବା କେକ କାଟିଥିଲେ ଏବଂ ମଧ୍ୟାହ୍ନ ଭୋଜନ କରିଥିଲେ। ଅନୁଷ୍ଠାନର ତରୁଲତା ସାମଲ, ରଞ୍ଜନ ସାହୁ, ସତ୍ୟମ ମୋଦକ, ରାମଚନ୍ଦ୍ର ଜେନା, ଅଜୟ ନାୟକ, ମାନସୀ ଘୋଷ ଏବଂ ଦେବୀକା ଘୋଷ ସହଯୋଗ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ନାୟକ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଶାନ୍ତ ପାତ୍ର, ବାସନ୍ତୀ ମହାନ୍ତି, ମଞ୍ଜୁବାଳା ପାଢ଼ୀ, ରାକେଶ ସିଂ ଏବଂ ସି.ଚୈତନ୍ୟ ଉପସ୍ଥିତ ନଥାଇ ମଧ୍ୟ ଏହି ସେବା କାର୍ଯ୍ୟକୁ ପରୋକ୍ଷ ଭାବେ ସାହାଯ୍ୟ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନର ଟ୍ରଷ୍ଟି ଚେୟାରମାନ ରାଜେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱ ଏବଂ ପ୍ରତ୍ୟକ୍ଷ ତତ୍ଵାବଧାନରେ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.