ବେଦାନ୍ତ ପ୍ରୋସେସ ୱାଟର ଲେକ ଭାଙ୍ଗିବା ଘଟଣା: କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ଦଳିତ ଆଦିବାସୀ ମହାସଂଘ କର୍ମକର୍ତ୍ତା

ବେଦାନ୍ତ ମୁଖ୍ୟ ପରିଚାଳନା ଅଧିକାରୀ, ସୁରକ୍ଷା ଓ ପରିବେଶ ବିଭାଗ ମୁଖ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ଠାରେ ବେଦାନ୍ତ ଲିମିଟେଡ଼ର ପ୍ରୋସେସ ୱାଟର ଲେକ ହୁଡ଼ା ଭାଙ୍ଗିବା ଘଟଣାକୁ ଆଜି ଚାରିଦିନ ବିତିଛି। ବିଷାକ୍ତ କଷ୍ଟିକ ପାଣି ବଢିପାଣି ଭଳି ବହିଯିବାରୁ ଲାଞ୍ଜିଗଡ଼, ଛତ୍ରପୁର, ବାତେଲିମା, ଚମ୍ପାଦେଇପୁର ସମେତ ରାୟଗଡ଼ା ଜିଲ୍ଲା ପାଇକ ରାଣୀପିଣ୍ଡା, ଶିବପଦର ଆଦି ପଞ୍ଚାୟତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶହଶହ ଏକର ଜମିରେ ବିଷାକ୍ତ କଷ୍ଟିକ ପାଣି ମାଡିଯିବାରୁ ଧାନ, କପା ଫସଲ ସହିତ ନୀଳଗିରି ବଗିଚା ସବୁ ନଷ୍ଟ ହୋଇଛି। ସେହିପରି ଲାଞ୍ଜିଗଡ଼ ଦେଇ ପ୍ରବାହିତ ବଂଶଧାରା ନଦୀରେ ବିଷାକ୍ତ କଷ୍ଟିକ ପାଣି ମିଶିଯିବାରୁ ଶହ ଶହ କିଲୋମିଟର ବ୍ୟାପି ନଦୀଜଳ ବିଷାକ୍ତ ହୋଇଯାଇଥିଲା। ଯାହା ଫଳରେ ଲାଞ୍ଜିଗଡରୁ ବିଷମକଟକ ପର୍ଯ୍ୟନ୍ତ ମାଛ, ବେଙ୍ଗ ଆଦି ଲକ୍ଷାଧିକ ଜଳଚର ଜୀବ ମରି ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ବଂଶଧାରା ନଦୀକୂଳରେ ଥିବା ଗାଁଗୁଡ଼ିକରେ ମଣିଷ ଓ ଗାଈଗୋରୁଙ୍କ ଜୀବନ ପ୍ରତି ମୁହୂର୍ତ୍ତରେ ବିପଦରେ ଥିବାବେଳେ ନଦୀରୁ ପାନୀୟ ଜଳ ଯୋଗାଣ ହେଉଥିବା ଗାଁ ଗୁଡ଼ିକରେ ଭାଳେଣି ପଡିଛି। ତେବେ ଆଜି ବି ବେଦାନ୍ତ କର୍ତୃପକ୍ଷଙ୍କ ଉଦାସୀନତା କ୍ଷତିଗ୍ରସ୍ତ ଲୋକଙ୍କ ରୋଷ ବୃଦ୍ଧିର କାରଣ ପାଲଟିଛି।

Omkar Vasthu
Omkar Vasthu

ବେଦାନ୍ତ ଦ୍ୱାରା ପ୍ରଭାବିତ ବିଭିନ୍ନ ଗାଁରେ ଧିରେ ଧିରେ ଜନ ଆକ୍ରୋଶ ବଢ଼ିବାରେ ଲାଗିଛି। ସେହିପରି ରାଜନେତା, ବିଭିନ୍ନ ସଂଗଠନ ପକ୍ଷରୁ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହିତ ଆନ୍ଦୋଳନ ଚେତାବନୀ ଦେବା ଯୋଗୁଁ ବେଦାନ୍ତ କର୍ତୃପକ୍ଷଙ୍କ ମୁଣ୍ଡବ୍ୟଥା ବଢିଯାଇଛି। ଆଜି କଳାହାଣ୍ଡିର ଅଗ୍ରଣୀ ସାମାଜିକ ସଂଗଠନ ଦଳିତ ଆଦିବାସୀ ମହାସଂଘର ଏକ ତିନିଜଣିଆ ପ୍ରତିନିଧି ଦଳ ବିଷାକ୍ତ କଷ୍ଟିକ ପାଣି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ଲୋକଙ୍କ ସହିତ ଆଲୋଚନା କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଦଳିତ ଆଦିବାସୀ ସଙ୍ଘର ସଭାପତି ବିଶିଷ୍ଟ ଆଦିବାସୀ ନେତା ପରମାନନ୍ଦ ମାଝୀ, କାର୍ଯ୍ୟକାରୀ ସଭାପତି ତଥା ସମାଜସେବୀ ଧର୍ମେନ୍ଦ୍ର ନାଏକ, ମହାସଚିବ ଦେବୀ ପ୍ରସାଦ ସିନ୍ଦୁର ପ୍ରମୁଖ ପ୍ରଭାବିତ ଲାଞ୍ଜିଗଡ଼, ଛତ୍ରପୁର, ବାତେଲିମା ପଞ୍ଚାୟତର ବିଭିନ୍ନ ଗାଁ ଗସ୍ତ କରିବା ସହିତ ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରିଥିଲେ। ସେହିପରି କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ବେଦାନ୍ତ କର୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ଲୋକଙ୍କ ଉଦାସୀନତାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରାଯାଇଥିଲା। ସେହିପରି ଏହି ପ୍ରତିନିଧି ଦଳ ପ୍ରୋସେସ ୱାଟର ଲେକ ପରିଦର୍ଶନ କରି ହୁଡ଼ା ତିଆରିରେ ନିମ୍ନମାନର କାମ, ସୁରକ୍ଷା ଓ ପରିଚାଳନାରେ ତ୍ରୁଟି ଆଦି ବିଷୟ ଦେଖିଥିବା କହିଥିଲେ।

ସେହିପରି ବେଦାନ୍ତ ମୁଖ୍ୟ ଫାଟକ ନିକଟରେ ଗଣମାଧ୍ୟମ ସହିତ ଆଲୋଚନାବେଳେ ବେଦାନ୍ତ କଷ୍ଟିକ ପୋଖରୀ ଭାଙ୍ଗିବା ଦୈବୀ ଦୁର୍ବିପାକ ନୁହେଁ ଏହା ମନ୍ୟୁଷକୃତ ବିଷାକ୍ତ ବନ୍ୟା ବୋଲି କହିବା ସହିତ ଏଥିରେ ସମ୍ପୃକ୍ତ ତଥା ଦାୟିତ୍ୱରେ ଅବହେଳା ଯୋଗୁଁ ବେଦାନ୍ତ ମୁଖ୍ୟ ପରିଚାଳନା ଅଧିକାରୀ ପ୍ରଣବ ଭଟ୍ଟାଚାର୍ଯ୍ୟ, ସୁରକ୍ଷା ଓ ପରିବେଶ ମୁଖ୍ୟ ହର୍ଷବର୍ଦ୍ଧନ ପାଣ୍ଡେଙ୍କୁ ଚାକିରିରୁ ବହିଷ୍କାର କରିବା ସହିତ କଷ୍ଟିକ ପୋଖରୀ ନିର୍ମାଣ ଓ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଏନେଇ ମହାସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ଦେବା ସହିତ ଖୁବଶୀଘ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଜ୍ୟ ଖଣି ବିଭାଗ ମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ତଥା ରାଜ୍ୟ ପ୍ରଦୂଷଣ ବୋର୍ଡ ଏପରିକି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହେବେ ବୋଲି ସୂଚନା ଦିଆଯାଇଛି। ସେହିପରି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଆସନ୍ତା ପନ୍ଦର ଦିନ ମଧ୍ୟରେ ବେଦାନ୍ତ କୌଣସି ପଦକ୍ଷେପ ନନେଲେ ମହାସଂଘ ଭୟାବହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.