ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ: ଅପରାଜିତା ପୂଜନ

ଅପୂର୍ବ ପୁଷ୍ପଟିଏ ନାମ ତାହାର ଅପରାଜିତା। ଏହି ପୁଷ୍ପର ନାମ ଯେମିତି କାମ ମଧ୍ୟ ସେମିତି, ଏହାର  ନାମରେହିଁ ରହିଛି ଜୟ ଓ ସାର୍ଥକତା। ଏଣୁ ନାମ  ତାହାର ହୋଇଛି ଅପରାଜିତା, ଏହାର ଅନ୍ୟନାମ ନୀଳ କଣ୍ଠ, ଶଙ୍ଖ ପୁଷ୍ପ ଓ ଗୋକର୍ଣ୍ଣ। ଦେବ ଦେବ ମହାଦେବଙ୍କର ମଧ୍ୟ  ଅନ୍ୟନାମ ନୀଳକଣ୍ଠ। ଏହି  ଫୁଲର ମାଆ ଦୁର୍ଗାଙ୍କ ସହ ସମ୍ପର୍କ ରହିଛି। ମାଆ ସର୍ବଦା ଅପରାଜିତା। ସଂସାରର ସଙ୍କଟ କାଳରେ ଜଗଜ୍ଜନନୀ ମାଆ ଦୁର୍ଗାହିଁ ଭରସା। ମାଆ ଦୁର୍ଗତି ପୀଡ଼ିତ ସମସ୍ତ ଜୀବଙ୍କ ଦୁର୍ଗତି ଦୂର କରିବାପାଇଁ  ସମର୍ଥ। ତେଣୁ ମାଆ ନାମ ବହିଛନ୍ତି ଦୁର୍ଗା, ଦୁର୍ଗତି ନାଶିନୀ। ମାଆ ପରାଶକ୍ତି ଶକ୍ତି ମୟୀ। ଦୁନିଆଁର କୌଣସି ଶକ୍ତି, ମାଆଙ୍କୁ ପରାଜିତ କରିବା ନିମନ୍ତେ  ସମର୍ଥ ନୁହେଁ। ତେଣୁ ମାଆ ଦୁର୍ଗାଙ୍କର ଅନ୍ୟନାମ ଅପରାଜିତା। ମାଆ ଅପରାଜିତାଙ୍କର ତେଣୁ ଏହି  ଅପରାଜିତା ଫୁଲ ଅତ୍ୟନ୍ତ ପ୍ରୀୟ। ମହାଦେବଙ୍କର  ମାଆ ଶକ୍ତି ହୋଇ ଥିବାରୁ ଅପରାଜିତା ଫୁଲ ମଧ୍ୟ ମହାଦେବଙ୍କ ଅତିପ୍ରୀୟ ଅଟେ। ଶାରଦୀୟ ଦୁର୍ଗା ପୂଜାର ଅନ୍ତିମ ପର୍ବ ଅପରାଜିତା ପୂଜନ। କୁହାଯାଏ ମାଆ ଅପରାଜିତାଙ୍କ ପୂଜନ ଚତୁର୍ଯୁଗ ଆରମ୍ଭ ପୂର୍ବରୁ ରହିଛି। ଶ୍ରୀବ୍ରହ୍ମା ଓ ବିଷ୍ଣୁ ସଦାସର୍ବଦା ମା’ ଅପରାଜିତାଙ୍କ ଧ୍ୟାନ କରିଥାନ୍ତି। ଶାରଦୀୟ ଦୁର୍ଗା ପୂଜାର ଅନ୍ତିମ ଦିନ ଦଶମୀରେ ମାଆଙ୍କୁ ବିଦାୟ ଦେବା ପାଇଁ ଏହି ପୂଜା ଅନୁଷ୍ଠିତ  ହୋଇଥାଏ। ମାଆଙ୍କର ଆରାଧନା ଅପରାଜିତା ପୂଜାବିନା ଅଧୁରା ରହିଯାଏ। ଅପରାଜିତା ପୂଜନ ଦ୍ୱାରା ମାଆ ତୁଷ୍ଟା ହୋଇ, ଯଜମାନକୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି, ‘ସର୍ବ ବିଜୟୀ ଭଵ’। ବିବାହିତା ମହିଳା ମାନେ ଅପରାଜିତା ପୂଜାରେ ମା’ ଦୁର୍ଗାଙ୍କୁ ସିନ୍ଦୁର ଅର୍ପଣ କରି ଅକ୍ଷୟ ସୁହାଗବତୀ ହେବାର ଆଶୀର୍ବାଦ କାମନା କରିଥାନ୍ତି। ପାଣ୍ଡଵମାନେ ବିରାଟ ରାଜଧାନୀରେ ଅଜ୍ଞାତବାସ ନିମନ୍ତେ ପ୍ରସ୍ତୁତ ହେଉଥିବାବେଳେ ଅର୍ଜୁନ ସ୍ମଶାନ ନିକଟ ଏକ ସମ୍ମି ବୃକ୍ଷରେ ଅସ୍ତ୍ର ଶସ୍ତ୍ର ଲୁଚାଇ ରଖୁ ଥାନ୍ତି। ସେହିଠାରେ ମାଆ ଦୁର୍ଗା ଆବିର୍ଭୁତା ହୋଇ ଯୁଧିଷ୍ଠିରଙ୍କୁ ନିର୍ବିଘ୍ନ ଅଜ୍ଞାତ ବାସ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ, ଏଣୁ ସମୀବୃକ୍ଷ ମାଆଙ୍କ ବାସ ସ୍ଥାନ ମନେ କରି, ବିଜୟା ଦଶମୀ ଦିନ ସମୀବୃକ୍ଷ ପୂଜନ ଵିଧି ଅଛି। ମା’ ଅପରାଜିତାଙ୍କ ପୂଜା ମନ୍ତ୍ର  ହେଉଛି :-

“ଇମାଂ ପୂଜାମ୍ ମୟାମ୍ ଦେବୀ ଯଥାଶକ୍ତି ନିବେଦିତାମ୍।

ରକ୍ଷାର୍ଥ ତୁ ସମାଦାୟ ବ୍ରଜସ୍ୱ ସ୍ଥାନମୁତ୍ତମମ୍।।

ହାରେଣ ତୁ ବିଚିତ୍ରେଣ ଭାସ୍ଵକ୍ତ କନକମେଖଳା।

ଅପରାଜିତା ଭଦ୍ରରତା କରୋତୁ ବିଜୟଂ ମମଃ।।”

ଆମ ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କନ୍ଦାକଟା କରିଥାଆନ୍ତି। ଏହା ମାଆଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଶ୍ରଦ୍ଧାର ପରିଚାୟକ। ଅପରାଜିତା ଫୁଲ ଭାରତର ପ୍ରାୟ ସବୁ ସ୍ଥାନରେ ମିଳି ଥାଏ। ଏହା ଏକ ସବୁ ଦିନିଆ ପୁଷ୍ପ ଓ ବର୍ଷ ସାରା ଉପଲବ୍ଧ ହୋଇ ଥାଏ। ଅପରାଜିତା ଫୁଲ ଖାଲି ମହାଦେବ ଓ ଅମ୍ବିକାଙ୍କ ପ୍ରୀୟଫୁଲ ନୁହେଁ। ଅଧିକନ୍ତୁ, ଏହା ହନୁମାନ, ଗ୍ରହ ରାଜ ଶନି, ମାଆ  ଲକ୍ଷ୍ମୀ ଓ ଶ୍ରୀମନ ନାରାୟଣଙ୍କର ମଧ୍ୟ ଅତି ପ୍ରୀୟ ଫୁଲ ଅଟେ। ଏହି ସୁନ୍ଦର ଫୁଲର ବହୁ ଦିବ୍ୟ ଓ ଚମତ୍କାରୀ ଗୁଣ ରହିଛି। ଅପରାଜିତା ନଜର ଦୋଷ ଓ ତନ୍ତ୍ର ମନ୍ତ୍ର ଦୋଷକୁ ଦୂର କରିଥାଏ। ଶନିବାର ଦିନ ଅପରାଜିତା ଫୁଲ ମାଳାକରି ରାତ୍ରି ସମୟରେ ଘର ପ୍ରବେଶ ଦ୍ୱାରରେ ଟଙ୍ଗାଇଲେ ଭୁତପ୍ରେତଙ୍କ ଭୟ ଦୂର ହୋଇଥାଏ। ଅପରାଜିତା ଫୁଲମାଳାକୁ ଦୁଆରରେ ଟଙ୍ଗାଇଲେ  ଗୃହ ମଧ୍ୟରେ ଥିବା ସମସ୍ତ ପ୍ରକାରର ନକାରାତ୍ମକ ଉର୍ଜାର ବିନାଶ ହୋଇଥାଏ ଓ ସକାରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ। ଏହା ଦ୍ୱାରା ମନୁଷ୍ୟ ଜୀବନର ଧନର ସମସ୍ତ ସମସ୍ୟା ଦୂର ହୋଇଥାଏ। ସୋମବାର ରାତ୍ରିରେ ପାଞ୍ଚୋଟି ଅପରାଜିତା ଫୁଲ ପାଞ୍ଚସପ୍ତାହ ଧରି ନଦୀସ୍ରୋତରେ ପ୍ରବାହ ଦେଲେ ମନୁଷ୍ୟ କରଜମୁକ୍ତ ହୋଇ ଧନର ଆଗମ ହୋଇ  ଥାଏ ବୋଲି ବିଶ୍ୱାସ କରାଯାଏ। ଏହାଦ୍ଵାରା ନୂଆ ନୂଆ କାର୍ଯ୍ୟକୌଶଳ ଏବଂ ଉନ୍ନତିର ସମସ୍ତ ବାଟ ଖୋଲି ଯାଇଥାଏ। ପ୍ରତ୍ୟହ ମାଆ ଦୂର୍ଗା କିମ୍ବା ମାଆ ପାର୍ବତୀଙ୍କୁ ୧୧ଟି ଅପରାଜିତା ଫୁଲ ଅର୍ପଣ କଲେ ସର୍ବ ମନୋବାଞ୍ଛା ପୂରଣ ହୋଇଥାଏ। ଯଦି ଏହା ସବୁ ଦିନ କରିବା  ସମ୍ଭବ ନ ହୁଏ ତେବେ ନବରାତ୍ରିର ନଅଦିନ ଯାଏ  କଲେ ସୁଫଳ ମିଳିଥାଏ। ଯଦି ନବରାତ୍ରରେ କରି  ନପାରନ୍ତି ତେବେ ୨୧ ମଙ୍ଗଳବାର ମାଆଙ୍କୁ ଏହା ଅର୍ପଣ କରିବା ଦ୍ୱାରା ଇପ୍ସିତଫଳ ମିଳିଥାଏ। ଶନିବାର କିମ୍ବା ମଙ୍ଗଳବାର ଅପରାଜିତା ଫୁଲକୁ  ହନୁମାନଙ୍କୁ ଅର୍ପଣକଲେ ଅର୍ଥର ସମସ୍ତ ସମସ୍ୟା ଦୂର ହୋଇ ଥାଏ। ଅପରାଜିତା ଶନି ଦେବଙ୍କର ପ୍ରୀୟ ପୁଷ୍ପ। ଏଣୁ ଏ ଫୁଲରେ ଶନି ମହା ଗ୍ରହଙ୍କ ପୂଜା କଲେ ତାଙ୍କର କୃପା ମିଳିଥାଏ।ଆମ ଆୟୁର୍ବେଦ ଶାସ୍ତ୍ରରେ ଅପରାଜିତାର ବହୁବିଧ  ଔଷଧିୟ ଗୁଣର ବର୍ଣ୍ଣନା ରହିଛି। ଏହି ଫୁଲ କଟୁ କଷାୟ ଓ ତିକ୍ତ ରସ ଯୁକ୍ତ। ଏହା କଣ୍ଠ ଶୋଧକ, ଶୀତବୀର୍ଯ୍ୟ ହ୍ରାସକ, ସ୍ମରଣଶକ୍ତି ବର୍ଦ୍ଧକ, ଦୃଷ୍ଟିଶକ୍ତି ବର୍ଦ୍ଧକ ଓ ଜ୍ୱର, କାଶ, ଶୂଳ, ଆମଦୋଷ, ବ୍ରଣ, ବିଷ  ଶୋଥ, କୁଷ୍ଠ ଇତ୍ୟାଦି ରୋଗର ବିନାଶକ ଅଟେ। ଏହାର ଚେର ସର୍ପକୁ ଦୂରରେ ରଖିଥାଏ ବୋଲି ମାନ୍ୟତା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.