ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ଆଜି ଦ୍ଵିତୀୟ ଦିନରେ ଲାଞ୍ଜିଗଡ଼ ବ୍ଲକ ଗସ୍ତ କରିବା ସହିତ ବିଭିନ୍ନ ପ୍ରକଳ୍ପର ପରିଦର୍ଶନ କରିଛନ୍ତି।
ଶ୍ରୀ ଲୋହାନୀ ଆଜି ଭବାନୀପାଟଣାରୁ ବାହାରି ଭଟାଙ୍ଗପଦର ଦେଇ ଲାଞ୍ଜି ପଞ୍ଚାୟତର ଚର୍ଚ୍ଚିତ ବିକାଶ ନଗର ପରିଦର୍ଶନ କରିଥିଲେ। ପାହାଡ଼ ଉପରେ ବସବାସ କରୁଥିବା ଉପର ନଙ୍ଗଳବାହାଲିର ୧୨ଟି ଆଦିବାସୀ ପରିବାରକୁ ପାହାଡ଼ ତଳେ ଥଇଥାନ କରିବାକୁ ତତ୍କାଳୀନ ବିଡିଓ ଜିତେନ୍ଦ୍ର ମିଶ୍ରଙ୍କ ଦ୍ୱାରା ବିକାଶ ନଗରର ପରିକଳ୍ପନା କରାଯାଇଥିବାବେଳେ ଆଜି ଏହାର ସଫଳ ରୂପରେଖ ଦେଖି ବେଶ ଖୁସି ବ୍ୟକ୍ତ କରିଥିଲେ ଶ୍ରୀ ଲୋହାନୀ।
ଏହାପରେ ଶ୍ରୀ ଲୋହାନୀ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହିତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ନାଗରିକ କମିଟି ପକ୍ଷରୁ ଡାକ୍ତରଙ୍କ ଅବହେଳା, ବିପର୍ଯ୍ୟସ୍ତ ରୋଗୀସେବା ନେଇ ଅଭିଯୋଗ କରିବା ସହିତ କଳାହାଣ୍ଡି ପୂର୍ତ୍ତ ବିଭାଗ ଦ୍ୱାରା ନିମ୍ନ ମାନର କାମକୁ ନେଇ ଅଭିଯୋଗ କରିଥିଲେ। ଏହାପରେ ଶ୍ରୀ ଲୋହାନୀ ବିଶ୍ୱନାଥପୁର ପଞ୍ଚାୟତ ସୀତାପୁରସ୍ଥିତ ବସୁଧା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରିଥିଲେ।
ସେଠାରୁ ଚମ୍ପାଦେଇପୁର ପଞ୍ଚାୟତ ସାପୁଲକୁଚାସ୍ଥିତ ଅମୃତ ସରୋବର ପରିଦର୍ଶନ କରିଥିଲେ। ସେଠାରୁ ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର ଗସ୍ତ କରିବା ସହିତ କୁଟିଆ କନ୍ଧ ଜନଜାତିର ପୁରୁଷ ଓ ମହିଳାଙ୍କ ସହିତ ଆଲୋଚନା କରିଥିଲେ। ଶ୍ରୀ ଲୋହାନୀଙ୍କ ସହିତ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମାନ ଚକମା,
ସିଡିଏମଓ ସୁଚେତା ପାଣି, ଡିପିଏମଓ ଭବାନୀ ଶଙ୍କର ସାହୁଙ୍କ ସମେତ ଲାଞ୍ଜିଗଡ ବ୍ଲକ ବିଡ଼ିଓ ଶଶାଙ୍କ ପାତ୍ର, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ମେଡିକାଲ ଅଫିସର ଡା. ଭବାନୀ ଶଙ୍କର ଲେଙ୍କାଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।