● ଏହି ଆମ ପ୍ରାଥମିକ ଶିକ୍ଷାର ଚିତ୍ର : କାହାକୁ କହିବା କପାଳରେ ସିନା କର ତାଡିବା
ଲାଞ୍ଜିଗଡ଼,୧୪/୭ : ପ୍ରାଥମିକ ଶିକ୍ଷା ପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଉତ୍ତମ ଶୈଖିକ ପରିବେଷ, ସ୍କୁଲ କୋଠା ନିର୍ମାଣ, ଅଧିକରୁ ଅଧିକ ଶିକ୍ଷକ ନିଯୁକ୍ତି, ଶିକ୍ଷକ ତାଲିମ ଆଦି ସହ ପିଲାଙ୍କୁ ବହିପତ୍ର, ଡ୍ରେସ, ମଧ୍ୟାନ୍ନ ଭୋଜନ, ବୁଟ୍, ମୋଜା, ଷ୍ଟାଇଫେନ ଆଦି ଯୋଗାଇ ଦିଆଯାଉଛି କିନ୍ତୁ କାହିଁକି ସୁଧୁରୁନାହିଁ ପ୍ରାଥମିକ ଶିକ୍ଷାର ଗତି ରୁପ । ଆଜିବି ଅନେକ ସ୍ଥାନରେ ଗଛ ତଳେ, ବାରନ୍ଦାରେ ତ କେଉଁଠି ବିପଦ ସଂକୂଳ ସ୍କୁଲ ଘରେ ଚାଲିଛି ପାଠପଡା । କିନ୍ତୁ ଆଜି ଆମେ ଆପଣଙ୍କ ଆଗରେ ଉପସ୍ଥାପନ କରୁଛୁ ଏପରି ଏକ ବିଦ୍ୟାଳୟର ଚିତ୍ର ଯେଉଁଠି ପ୍ରଧାନମନ୍ତ୍ରୀ ଆବାସ ଗୃହରେ ଚାଲିଛି ପାଠପଡା ।
● ସାପଚଞ୍ଚଡା ପ୍ରାଥମିକ ବିଦ୍ୟାଳୟର କାହାଣୀ : ଯେଉଁଠି ପ୍ରଧାନମନ୍ତ୍ରୀ ଆବାସରେ ଚାଲେ ପାଠପଢା
କଳାହାଣ୍ଡି ଜିଲ୍ଲାର ଚିର ଅବହେଳିତ, ଆଦିବାସୀ ଅଧ୍ୟୁସିତ, ମାଓ ପ୍ରବଣ ଲାଞ୍ଜିଗଡ଼ ବ୍ଲକରେ କିପରି ଅଛି ପ୍ରାଥମିକ ଶିକ୍ଷାର ଗତି ତାହା ସୂଚିତ କରାଇଦେବାକୁ ଯଥେଷ୍ଟ ହେବ ସାପଚଞ୍ଚଡା ପ୍ରାଥମିକ ବିଦ୍ୟାଳୟ । ଏଠି ବିଦ୍ୟାଳୟ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଆବାସ ଗୃହରେ ଚାଲିଛି ମଣିଷ ତିଆରି କାରଖାନା । ତ୍ରିଲୋଚନପୁର ପଞ୍ଚାୟତ ଅଧିନସ୍ଥ ସାପଚଞ୍ଚଡା ବିଦ୍ୟାଳୟରେ କୋଠା ବିପଦ ସଂକୁଳ ଅବସ୍ଥାରେ ରହିଥିବାରୁ ଆଜିକୁ ପ୍ରାୟ ୮ବର୍ଷ ହେବ ଛାତ୍ରଛାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଦ୍ୟାଳୟର ଅବସ୍ଥା ଦେଖି ଆଜକୁ ପ୍ରାୟ ୧୦ ବର୍ଷ ତଳେ ନୂତନ କୋଠା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହେଲା । ତତ୍କାଳିନ ପ୍ରଧାନ ଶିକ୍ଷକଙ୍କ ଦାଇତ୍ୱରେ କୋଠା ନିର୍ମାଣ ଚାଲିଲା କିନ୍ତୁ ସେହି ପ୍ରଧାନ ଶିକ୍ଷକ ଠିକାଦାରି ନିତିରେ ବିଦ୍ୟାଳୟ ତିଆରି କରିବା ଆରମ୍ଭ କରିଦେଲେ । ଫଳ ସ୍ବରୂପ ସଂପୂର୍ଣ୍ଣ ହୋଇପାରିଲାନି କୋଠା, ଅଧାପନ୍ତରିଆ ଛାଡି ଦେଇ ଆରାମରେ ବସି ରହିଲେ ସେହି ପ୍ରଧାନ ଶିକ୍ଷକ ମହୋଦୟ । ଅଧପନ୍ତରିଆ ସ୍କୁଲ କୋଠାରେ ଛାତ୍ରଛାତ୍ରୀ ମାନେ ଜୀବନ ଭୟରେ ବସିକି ପାଠ ପଢୁ ଥିଲେ। ଏହି ନୂତନ କୋଠା ନିର୍ମାଣ ହେବା ଦିନଠାରୁ କୋଠାରେ ପାଣି ଗଲୁଥିଲା। ମଝିମଝିରେ ଛାତରୁ ଚକଡ଼ା ସବୁ ଖସୁଥିଲା।ଛାତ୍ରଛାତ୍ରୀ ମାନେ କୌଣସି ଉପାୟ ନ ପାଇ ବାଧ୍ୟହୋଇ ସେହି ଘରେ ପାଠ ପଢୁଥିଲେ।
● ବାର ଦ୍ବାର ଶୁଣ୍ଢି ପିଣ୍ଡା ହେଉଛନ୍ତି ଶିଶୁ
● ଅାଜି ଏହାର କାଲି ତାହାର ଘରେ ହୋଇ ଶିକ୍ଷା ଗ୍ରହଣ କରୁଛନ୍ତି ଆସନ୍ତା କାଳିର ନାଗରିକ
ବିବାରଣୀରୁ ପ୍ରକାଶ ଯେ ପାଞ୍ଚଶ୍ରେଣୀ ବିଶିଷ୍ଟ ଏହି ବିଦ୍ୟାଳୟ ରେ ୩୬ଜଣ ଛାତ୍ରଛାତ୍ରୀ ପାଠ ପଢୁ ଛନ୍ତି। ୫ଟି ଶ୍ରେଣୀ ପାଇଁ ଏହି ଗୃହ ବିପଦ ସଂକୁଳ ଅବସ୍ଥାରେ ଥିବା ବେଳେ ଶିକ୍ଷକ ଅଛନ୍ତି ୨ଜଣ। ଛାତରୁ ଚକଡ଼ା ସିମେଣ୍ଟ ଖଣ୍ଡ ମାନ ଖସିବା ଦେଖିଅଭିଭାବକ ମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ତେଣୁ ଗତ ୨୦୧୮ ଜୁଲାଇରେ ଶିକ୍ଷାବର୍ଷ ଆରମ୍ଭରେ ଲାଞ୍ଜିଗଡ ବ୍ଲକ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାଏକଙ୍କ ନିର୍ଦ୍ଧେଶ କ୍ରମେ ସାପଚଞ୍ଚଡାର ଚକ୍ର ମାଝୀଙ୍କ ଇନ୍ଦିରା ଆବାସ ଗୃହରେ ପାଠପଢା ଚାଲିଥିଲା । ବର୍ଷେ ପାଇଁ ଚକ୍ର ନିଜ ଗୃହକୁ ଭଡା ହିସାବରେ ମାସକୁ ୫ଶହ ଟଙ୍କା ଦେବାପାଇଁ ଶିକ୍ଷା ଅଧିକାରୀ କହିଥିଲେ। କିନ୍ତୁ ଚକ୍ର ୭ମାସର ଘର ଭଡା ନ ପାଇବାରୁ ଏହିବର୍ଷ ୨୦୧୯ ଜୁନ ୨୦ତାରିଖରେ ଘରେ ପାଠ ପଢାଇବା ପାଇଁ ମନାକରି ଦେଇଥିଲା। ଶିକ୍ଷକ ମାନେ କୌଣସି ଉପାୟ ନପାଇ ଜୁନ ୨୧ ତାରିଖ ଦିନ ପୁଣି ସ୍କୁଲ ବାରଣ୍ଡାରେ ପାଠପଢାଇଥିଲେ। ପିଲାଙ୍କ ପାଇଁ ବିପଦ ଯୋଗୁଁ ଗାଁ ଲୋକ ସନ୍ଧ୍ୟାରେ ବୈଠକ ବସି ବର୍ତ୍ତମାନ ସେହି ଗ୍ରାମର ବଇଁଶୀ ମାଝୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଘରେ ପାଠ ପଢା ଛାଲିଛି। ବଇଁଶୀ ଦିନବେଳେ ପୋଡ଼ୁ ଚାଷ ପାଇଁ ଜଙ୍ଗଲକୁ ଯାଉଛି। ରାତିରେ ଆସି ସେହି ଇନ୍ଦିରା ଆବାସ ଘରେ ରହୁଛି ଅଳ୍ପ କିଛି ଦିନ ପାଇଁ ଦେଇଛି ବୋଲି ଗାଁ ଲୋକେ ପ୍ରକାଶ କରିଛନ୍ତି। ବହୁ ଥର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଅଞ୍ଚଳବାସୀ ଦୁଃଖପ୍ରକାଶ କରୁଛନ୍ତି।
ଏହି ସ୍କୁଲ ଲାଞ୍ଜିଗଡ଼ ଠାରୁ ବିଜେପୁର ମୁଖ୍ୟ ରାସ୍ତା ସାପଚଞ୍ଚଡା ଠାରେ ଥିବା ବେଳେ ତଲକାଲିମା,ମେଲ ବାହିଲି,ଗୋପି ଗୁଡା ଓ ସାପଚଞ୍ଚଡା ଗାଁର ଛାତ୍ରଛାତ୍ରୀ ଏହି ସ୍କୁଲ ଉପରେ ନିର୍ଭର କରିଥାନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଘରେ ପାଠ ପଢା ହେଉ ଥିଲେ ମଧ୍ୟ ଆଖପାଖରେ ଶୈଚାଳୟର ସୁବିଧା ନାହିଁ। ଶିକ୍ଷକ ତଥା ଛାତ୍ରଛାତ୍ରୀ ମାନେ ମଧ୍ୟ ପାଖ ନାଳକୁ ଶୌଚ ପାଇଁ ଯାଇଥିବା ଲୋକେ କହୁଛନ୍ତି। ଯେଉଁଠି ବିଦ୍ୟାଳୟ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଆବାସରେ ଚାଲିଛି ପାଠପଢା ସେଠାରେ ବିଦ୍ୟାଳୟ ପାଚେରି ନିର୍ମାଣ କିମ୍ବା ଶୌଚାଳୟ କଥା କହି କିଛି ଲାଭନାହିଁ ।
● ତେବେ ଏଥି ପାଇଁ ଦାୟୀ କିଏ ?
● କାହିଁକି ଚାଲିଛି ଶିଶୁଙ୍କ ଭବିଷ୍ୟତ ସହ ଖେଳ ?
ତେବେ ପ୍ରଶ୍ନ ଉଠୁଛି କୋମଳମତି ଶିଶୁ ମାନଙ୍କ ଭବିଷ୍ୟତ ସହ କାହିଁକି ଖେଳ ଚାଲିଛି ? ଆମ ଭବିଷ୍ୟତ ନାଗରିକ କାହିଁକି ବିଦ୍ୟାଳୟ ପରିବର୍ତ୍ତେ ଆବାସ ଘରେ ପାଠ ପଢିବେ ? କାହିଁକି ସେମାନଙ୍କ ଭବିଷ୍ୟତକୁ ଜାଣିସୁଣି ଅନ୍ଧକାର ଭିତରକୁ ଠେଳି ଦିଆଯାଉଛି ? ପିଲାଙ୍କ ସୁବିଧାକୁ ଦୃଷ୍ଟି ନଦେଇ ଲାଭଖୋର ମନୋବୃତ୍ତି ରଖିଥିବା ସେହି ଠିକାଦାର ଶିକ୍ଷକ ଉପରେ କିଛି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେବତ ? ପିଲାଙ୍କ ଭବିଷ୍ୟତ ସହ ଖେଳ କରିବାକୁ ଏମାନଙ୍କୁ କିଏ ଅଧିକାର ଦେଇଛି ? ସେହି ସମୟରେ ସଂପୃକ୍ତ ଶିକ୍ଷକଙ୍କ ଦ୍ବାରା ନିର୍ମାଣ ହେଉଥିବା ସ୍କୁଲ କୋଠାର ତଦାରଖ କେଉଁ ଯନ୍ତ୍ରୀ କରୁଥିଲେ ? ଏଥିରେ ଶିକ୍ଷା ବିଭାଗର ଭୂମିକା କିପରି ରହିବା କଥା ? ଏପରି ବିଭିନ୍ନ ପ୍ରଶ୍ନର ଅଡୁଆ ସୁତା ଗୁଡେଇ ତୁଡେଇ ହେଉଛି ସାପଚଞ୍ଚଡା ତଥା ତ୍ରିଲୋଚନପୁର ଅଞ୍ଚଳର ଅଧିବାସୀ ମାନଙ୍କ ମନରେ । କିନ୍ତୁ କିଏ ଦେବ ଏହାର ସଠିକ ଉତ୍ତର ତାହା ପୁଣି ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।