ମକା ମାଫିଆ ଠୁ ବି ଭୟଙ୍କର ବନବିଭାଗ!

ଜଙ୍ଗଲକୁ ପୁରେଇ ଦେବୁନି, ଦୁଇଗୋଟି ସେକ୍ସନରେ ପଡିବ ତାଲା -ସାହାଜଖୋଲ ବନସୁରକ୍ଷା ମହାସଂଘ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ଜଙ୍ଗଲ ଏବେ ମକା ମାଫିଆ ଓ ଜଙ୍ଗଲ ମାଫିଆଙ୍କ ଦୋରାତ୍ମ୍ୟ ଯୋଗୁଁ କ୍ଷୟ ହେବାରେ ଲାଗିଛି। ହଜାର ହଜାର ହେକ୍ଟର ଜଙ୍ଗଲ ସଫାକରି ମକା ମାଫିଆ ମାନେ ଏବେ ମକା ଚାଷ କରି ମାଲେମାଲ ହେଉଛନ୍ତି। ବନବିଭାଗ ସବୁ ଜାଣି ଶୁଣି ବିଲେଇ ଆଖିବୁଜି କ୍ଷୀର ପିଇବା ଭଲି ନୀତିରେ ଚୁପ ରହି କୌଣସି ପଦକ୍ଷେପ ନେଉନାହିଁ ଯାହାକୁ ନେଇ ବନସୁରକ୍ଷା ସମିତି କ୍ଷୋଭ ପ୍ରକାଶ କରିଛି ଓ ଏହାର ତୀବ୍ର ପ୍ରତିବାଦ କରିବାକୁ ଆଗେଇ ଆସିଛି। ଏନେଇ ଆଜି କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ପିପଲ ଝାପର ଠାରେ ସାହାଜଖୋଲ ବନ ସୁରକ୍ଷା ସମିତି ମହାସଂଘ ପକ୍ଷରୁ ଏକ ଜରୁରୀ ସଭା ଆୟୋଜିତ ହୋଇଛି। ବନସୁରକ୍ଷା ସମିତିର ବେଣୁଧର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ୫୨ ଗୋଟି ବନସୁରକ୍ଷା ସମିତିର କର୍ମକର୍ତ୍ତା ଯୋଗଦେଇ ଆଗାମୀ ଦିନରେ ବନ ସୁରକ୍ଷା ପାଇଁ ସଂଗ୍ରାମୀ ପଦକ୍ଷେପ ନେବାକୁ ଶପଥ କରିଥିଲେ ଓ ବନ କର୍ମଚାରୀ ମାନେ ମକା ମାଫିଆ ଙ୍କ ଠୁ ବି ଭୟଙ୍କର ଓ ଜଙ୍ଗଲ ନଷ୍ଟ ପାଇଁ ଏମାନେ ସୁରକ୍ଷା ଓ ପ୍ରୋତ୍ସାହନ ଯୋଗେଇ ସ୍ୱାର୍ଥପୂରଣ କରୁଥିବା ଭଲି ବକ୍ତବ୍ୟ ରଖିଥିଲେ। ବିଗତ ଦିନରେ ବିଭାଗୀୟ ଅଧିକାରୀଙ୍କ ନାମରେ ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ କୌଣସି ଆଖିଦୃଶିଆ ପଦକ୍ଷେପ ନ ନେବାରୁ ଆଗକୁ ଏମାନଙ୍କୁ ଜଙ୍ଗଲରେ ପୁରାଇ ଦିଆଯିବନି ଓ ଉଭୟ ବେହେରା ଓ ଆମପାଣି ସେକ୍ସନ କାର୍ଯ୍ୟାଳୟକୁ ତାଲାବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏକ ସ୍ୱରରେ ସମସ୍ତ ବନସୁରକ୍ଷା କର୍ମଚାରୀ ସହଯୋଗ କରି ସାହାଜଖୋଲର ସୁରକ୍ଷା ପାଇଁ ସଂଗ୍ରାମ ଜାରି ରହିବ ବୋଲି ଉପସ୍ଥିତ କର୍ମକର୍ତା ମାନେ କହିଛନ୍ତି। ଏହି ଅବସରରେ ବନ ସୁରକ୍ଷା ସମିତି ମହାସଂଘ ଗଠନ କରାଯାଇ ଆଗାମୀ ଦିନରେ ଦୃଢ଼ ପଦକ୍ଷେପ ନେବାକୁ ସ୍ଥିର କରାଯାଇଛି। ସର୍ବସମ୍ମତି କ୍ରମେ ବନସୁରକ୍ଷା ସମିତି ମହାସଂଘର ସଭାପତି ଭାବେ ହେମନ୍ତ ମାଝୀ, ସମ୍ପାଦକ ଭଜମନ ନାଏକ, ଉପସଭାପତି ତ୍ରିନାଥ ପୋଟା, ଉପ ସଭାପତି ପରକ୍ଷିତ ବେଶ୍ରା, ସହ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ପୂଝାରୀ, କୋଷାଧ୍ୟକ୍ଷ ଭୁଜବଳ ସୋରି, କାର୍ଯ୍ୟକାରୀ ସଭାପତି ଭବେଶ ଗଇନ୍ତା, ସାଙ୍ଗଠନିକ ସମ୍ପାଦକ ନିରଞ୍ଜନ ବାଗ ସାଙ୍ଗଠନିକ ସମ୍ପାଦିକା ଭାବେ ହେମାଙ୍ଗିନୀ ହଂସ ପ୍ରମୁଖ ମନୋନୀତ ହୋଇଥିଲେ। ସଭାକୁ ନିରଞ୍ଜନ ବାଗ ପରିଚାଳନା କରିଥିବା ବେଳେ ସାନପୋଡ଼ାଗୁଡା ସରପଞ୍ଚ ଜୟରାମ ନାଏକ, ଧଅଁରପୁର ପୂର୍ବତନ ସରପଞ୍ଚ ଜକଶ୍ୟାମ ଜୁଏଡ଼, ନକୁଳ ନାଏକ, ସୁଧୀର ବାଗ, ହିମାଞ୍ଚଲ ପୂଝାରୀ, ଲିଙ୍ଗରାଜ ନାଏକ, କୁଶଧ୍ୱଜ ନାଏକ, ସୁବାସ ଚନ୍ଦ୍ର ଖର୍ସେଲ, ଭରତ ମାଝୀ, ନିରନ ନାଏକ, ନାଥ ବାଗ ପ୍ରମୁଖ ଉପସ୍ଥିତ ରହି ସାହାଜଖୋଲ ଜଙ୍ଗଲ ସୁରକ୍ଷା ଦିଗରେ ସଂଗ୍ରାମ ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.