ବାଲେଶ୍ୱର ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ବାତ୍ୟା ‘ଦାନା’ ସମ୍ବନ୍ଧୀୟ ସମୀକ୍ଷା ବୈଠକ

ଯୋଗ ଦେଲେ ମନ୍ତ୍ରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଧାୟକ ବୃନ୍ଦ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଆଜି ବାଲେଶ୍ୱରସ୍ଥିତ ଡିଆରଡିଓ ସମ୍ମିଳନୀ କକ୍ଷ ଠାରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ବାତ୍ୟା ‘ଦାନା’ ଏବଂ ତଜ୍ଜନିତ ବନ୍ୟା କ୍ଷୟକ୍ଷତିର ଆକଳନ ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଆକାଶମାର୍ଗରୁ ସଦର, ସିମୁଳିଆ, ସୋର, ଖଇରା ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳର ଅନୁଧ୍ୟାନ କରିଥିଲେ।

ବୈଠକ ପ୍ରାରମ୍ଭରେ ଉପସ୍ଥିତ ଥିବା ସମସ୍ତ ବିଧାୟକ ବୃନ୍ଦ ନିଜ ନିଜ ନିର୍ବାଚନୀ ମଣ୍ଡଳୀରେ ବାତ୍ୟା ଓ ବନ୍ୟା ସମ୍ଭନ୍ଧୀୟ ପୁନରୁଦ୍ଧାର ଓ ଜାରି ରହିଥିବା କାର୍ଯ୍ୟକଳାପ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବାତ୍ୟାର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଜନୈତିକ ନେତୃତ୍ୱର ପ୍ରୟାସକୁ ପ୍ରଶଂସା କରିଥିଲେ। ଏଥି ସହିତ ପ୍ରଶାସନ ଏବଂ ରାଜନୈତିକ ନେତୃତ୍ୱର ମିଳିତ ଆଭିମୁଖ୍ୟ ସହିତ ବାରମ୍ବାର ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା କ୍ଷୟକ୍ଷତିକୁ ରୋକିବା ପାଇଁ ବ୍ୟାପକ ହେନ୍ତାଳ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ମାଝୀ କହିଥିଲେ। ପ୍ରାକୃତିକ ଏବଂ ମାନବୀୟ ବିପର୍ଯ୍ୟୟର ମୁକାବିଲା ପାଇଁ ଉପସ୍ଥିତ ସମସ୍ତଙ୍କୁ ସର୍ବଦା ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। ଘର ଭଙ୍ଗା କ୍ଷୟକ୍ଷତି ରିପୋର୍ଟ ଯଥାଶୀଘ୍ର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଯେଉଁ ଅଞ୍ଚଳରେ ବିଜୁଳି ସଂଯୋଗ ହୋଇପାରୁନାହିଁ, ସେଠାରେ ଦ୍ରୁତ ଗତିରେ ବିଜୁଳି ସଂୟୋଗ ସୁନିଶ୍ଚିତ କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ଜୀବନ ମୂଲ୍ୟବାନ ହୋଇଥିବାରୁ ପ୍ରଭାବିତ ଲୋକଙ୍କ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ପଦକ୍ଷେପ ଅତ୍ୟନ୍ତ ସତର୍କତାର ସହ ନିଆଯିବା ଆବଶ୍ୟକ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ। ମନୁଷ୍ୟକୃତ ବିପର୍ଯ୍ୟୟର ମୁକାବିଲା ପାଇଁ ସହଯୋଗ ମୂଳକ ପଦକ୍ଷେପ ନେବା ଲାଗି ପ୍ରତିବଦ୍ଧତା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ବିପଦ ସମୟରେ ମହିଳାଙ୍କ ବିରୋଧରେ କୌଣସି ପ୍ରକାର ହିଂସା ପାଇଁ ଜିରୋ ଟଲେରାନ୍ସ ନୀତିକୁ ଆପଣେଇବା ପାଇଁ ଶ୍ରୀ ପୂଜାରୀ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାର ବହୁପାକ୍ଷିକ ସାମୁଦାୟିକ ରିଲିଫ୍ କେନ୍ଦ୍ର ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଥିଲେ।

ବାତ୍ୟା ସମୟରେ ଜିଲ୍ଲା ପ୍ରଶାସନ ଓ ରାଜନୈତିକ ନେତା, ପିଆରଆଇ ସଦସ୍ୟଙ୍କ ମିଳିତ ଉଦ୍ୟମକୁ ମାନ୍ୟବର ସାଂସଦ ପ୍ରଶଂସା କରିଥିଲେ। ସମସ୍ତ ବନ୍ୟା ପ୍ରଭାବିତଙ୍କୁ ଯଥାଶୀଘ୍ର ପଲିଥିନ ଯୋଗାଇ ଦେବା ପାଇଁ ବାଲେଶ୍ଵର ସାଂସଦ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ବାଲେଶ୍ଵର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଶାସକ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ଶ୍ରୀ ପଦ୍ମଲୋଚନ ପଣ୍ଡା, ବାଲେଶ୍ଵର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ସୋର ବିଧାୟକ ଶ୍ରୀ ମାଧବ ଧଡ଼ା, ଭୋଗରାଇ ବିଧାୟକ ଭୋଗରାଇ ଶ୍ରୀ ଗୌତମବୁଦ୍ଧ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ଆରକ୍ଷୀ ମହା ନିର୍ଦ୍ଦେଶକ ଶ୍ରୀ ଓ୍ଵାଇ. ବି. ଖୁରାନିଆ, ଉପ-ମହାନିରୀକ୍ଷକ (ପୂର୍ବାଞ୍ଚଳ ଜୋନ) ଡ଼. ସତ୍ୟଜିତ ନାୟକ, ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ପିଏକ୍ସଇ ନିର୍ଦ୍ଦେଶକ ଶ୍ରୀ ସୁବୋଧ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ବିକାଶ ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.