ବାଲେଶ୍ୱରର ସର୍ବପ୍ରାଚୀନ ସାହିତ୍ୟାନୁଷ୍ଠାନ ‘ଫକୀରମୋହନ ସାହିତ୍ୟ ପରିଷଦ’ ପାଇଁ ନିର୍ବାଚିତ ହେଲେ ନୂଆ କର୍ମକର୍ତ୍ତା

ଡ଼ଃ ସୁବାସ ଚନ୍ଦ୍ର ପାତ୍ର ସଭାପତି, ଡ଼ଃ ରତ୍ନାକର ସିଂହ ସଂପାଦକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବହୁ ପ୍ରତୀକ୍ଷିତ ଫକୀରମୋହନ ସାହିତ୍ୟ ପରିଷଦର ଆଗାମୀ ୨୦୨୪-୨୭ ତିନିବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଶାନ୍ତିକାନନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ନିର୍ଦ୍ଦନ୍ଦ୍ବରେ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଡକ୍ଟର ରତ୍ନାକର ସିଂହ ୧୩୬ ଖଣ୍ଡ ଭୋଟ ପାଇ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିପକ୍ଷରେ ସମ୍ପାଦକ ପ୍ରାର୍ଥୀ ଡକ୍ଟର ପ୍ରଦୀପ୍ତ କୁମାର ମିଶ୍ର ୯୯ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ଅଞ୍ଜଳି ପଣ୍ଡା ଓ ଦୀନବନ୍ଧୁ ଲେଙ୍କା ବିଜୟ ହାସଲ କରିଥିବା ବେଳେ ଯତୀନ୍ଦ୍ର ପୁହାଣ ପରାଜୟ ବରଣ କରିଛନ୍ତି। ଯୁଗ୍ମ ସଂପାଦକ ଭାବେ କଲ୍ୟାଣୀ ନନ୍ଦ ଓ ରାଜେଶ ଗିରି ନିର୍ଦ୍ଦନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ତପନ ରାୟ ନିର୍ଦ୍ଦନ୍ଦ୍ବରେ ତାଙ୍କର ପୂର୍ବ ଆସନ ବଜାୟ ରଖିପାରିଛନ୍ତି।

ପରିଷଦ ଇତିହାସରେ ପ୍ରଥମ କରି ନିର୍ବାଚନ ହୋଇଥିବା କାର୍ଯ୍ୟକାରୀ ସମିତିର ସଭ୍ୟ ଭାବରେ ଡକ୍ଟର ଶିରୀଶ ଚନ୍ଦ୍ର ଜେନା, ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ, ଡକ୍ଟର ସାରଙ୍ଗଧର ତ୍ରିପାଠୀ, ରଂଜନ ବାଗ, ପ୍ରଦୀପ ଚାଟାର୍ଜୀ, ସ୍ମୃତି ଦାସ, ଡକ୍ଟର ହରିଶ୍ଚନ୍ଦ୍ର ବେହେରା,ବିଷ୍ଣୁପ୍ରସାଦ ମହାନ୍ତି, ଯଶୋଧାରା ଦାସ ଓ ଡକ୍ଟର ସୁକାନ୍ତ ଗିରି ନିର୍ବାଚିତ ହୋଇଛନ୍ତି।

ବରିଷ୍ଠ ସଦସ୍ୟ ଡକ୍ଟର ଭାଗବତ ପ୍ରସାଦ ଦାସ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ଵ ନିର୍ବାହ କରିଥିବା ବେଳେ ପଣ୍ଡିତ ସଂଜୟ ପଣ୍ଡା, କରୁଣାକର ସ, ଡାକ୍ତର କୁମାର ଗୋପାଲ, ଶାନ୍ତିଲତା ପଣ୍ଡା ଓ ପ୍ରବୀର କାମିଲା ପ୍ରମୁଖ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ। ପୂର୍ବାହ୍ନ ୯ଟା ସମୟରେ ପରିଷଦର ସାଧାରଣ ପରିଷଦ ବୈଠକ ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇ ଦିନ ୧ଟା ୩୦ମି. ଯାଏଁ ଚାଲିଥିଲା। ସଂପାଦକ ଦୀପକ ବୋଷ ସଂପାଦକୀୟ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ତପନ ରାୟ ଆୟବ୍ୟୟର ବିବରଣୀ ପାଠ କରିଥିଲେ। ଦିନ ଦୁଇଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇଥିଲା। ଭୋଟ ଗଣତି ପରେ ରାତି ୯.୩୦ ସମୟରେ ଫଳାଫଳ ଘୋଷଣା କରାଯାଇଥିଲା।

ନୂତନ ଭାବେ ସଭାପତି ନିର୍ବାଚିତ ହୋଇଥିବା ଡକ୍ଟର ପାତ୍ର ନିଜର ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି ଯେ ସମସ୍ତଙ୍କ ସହଯୋଗ କ୍ରମେ ଅନୁଷ୍ଠାନକୁ ସେ ଆଗେଇ ନେବାକୁ ଚେଷ୍ଟିତ ହେବା ସହ ଫକୀରମୋହନ ସାହିତ୍ୟର ବିକାଶ ଦିଗରେ ଆନ୍ତରିକ ଉଦ୍ୟମ କରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.