ତପନ ଗଉଡ଼ଙ୍କୁ ଦେବଗିରି ପ୍ରତିଭା ସମ୍ମାନ: କ୍ରୀଡ଼ାରେ ତେଜନ, ସେବାରେ ହରେକୃଷ୍ଣ, ଦେଶସେବାରେ ଦୁଷ୍ମନ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏବର୍ଷର ମର୍ଯ୍ୟାଦାଜନକ ‘ଦେବଗିରି ପ୍ରତିଭା ସମ୍ମାନ’ ପାଇବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କରାଟେ ଖେଳାଳି ତପନ ଗଉଡ଼। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ବୁଢ଼ୀପଦର ଗ୍ରାମର ଶ୍ରୀ ଗଉଡ଼ ୨୦୨୨ରେ ‘ମାର୍ସାଲ ଆର୍ଟସ ଗଟ୍ ଟେଲେଣ୍ଟ ଓ୍ବାର୍ଲ୍ଡ ଚାମ୍ପିୟନ’ ଓ ୨୦୨୩ରେ ଆଇଏମଏଏସ ଏସିଆନ୍ କରାଟେ ଚମ୍ପିୟନସିପରେ ରନର୍ସ ଅପ ହୋଇ ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି। ଗୁଜରାଟରେ ଜଣେ କରାଟେ କୋଚ୍ ଭାବରେ ମଧ୍ୟ ସେ ସୁନାମ ଅର୍ଜନ କରିଛନ୍ତି।

Omkar Vasthu
Omkar Vasthu

୨୦୨୪ ମସିହା ପାଇଁ ‘ଦେବଗିରି କ୍ରୀଡ଼ା ସମ୍ମାନ’ ପାଇବେ ଧର୍ମଗଡ଼ ନିବାସୀ ତେଜନ କୁମାର ଦୁର୍ଗା। ଶ୍ରୀ ଦୁର୍ଗା ୨୦୨୦ରୁ ଓସିଏରେ ପେନାଲ ଅମ୍ପିୟାର ଭାବେ ଯୋଗଦେଇ ବର୍ତ୍ତମାନ ସୁଦ୍ଧା ୫୦ରୁ ଉର୍ଦ୍ଧ୍ବ ରାଜ୍ୟସ୍ତରୀୟ ଏବଂ ୫ଟି ଜାତୀୟ ମ୍ୟାଚ ପରିଚାଳନା କରିଛନ୍ତି। ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ସେହିପରି ଭାବେ ‘ଦେବଗିରି ସେବା ସମ୍ମାନ’ ପାଇବେ ହରେକୃଷ୍ଣ ସାହୁ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସ୍ଥିତ ସର୍ଗିଗୁଡାଠାରେ ଜନ୍ମିତ ଶ୍ରୀ ସାହୁ ବୃତ୍ତିରେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଥିଲେ ହେଁ ପ୍ରବୃତ୍ତି ସାଧାରଣ ଲୋକଙ୍କ ସେବା କରିବା। ବାଲ୍ୟକାଳରୁ ସେବା ମନୋବୃତ୍ତି ନେଇ ସେ ନିଜକୁ ସମର୍ପିତ କରିଛନ୍ତି ଜନତାର ସେବାରେ। ଦୁସ୍ଥ, ଅବହେଳିତ, ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ ମଣିଷ ପାଇଁ ସେ ସବୁବେଳେ ବଢ଼େଇଥାନ୍ତି ସହଯୋଗର ହାତ। କରୋନା ମହାମାରୀ ସମୟରେ ସେ ଜନତାର ସେବା କରି ଉଦାହରଣ ସୃଷ୍ଟି କରିଥିଲେ। ସଂପ୍ରତି ନାରେନ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ବହୁମୁଖି ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ।

Udyog Nursery
Udyogi Nursery

ଏଥିସହ ‘ଦେବଗିରି ଦେଶସେବା ସମ୍ମାନ’ ପାଇବେ ସେବାନିବୃତ୍ତ ସୈନିକ ଦୁଷ୍ମନ୍ତ ଶେଖର ମହଲା। କେସିଙ୍ଗା ବ୍ଲକ୍ କାଣ୍ଡେଲ ଗାଁର ସୁମିତ୍ରା ମହଲା ଓ ସ୍ବର୍ଗତ ଉତ୍ତର ମହଲାଙ୍କ ସୁପୁତ୍ର ଦୁଷ୍ମନ୍ତ ୨୦୦୪ ମସିହାରେ ସୀମା ସୁରକ୍ଷା ବଳରେ ଯୋଗଦେଇ ପଶ୍ଚିମବଙ୍ଗ, ମଣିପୁର, ଆସାମ, ରାଜସ୍ଥାନ, ଗୁଜରାଟ, ଜମ୍ମୁକାଶ୍ମୀର ଆଦି ସ୍ଥାନରେ ସେବା ପ୍ରଦାନ କରିଛନ୍ତି। ଜଣେ ଦକ୍ଷ ସୈନିକ ଭାବେ ଦେଶ ମାତୃକାର ସେବା କରିବାପରେ ସେ ୨୦୨୪ରେ ସେବାନିବୃତ୍ତ ହୋଇଛନ୍ତି।

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ନଭେମ୍ବର ୧୩ରୁ ୧୫ ତାରିଖ ଯାଏଁ ଆୟୋଜିତ ହେବାକୁଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଅବସରରେ ଆୟୋଜିତ ଗୋସିଙ୍ଗ ଦୈତ୍ୟ ଦରବାରରେ ଉକ୍ତ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ ଧଙ୍ଗଡାମାଝୀ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.