ନର୍ଲାରେ ପଞ୍ଚୁକରେ ପୁରାଣ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପବିତ୍ର କାର୍ତ୍ତିକ ମାସ । ଏହା ଧର୍ମର ମାସ । କାର୍ତ୍ତିକ ବ୍ରତୀ ମାନେ ମାସ ସାରା ବଡି ଭୋରରୁ ବୁଡ ପକାଇ ରାଧାକୃଷ୍ଣଙ୍କ ପୂଜା କରି କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି । ବିଶେଷ କରି ଅଁଳା ନବମୀରୁ ଆରମ୍ଭ ହୋଇଯାଇଥାଏ କାର୍ତ୍ତିକ ବ୍ରତ ଓ ପୁରାଣ ପୂଜା କାର୍ଯ୍ୟକ୍ରମ । ବ୍ରତୀ ମାନେ ଏକ ଓଳି ହବିଷ୍ୟ କରି ପୂଜା ମଣ୍ଡପରେ ପୁରାଣ ଶୁଣି ପାଳିଥାନ୍ତି କାର୍ତ୍ତିକ ବ୍ରତ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ର ଗାଁ ଗାଁ ରେ ଚାଲିଛି କାର୍ତ୍ତିକ ବ୍ରତ,ତୁଳସୀ ପୂଜା ଓ ପୁରାଣ ପୂଜା କାର୍ଯ୍ୟକ୍ରମ । ନର୍ଲା ବ୍ଲକ୍ ଅଞ୍ଚଳରେ ୨୫୦ ରୁ ଉର୍ଦ୍ଧ୍ବ ସ୍ଥାନରେ ଚାଲିଛି ଏହି ପଞ୍ଚୁକରେ ପୁରାଣ ପୂଜନ କାର୍ଯ୍ୟକ୍ରମ । ସେହିଭଳି ନର୍ଲା ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବିଶେଷ କରି ସର୍ଗିଗୁଡା ପ୍ରହରୀ ମଣ୍ଡପ, ସର୍ଗିଗୁଡା ମାଝୀପଡା, ବିଞ୍ଝାଲପଡା, ଡିଗିରାପଡା, ଭଟାଙ୍ଗ, ଶାନ୍ତି ନଗର ପଡା, ପଟାଙ୍ଗପଡା, ଉଲିସିର୍କା, ବାଙ୍କେଲ, ନର୍ଲା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ନର୍ଲା ତ୍ରୀନାଥ ମନ୍ଦିର, ରେଖପୁର, ରେଗଡିମାଳ, ନର୍ଲା ଜୟନ୍ତୀ ନଗର ପଡ଼ା, ଡଙ୍ଗରମାଳ, ଜୁର୍କାଭଟା, ଗୋରକେଲ ଏଭଳି ପ୍ରଭୃତି ସ୍ଥାନରେ ପଞ୍ଚୁକ ପାଇଁ କାର୍ତ୍ତିକ ବ୍ରତ ଓ ପୁରାଣ ବସା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି । ରବିବାର ଅଁଳା ନବମୀ ରୁ ଆରମ୍ଭ ହୋଇଯାଇଛି ପଞ୍ଚୁକ ବ୍ରତ ଓ ପୁରାଣ ପୂଜା। ଏଥିରେ ବ୍ରତୀ ମାନେ କାର୍ତ୍ତିକ ମାହାତ୍ମ୍ୟ ପୁରାଣ ଶୁଣୁଥିବା ଦେଖିବାକୁ ମିଳୁଛି। ପଞ୍ଚୁକ ଦିନ ସକାଳୁ ପୁରାଣ ଦେବତା ପୂଜନ, ବୃନ୍ଦାବତୀ ପୂଜନ ଓ ପୁରାଣ ପଠନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଶୁକ୍ରବାର ପୂର୍ଣ୍ଣିମା ଦିନ ସମସ୍ତ ପୁରାଣ ପୂଜନର ପୂର୍ଣ୍ଣାହୂତି ପଡିବ । ପଞ୍ଚୁକ ପାଞ୍ଚଦିନ ବ୍ୟାପି ଏହି ପୁରାଣ ପୂଜା ଓ ପୁରାଣ ପଠନ କାର୍ଯ୍ୟକ୍ରମ ମାନ ଗାଁ ଗାଁ ରେ ଚାଲୁଥିବା ବେଳେ ଏହା କାର୍ତ୍ତିକ ପୂର୍ଣ୍ଣିମା ସକାଳେ ପୂର୍ଣ୍ଣାହୁତି ପଡିବ । ଏହା ଆଜିକାର ପରମ୍ପରା ନୁହଁ । ଆବହମାନ କାଳରୁ ଓଡିଶାର ପୁର ପଲ୍ଲୀ ବିଶେଷ କରି ପଶ୍ଚିମ ଓଡ଼ିଶାରେ ପାଳିତ ହୋଇ ଆସୁଛି କାର୍ତ୍ତିକ ବ୍ରତ ଓ ପୁରାଣ ପୂଜନ କାର୍ଯ୍ୟକ୍ରମ । କାର୍ତ୍ତିକ ପୂର୍ଣ୍ଣିମା ବଡି ଭୋରରୁ କାର୍ତ୍ତିକ ବ୍ରତୀ ମାନେ ବୁଡ ପକାଇ ବୋଇତ ବନ୍ଦାଣ କରି ଏହାର ପୂର୍ଣ୍ଣାହୂତି କରିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.