ଦାୟିତ୍ୱହୀନତାର ସୀମା ଟପିଲା ବିଶ୍ୱନାଥପୁର ବନବିଭାଗ: ଜଙ୍ଗଲରେ ଫିଙ୍ଗିଥିଲେ ଲକ୍ଷଲକ୍ଷ ଟଙ୍କାର ମୂଲ୍ୟବାନ ଚାରାଗଛ, ଅଭିଯୋଗ ପରେ ରାତାରାତି କଲେ ଗାୟବ 

ସିକେରକୁପା ପରେ ବିଜେପୁର ସେକ୍ସନରେ ଗୁରୁତର ଅଭିଯୋଗ, ଖାଇଗଲେ ଶ୍ରମିକଙ୍କ ଝାଳବୁହା ପରିଶ୍ରମର ପାଉଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାର ନୂତନ ଜଙ୍ଗଲ ସୃଷ୍ଟି କରିବା ସହିତ ଜଙ୍ଗଲର ସୁରକ୍ଷା ପାଇଁ ଖର୍ଚ୍ଚ କରୁଛନ୍ତି କୋଟିକୋଟି ଟଙ୍କା। କିନ୍ତୁ ନୂତନ ଜଙ୍ଗଲ ସୃଷ୍ଟି ତ ଦୂରର କଥା ଓଲଟା ଦୃତଗତିରେ ଜଙ୍ଗଲ କ୍ଷୟ ଯୋଗୁଁ ବନ୍ୟଜନ୍ତୁ ଏବେ ଜନବସତି ମୁହାଁ ହେବାରେ ଲାଗିଛନ୍ତି। ଏଥିଯୋଗୁଁ ଜଙ୍ଗଲୀ ଜନ୍ତୁ ଓ ମଣିଷ ସବୁବେଳେ ମୁହାଁମୁହିଁ ହେଉଥିବାବେଳେ ଉଭୟ ଜଙ୍ଗଲୀ ଜନ୍ତୁ ଓ ମଣିଷଙ୍କୁ ବିପଦ ମୁହଁକୁ ଠେଲି ଦେଇ ମଜା ଦେଖୁଛି ବନବିଭାଗ। ଏହିପରି ଭାବେ ଜଙ୍ଗଲ ବିଭାଗ ଦ୍ୱାରା ଆସୁଥିବା ବିଭିନ୍ନ ଅନୁଦାନକୁ ହଡ଼ପ କରି ବନବିଭାଗର ଅଧିକାରୀମାନେ ମାଲାମାଲ ହେଉଥିବାବେଳେ ଲୋକେ ତ୍ରାହିତ୍ରାହି ଡାକ ଛାଡ଼ୁଛନ୍ତି।

ଏପରିକି ବଦଳି ଓ ପଦୋନ୍ନତି ପରେ ବି ଦୁହାଳିଆ କାର୍ଯ୍ୟାଳୟରୁ ଇଞ୍ଚେ ଘୁଞ୍ଚୁନାହାନ୍ତି ବିଶ୍ୱନାଥପୁର ବନାଞ୍ଚଳର ମଙ୍ଗ ଧରିଥିବା ମଙ୍ଗୁଆଳ। ଯାହାକୁ ନେଇ ଲୋକେ ପ୍ରଶ୍ନ ଉଠାଇବା ସହିତ ପଦୋନ୍ନତିର ମୁଆଁ ଖାଇ ଆସ୍ଥାନ ଜମାଇ ବସିଥିବା ସେଇବାବୁଙ୍କ ଆୟବ୍ୟୟ ଓ ଉପାର୍ଜନ ଉପରେ ଏକ ଭିଜିଲାନ୍ସସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସେହିପରି ବିଭିନ୍ନ ଯୋଜନାରେ ବୃକ୍ଷରୋପଣ, ମନରେଗା ଯୋଜନାରେ ଶ୍ରମିକ ନିଯୁକ୍ତି ଆଦି ନାଁରେ କୋଟିକୋଟି ଟଙ୍କାର ହେରଫେର କରିଥିବା ଅଭିଯୋଗରେ ଅଭିଯୁକ୍ତ ସିକେରକୁପା ସେକ୍ସନର ବନପାଳ ଓ ବିଜେପୁର ବନପାଳଙ୍କ ଉଭୟଙ୍କୁ ସେ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଏପରିକି ଉଭୟ ସେକ୍ସନରେ ବୃକ୍ଷରୋପଣ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଚାରାଗଛ ଅଣାଯାଇ ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିବାବେଳେ ଏନେଇ ଅଭିଯୋଗ ହେବାପରେ ସେସବୁକୁ ରାତାରାତି ଲୋକ ଲଗାଇ ଗାୟବ କରି ଦିଆଯାଇଛି। ବିଭିନ୍ନ ଯୋଜନାରେ କାମ କରି ଲୋକେ ପାରିଶ୍ରମିକ ପାଇନଥିବାବେଳେ ଉଭୟ ସେକ୍ସନରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ, ସେମାନଙ୍କ ପରିବାର ଓ ସମ୍ପର୍କୀୟମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି।

ବିଜେପୁର ସେକ୍ସନ ବାତେରପଡା ଗ୍ରାମ୍ୟ ଜଙ୍ଗଲରେ ସିଏସ୍‌ଆର୍ ଓ ସବୁଜ ମହାନଦୀ ମିଶନ ଯୋଜନାରେ ୨୦୨୪ -୨୫ ଆର୍ଥିକ ବର୍ଷ ପାଇଁ ୧୬ଶହ ହେକ୍ଟରରେ ୧୬ହଜାର ଚାରାରୋପଣ କରାଯାଇଥିବା କୁହାଯାଉଥିବାବେଳେ ଜଙ୍ଗଲ ଭିତରେ ବହୁ ମୂଲ୍ୟବାନ ଚାରା ଏଠିସେଠି ଫିଙ୍ଗି ଦେଇଥିବା ନଜରକୁ ଆସିଛି। ବନବିଭାଗରେ କାର୍ଯ୍ୟରତ ବାତେରପଡା ଗାଁର ଶ୍ରମିକ ମାନଙ୍କୁ ୭ ମାସ ହେଲା ପାରିଶ୍ରମିକ ମିଳିନାହିଁ। ସେହିପରି ସିକେରକୁପା ସେକ୍ସନ ଗୋପାଳପୁର, ଟେକରତୋଳା, ରାମଚନ୍ଦ୍ରପୁରଠାରେ ଜଙ୍ଗଲରେ ଫିଙ୍ଗି ଦେଇଥିବା ଚାରାଗଛକୁ ଅଭିଯୋଗ ପରେ ଗାୟବ କରିଦିଆଯାଇଛି। କାମ କଲା ଲୋକେ ପାଉଣା ପାଉନଥିବାବେଳେ କେବେ କାମ କରିନଥିବା ଲୋକଙ୍କ ଏକାଉଣ୍ଟରେ ଜମା ହେଉଛି ବନବିଭାଗ ବିଭିନ୍ନ ଯୋଜନାର ଲକ୍ଷ ଲକ୍ଷ ଟଙ୍କା।

ବନପାଳ, ବନରକ୍ଷୀ ଓ ଜଣେ ଦୁଇଜଣ ଅସ୍ଥାୟୀ କର୍ମଚାରୀଙ୍କ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିବା ନେଇ ବିଭିନ୍ନ ବନ ସୁରକ୍ଷା ସମିତିର ସଦସ୍ୟମାନେ ଅଭିଯୋଗ କରୁଥିବାବେଳେ ଆମର ଉପର ଅଧିକାରୀଙ୍କ ସହିତ ସେଟିଂ ଅଛି କିଏ ଆମର କ’ଣ କରିବ ବୋଲି ସେମାନେ ଖୋଲାଖୋଲି କହିବୁଲୁଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏଣୁ ପଦୋନ୍ନତି ପରେ ବି ଆସ୍ଥାନ ଜମାଇ ବସିଥିବା ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ, ବିଜେପୁର ଓ ସିକେରକୁପା ସେକ୍ସନର ବନପାଳ, ବନରକ୍ଷୀଙ୍କ ସମେତ ଅସ୍ଥାୟୀ କର୍ମଚାରୀମାନଙ୍କ ବିରୁଦ୍ଧରେ ଉଚ୍ଚସ୍ତରୀୟ ତଦନ୍ତ ସହିତ ବିଜେପୁର ଓ ସିକେରକୁପା ସେକ୍ସନର ସମସ୍ତ ଅନୁଦାନ ଓ ଏହାର ଆୟବ୍ୟୟର ଏକ ସ୍ୱତନ୍ତ୍ର ଅଡିଟ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଅଭିଯୋଗ ସମ୍ପର୍କରେ ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.