ବନ୍ଧୁକ ମୁନରେ ଜନସେବା କେନ୍ଦ୍ର ଅଧିକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାରେ ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବଢି ବଢି ଚାଲିଛି। କେତେବେଳେ ମନ୍ଦିରରୁ ଚୋରି ତ କେତେବେଳେ ବିଚ୍ ବଜାରରେ ଲୁଟ୍ ହେଉଛି। ଗତକାଲି ମଙ୍ଗଳବାର ସନ୍ଧ୍ୟାର ଘଟଣା ସାରା ଜିଲ୍ଲାରେ ଭୟର ବାତାବରଣ ଖେଳାଇ ଦେଇଛି। ସହରର ମହାନଦୀ ସେପଟେ ଧର୍ମଶାଳା ଛକରେ ଜନସେବା କେନ୍ଦ୍ର ଖୋଲିଥିବା ଲେହେଡି ନିବାସୀ ନୀଳାମ୍ବର ମହାପାତ୍ରଙ୍କ ଠାରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି।

 

ସବୁଦିନ ଭଳି ସନ୍ଧ୍ୟା ସାଢେ ୬ଟାରେ ଜନସେବା କେନ୍ଦ୍ର ବନ୍ଦ କରି ଲେହେଡି ସ୍ଥିତ ନିଜ ଘରକୁ ନୀଳାମ୍ବର ଫେରୁଥିବା ବେଳେ ଏକ ଲାଲ ରଙ୍ଗର ରେସିଂ ବାଇକ୍‌ରେ ତିନି ଜଣ ଲୁଟେରା ଆସି ଅଧାବାଟରେ ଅତର୍କିତ ଭାବେ ଦୁର୍ବୁତ୍ତ ମାନେ ନୀଳାମ୍ବରଙ୍କୁ ଆକ୍ରମଣ କରିଥିଲେ। ନୀଳାମ୍ବର ଧରିଥିବା ଟଙ୍କା ବ୍ୟାଗକୁ ଜୋର ଜବରଦସ୍ତି ଛଡାଇବା ପାଇଁ ସେମାନେ ଉଦ୍ୟମ କରିଥିଲେ। ହେଲେ ସେ ଏହାର ପ୍ରତିରୋଧ କରିବାରୁ ଲୁଟେରା ମାନେ ପିସ୍ତଲ ଦେଖାଇ ଭୟଭୀତ କରିବା ସହ ବାରମ୍ବାର ନୀଳାମ୍ବରଙ୍କ ମୁଣ୍ଡକୁ ପିସ୍ତଲର ପଛପଟେ ଆକ୍ରମଣ କରିଥିଲେ। ନୀଳାମ୍ବର ଗୁରୁତର ଅବସ୍ଥା ରେ ସେଠାରେ ପଡି ଯିବାରୁ ଲୁଟେରା ମାନେ ଟଙ୍କା ବ୍ୟାଗ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଧସ୍ତାଧସ୍ତୀ ବେଳେ ପିସ୍ତଲରୁ ଏକ ଗୁଳି ଘଟଣାସ୍ଥଳରେ ପଡି ଯାଇଥିବା ଦେଖିବାକୁ ମିଳିଥିଲା। ଗୁରୁତର ଅବସ୍ଥାରେ ନୀଳାମ୍ବରଙ୍କୁ ଘଟଣାସ୍ଥଳରୁ କିଛି ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ମୁଣ୍ଡରେ ୧୫ରୁ ଉର୍ଦ୍ଧ୍ବ ଷ୍ଟିଚ୍ ପଡିଛି। ଏହା ଏକ ବ୍ୟାଙ୍କର ଜନସେବା କେନ୍ଦ୍ର ହୋଇଥିବାରୁ ଲୋକେ ଜମା ଦେଇଥିବା ଦେଢ ଲକ୍ଷ ଟଙ୍କା ବ୍ୟାଗରେ ଥିଲା ବୋଲି ନୀଳାମ୍ବର କହିଛନ୍ତି।

ଅଭିଯୋଗ ପାଇ ହିକୁଡି ଫାଣ୍ଡି ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ଓ ମେଡିକାଲରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ଘଟଣାସ୍ଥଳରୁ ଏକ ଜୀବନ୍ତ ଗୁଳି ଜବତ ହୋଇଛି ଯାହାକି ୯ ଏମଏମ ପିସ୍ତଲର ଗୁଳି ବୋଲି ଜଣାପଡିଛି। ଏବଂ ଏମାନେ ପ୍ରଫେସନାଲ ଲୁଟେରା ବୋଲି ପୋଲିସ ଅନୁମାନ କରୁଛି। ନୀଳାମ୍ବର ବରିଷ୍ଠ ତଥା ଆଗ ଧାଡିର ସାମ୍ବାଦିକ ପୀତାମ୍ବର ମହାପାତ୍ରଙ୍କ ସାନଭାଇ ହୋଇଥିବାରୁ ଡାକ୍ତରଖାନାରେ ବହୁ ସାମ୍ବାଦିକ ଠୁଳ ହୋଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲା ପୋଲିସକୁ ଦାବି କରିଛନ୍ତି। ପ୍ରକାଶ ଥାଉ କି ଯେ ଦୀର୍ଘ ବର୍ଷ ପୂର୍ବରୁ ଧର୍ମଶାଳା ଷ୍ଟେଟ ବ୍ୟାଙ୍କରୁ ମଧ୍ୟ ଏକ ବଡ ଧରଣର ଡକାୟତି ହୋଇଥିବା ଓ ଏଥିରେ ସମ୍ବଲପୁର ଓ ବିହାର ଅଞ୍ଚଳର ଲୁଟେରା ସାମିଲ୍ ଥିଲେ ବୋଲି ଜଣାପଡିଥିଲା। ଘଟଣାର ସୂଚନା ପାଇ ସ୍ଥାନୀୟ ବିଧାୟକ ରଘୁନାଥ ଜଗଦଲା ରାତିରେ ଆହତଙ୍କ ଘରକୁ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ବୁଝି ଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.