ସୋନପୁରରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁର ସ୍ଥିତ ଟାଉନହଲ ଠାରେ ଆଜି ରାଜ୍ୟ ସରକାରଙ୍କ ଦ୍ଵାରା ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାର ୫ ବର୍ଷରେ ୫ ହଜାର କୋଟି ଟଙ୍କାର ବ୍ୟୟରେ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରିବେ।

ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ଜଙ୍କିଆ ମିନି ଷ୍ଟାଡିୟମ୍ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ଜରିଆରେ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝି ଗାଁର ବିକାଶ ହେଲେ ରାଜ୍ୟର ବିକାଶ ହେବ ଏବଂ ରାଜ୍ୟର ବିକାଶ ହେଲେ ରଷ୍ଟ୍ରର ବିକାଶ ହେବ। ଏଣୁ ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ ହାତକୁ ନେଇଥିବା ନିଜ ଅଭିଭାଷଣରେ କହିଥିଲେ।

ଏଥିପାଇଁ ୫ ବର୍ଷ ପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ ହୋଇ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ ହେବ ବୋଲି ସୂଚନା ଦିଆଯାଇଛି। ଗ୍ରାମାଞ୍ଚଳର ମୌଳିକ ଭିତିଭୂମିର ବିକାଶ, ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଅଂଚଳରେ ଆଭ୍ୟନ୍ତରୀଣ ଓ ଆନ୍ତଃ ରାଜ୍ୟ ସଡ଼କ ସଂଯୋଗକରଣ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ବିକାଶ ଓ ଉନ୍ନତିକରଣ, ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକରଣ, ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟାନ୍ଵୟନ ଆଦି କାର୍ଯ୍ୟକ୍ରମ କରାଯିବ।

ଏହି ଅବସରରେ ସୋନପୁର ନୂତନ ଟାଉନହଲ ଠାରେ ମୁଖ୍ୟ ଅତିଥିଭାବେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଜିଲ୍ଲାପାଳ ଅନ୍ୟା ଦାସ, ଜିଲ୍ଲା ପରିଷଦ ସିଡିଓ ଅଶ୍ବିନୀ ମେହେର, ସୋନପୁର ବିଡିଓ ସୌମ୍ୟରଞ୍ଜନ ସ୍ୱାଇଁ, ସୋନପୁର ବ୍ଲକ୍ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଜିଲ୍ଲା ବିଜେପି ସଭାପତି ପ୍ରମୋଦ କୁମାର ମହାପାତ୍ର, ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧି ଶରତ ଶତପଥି, ଜିଲ୍ଲା ପରିଷଦ ସଭ୍ୟ ମଧୁସୁଦନ ଓତା, କାଉନସିଲର ଗଙ୍ଗା ତରିଆ, ସୁରେଶ ବିଶ୍ଵାଳ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଏବଂ ପିଆରଆଇ ମେମ୍ବରମାନେ ଉପସ୍ଥିତ ଥିଲେ।

ସେହିପରି ଜିଲ୍ଲାର ଡୁଙ୍ଗୁରିପାଲି, ବୀରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା ବ୍ଲକରେ ମଧ୍ୟ ଏହି ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବେଳେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ବ୍ଲକ ଅଧ୍ୟକ୍ଷା/ଅଧ୍ୟକ୍ଷ, ବିଡ଼ିଓ, ଏବିଡ଼ିଓ ସମେତ ସାଂସଦ ପ୍ରତିନିଧି, ବ୍ଲକ ଅନ୍ତର୍ଗତ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା , ଏସଏଚଜି ମହିଳା ସଦସ୍ୟ ସଦସ୍ୟା, ନେତୃ ସ୍ଥାନୀୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.