ସେଲଫି ନେବା ସମୟରେ ଝରଣାରେ ପଡି ଯୁବକ ନିଖୋଜ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକର ଅନ୍ୟତମ ପର୍ଯ୍ୟଟନସ୍ଥଳ ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ଅଘଟଣ। ସେଲଫି ନେବା ସମୟରେ ଡୋକରୀଦର ଝରଣାରେ ଖସିଯାଇ ଜଣେ ଯୁବକ ନିଖୋଜ ହୋଇଥିବା ଜଣାପଡ଼ିଛି। ଯୁବକ ଜଣକ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଡୁମରମୁଣ୍ଡା ଗ୍ରାମର ଅଭିନାଶ ପରଜା(୨୨) ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ରବିବାର ଅଭିନାଶ ଓ ସାଙ୍ଗ ଡୁଲେଶ୍ବର ଭତରା ଏକ ବାଇକ୍ ଯୋଗେ ପର୍ଯ୍ୟଟନସ୍ଥଳ ଗୁଡହାଣ୍ଡି ଡୋକରୀ ଚଞ୍ଚରାକୁ ବୁଲିବାକୁ ଆସିଥିଲେ। ଏବଂ ପର୍ଯ୍ୟଟନ ସ୍ଥଳର ବିଭିନ୍ନ ସ୍ଥାନ ବୁଲାବୁଲି କରିବା ପରେ ଡୋକରୀଦର ଝରଣାକୁ ଯାଇ ସେଲଫି ନେଉଥିଲେ, ଏହି ସମୟରେ ଅସାବଧାନତା କାରଣରୁ ଅଭିନାଶଙ୍କ ଗୋଡ଼ଖସି ଯିବାରୁ ଝରଣାରେ ପଡିଯାଇ ଯାଇ ନିଖୋଜ ହୋଇଥିଲେ।

ଏହାପରେ ସାଙ୍ଗରେ ଥିବା ଡୁଲେଶ୍ବର ଉଦ୍ଧାର ପାଇଁ ଝରଣାର ଏଣେ ତେଣେ ଦେଖି ଥିଲେ ମଧ୍ୟ ଅଭିନାଶକୁ ପାଣିରେ ବୁଡ଼ି ଯାଇଥିବାରୁ ଖୋଜି ପାରି ନଥିଲେ। ପରେ ଡୁଲେଶ୍ବର ବ୍ୟାକୁଳ ହୋଇ ସେଠାରେ ନେଟଓ୍ବାର୍କ ଆସୁ ନଥିବାରୁ କିଛି ଦୂରକୁ ଯାଇ ପରିବାର ଲୋକଙ୍କୁ ଫୋନ୍ କରି କହିବା ସହ ପୁଲିସକୁ ମଧ୍ୟ ଖବର ଜଣାଇଥିଲେ। ଆମପାଣି ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ଉଦ୍ଧାର କରିବା ପାଇଁ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ବାଘଙ୍କ ନେତୃତ୍ବରେ କର୍ମଚାରୀ ସୁନୀଲ ରଞ୍ଜନ ବାରଲା, ରାଧେଶ୍ୟମ ପ୍ରଧାନୀ, ମନୋଜ କୁମାର ବିଶ୍ୱାଳ, ସତ୍ୟମ ମାଝୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଦିର୍ଘ ସମୟ ଧରି ପାଣି ଭିତରେ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ ସନ୍ଧ୍ୟା ହୋଇ ଯିବାରୁ ପାଣି ଭିତରୁ ଖୋଜିବାରେ ସେମାନେ ସଫଳ ହୋଇ ନଥିବା ଜଣାପଡ଼ିଛି। ଅନ୍ୟପଟେ ସୋମବାର ସକାଳୁ ପୁଣି ଖୋଜିବା ନେଇ ଆମପାଣି ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକକା ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.