ରାଜସ୍ଥାନରୁ ଅଣାଯାଇଥିବା ମୂର୍ତ୍ତିଙ୍କୁ ଭବ୍ୟ ସ୍ୱାଗତ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରେଖପୁର ଗ୍ରାମରେ ଗ୍ରାମବାସୀଙ୍କ ଉଦ୍ୟୋଗ କ୍ରମେ ମନ୍ଦିର ପ୍ରତିଷ୍ଠା ଉତ୍ସବ କମିଟିର ସଭାପତି ନାରାୟଣ ସେଲମା, ସମ୍ପାଦକ ଗୁଣମଣି ଭୋଇ ଓ କୋଷାଧ୍ୟକ୍ଷ କ୍ଷୀତିଶ ଚନ୍ଦ୍ର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନବ ନିର୍ମିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ୭ ରୁ ୧୫ ଯାଏଁ ଚାଲିବ। ନବ ନିର୍ମିତ ମନ୍ଦରେ ସ୍ଥାପନା ପାଇଁ ସୁଦୂର ରାଜସ୍ଥାନରୁ ମାର୍ବଲ ପଥରରେ ନିର୍ମିତ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଅଣାଯାଇଛି। ଯୁଗଳ ମୂର୍ତ୍ତି ଆସି ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ପହଞ୍ଚିବା ପରେ ରେଖପୁର ଗ୍ରାମବାସୀ ଓ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନେ ସୋମବାର ସଂଧ୍ୟାରେ ସଂକୀର୍ତ୍ତନ ମଣ୍ଡଳୀ ସହ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରୁ ମୂର୍ତ୍ତିକୁ ସ୍ୱାଗତ କରି ସୁସଜ୍ଜିତ ରଥରେ ବସାଇ ଭବ୍ୟ ଶୋଭାଯାତ୍ରାରେ ପାଛୋଟି ନେଇ ଗାଁକୁ ଆଣିଥିଲେ। ସଙ୍କୀର୍ତ୍ତନ ମଣ୍ଡଳୀ ସହ ନଗର ପରିକ୍ରମା ପରେ ଅସ୍ଥାୟୀ ମଣ୍ଡପରେ ଯୁଗଳ ମୂର୍ତ୍ତିଙ୍କୁ ରଖାଯାଇଥିଲା। ଜଗନ୍ନାଥଙ୍କ ପରମ ଭକ୍ତ ସ୍ୱର୍ଗତ ଡ. ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁମିତ କୁମାର ଅଗ୍ରୱାଲ (ସଣ୍ଟୁ) ରାଜସ୍ଥାନରୁ ମାର୍ବଲ ପଥରରେ ନିର୍ମତ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଆଣିବାରେ ସହଯୋଗ କରିଥିବା ସହ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ମଧ୍ୟ ଏହି ମୂର୍ତ୍ତି ଆଣିବାରେ ପୂର୍ଣ୍ଣ ସହଯୋଗ କରିବା ସହ ମୂର୍ତ୍ତିକୁ ଆଣି ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ରଖିଥିବା ପ୍ରକାଶ କରିଛନ୍ତି ରେଖପୁର ଗ୍ରାମବାସୀ। ମନ୍ଦିର ପ୍ରତିଷ୍ଠା ଉତ୍ସବ କମିଟିର ସଭାପତି ନାରାୟଣ ସେଲମା, ସମ୍ପାଦକ ଗୁଣମଣି ଭୋଇ ଓ କୋଷାଧ୍ୟକ୍ଷ କ୍ଷୀତିଶ ଚନ୍ଦ୍ର ପୋଢଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ନବ ନିର୍ମିତ ରାଧାକୃଷ୍ଣ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଇଁ ପ୍ରମୁଖ କର୍ତ୍ତା ଚୟନ ହୋଇସାରିଛି। ରେଖପୁର ଗ୍ରାମର ଗୈାନ୍ତିଆ ଟଙ୍କଧର ଭୋଇଙ୍କ ସୁପୁତ୍ର ଟର୍ଜିନ କୁମାର ଭୋଇ ଓ ତାଙ୍କ ଧର୍ମପତ୍ନୀ ବନୀତା ଭୋଇଙ୍କୁ ମୁଖ୍ୟ କର୍ତ୍ତା ଭାବରେ ଦାଇତ୍ୱ ପ୍ରଦାନ କରାଯାଇଥିବା ଜଣାପଡିଛି। ୭ ରୁ ଆରମ୍ଭ ହେବ ରେଖପୁର ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଏହା ୧୫ ଯାଏଁ ଚାଲିବ। ୭/୩ ପ୍ରାତଃ ସମୟରେ କଳସ ଯାତ୍ରା, ଅଧିବାସ, ଦୀକ୍ଷା ଗ୍ରହଣ, ମଣ୍ଡଳ କରଣ ସଂଧ୍ୟା ୭ ଘଣ୍ଟା ସମୟରେ ଶୁଭ ଅଙ୍କୁରା ରୋପଣ କାର୍ଯ୍ୟକ୍ରମ ରହିଥିବା ବେଳେ ସେହିଭଳି ୮/୩ ରେ ପ୍ରାତଃ ପ୍ରତିଷ୍ଠା କର୍ମାରମ୍ଭ, ଶାଳା ସଂସ୍କାର, ସୂର୍ଯ୍ୟ ପୂଜା, ଗୋପୂଜା, ବୈଷ୍ଣବାନୀ ସଂସ୍କାର କାର୍ଯ୍ୟକ୍ରମ ରହିଛି। ସେହିଭଳି ୯/୩ ରେ ହରିଦ୍ରାଦିବାସ, ପୁଷ୍ପାଧିବାସ, କଳାଧିବାସ ଓ ଶୟନ ବିଧାନ ଅନୁଷ୍ଠିତ ହେବ। ୧୦/୩ ରେ ପ୍ରାସାଦନ୍ୟାସ, ନାଭିନ୍ୟାସ ଓ କୁର୍ମନ୍ୟାସ ସହ ଦେବତା ପ୍ରାଣ ସଂଚାର ବିଧାନ ଅନୁଷ୍ଠିତ ହେବ। ୧୧/୩ ମଙ୍ଗଳବାର ଦେବତା ଗ୍ରାମ୍ୟ ପରିକ୍ରମା, ଚକ୍ର ଭ୍ରମଣ, ଧ୍ୱଜା ସ୍ଥାପନ ଓ ସିଂହାସନ ଆରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ୧୨/ ରୁ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ। ଏହା ୧୫/୩ ହୋଲି ଉତ୍ସବ ଦିନ ସକାଳେ ପୂର୍ଣ୍ଣାହୂତି ପଡିବ। ଏହାସହ ଦଧିଭାଣ୍ଡ ଭଗ୍ନ, ନଗର ପରିକ୍ରମା, ଫଗୁଯାତ୍ରା ଯମୁନା ସ୍ନାନ ଅନୁଷ୍ଠିତ ହେବ ବୋଲି କମିଟି ସୂତ୍ରରୁ ଜଣାପଡିଛି। ଏହି ୯ ଦିନ ବ୍ୟାପୀ ରେଖପୁର ଗ୍ରାମରେ ଅନୁଷ୍ଠିତ ହେବାକୁ ରହିଥିବା ଏହି ମହାର୍ଘ କାର୍ଯ୍ୟରେ ଅଞ୍ଚଳବାସୀ ଶ୍ରଦ୍ଧାଳୁ ଭକ୍ତ ସମସ୍ତେ ସାମିଲ ହୋଇ ବିଭୂ କୃପା ଲାଭ କରନ୍ତୁ ବୋଲି ପରିଚାଳନା ସମିତି କର୍ମକର୍ତ୍ତା ଓ ଗ୍ରାମବାସୀ ସମସ୍ତଙ୍କୁ ଆଗ୍ରହ କରିଛନ୍ତି।







