ନର୍ଲାରେ “ଇଲେକ୍ଟ୍ରିକ ରେଳ ଇଞ୍ଜିନ ପିରିଓଡିକାଲ ଓଭର ହୌଲିଙ୍ଗ କାରଖାନା” ପ୍ରସଙ୍ଗ; ମୋଦୀଙ୍ଗ ଶିଳାନ୍ୟାସକୁ ବର୍ଷେ ବିତିଲା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ୨୦୨୪ ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାରେ ୧୯,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଗୁଡିକର ଭର୍ଚ୍ଚୁଆଲ ମୋଡରେ ଶିଳାନ୍ୟାସ କରିଥିଲେ । ଯାହାର ସିଧା ପ୍ରସାରଣ ଏଲଇଡି ମାଧ୍ୟମରେ ଦେଖିଥିଲେ ଜନସାଧାରଣ । ସେଥି ମଧ୍ୟରୁ ନର୍ଲାରେ ହେବାକୁ ରହିଥିବା “ଇଲେକ୍ଟ୍ରିକ ରେଳ ଇଞ୍ଜିନ ପିରିଓଡିକାଲ ଓଭର ହୌଲିଙ୍ଗ କାରକାନା” ଅନ୍ୟତମ । ଉକ୍ତ ନିଳାନ୍ୟାସ ଉତ୍ସବ ସମସ୍ତେ ଦେଖିବା ପାଇଁ ଉକ୍ତ ଦିନ ନର୍ଲାରୋଡ ପ୍ଲାଟଫର୍ମରେ ବିଭାଗ ତରଫରୁ ଭବ୍ୟ ଆୟୋଜନ କରାଯାଇଥିଲା । ତତ୍କାଳୀନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସମେତ ବିଭାଗୀୟ ଉଚ୍ଚ ଅଧିକାରୀ ଡିଆରଏମ ଏ କେ ସିଂ, ଡିଏନ କେ ବି ରାଓ, ଡିଏନ ଦକ୍ଷିଣ, ପଦ୍ମ ଶ୍ରୀ ପୁରସ୍କାରରେ ସମ୍ମାନୀତ କଳାହାଣ୍ଡିର ବିଶିଷ୍ଟ ଚାଷୀ ପଟ୍ଟୟତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ୬୦ ରୁ ଉର୍ଦ୍ଧ୍ୱ ବିଭାଗୀୟ ଅଧିକାରୀ ଓ ରାଜ୍ୟ ସ୍ତରୀୟ ଅଧିକାରୀଙ୍କ ସମେତ ଦଳୀୟ ଛୋଟବଡ କର୍ମକର୍ତ୍ତା ଓ ୩୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ଥିଲେ । ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦୀ, “ବିକଶିତ ଭାରତ, ବିକଶିତ ଓଡିଶା”, “ମୋଦୀ ଗ୍ୟାରେଣ୍ଟି” ପ୍ରଭୃତି ବିଷୟରେ ଜନସାଧାରଣଙ୍କୁ ସମ୍ବୋଧିତ କରି ଉଦ୍ୱୋଧନ ଦେଇଥିଲେ । ହେଲେ ଗତ ୨୦୨୪ ମାର୍ଚ୍ଚ ୫ ରେ ଶିଳାନ୍ୟାସ କରିଥିବା “ଇଲେକ୍ଟ୍ରିକ ରେଳ ଇଞ୍ଜିନ ପିରିଓଡିକାଲ ଓଭର ହୌଲିଙ୍ଗ କାରଖାନା” ଗଲା କୁଆଡେ? ଶିଳାନ୍ୟାସ- ଶିଳାନ୍ୟାସ ହୋଇ ରହିଗଲା। ଆରମ୍ଭ ହେବାର ନାଁ ଗନ୍ଧ ନାହିଁ।ଏଇଟା କଣ ମୋଦୀ ଗ୍ୟାରେଣ୍ଟି କି? ପୂର୍ବରୁ ସିନା ଓଡିଶାରେ ବିଜେଡି ସରକାର ଶାସନ ଗାଦୀରେ ବସିଥିଲା । କେନ୍ଦ୍ର ସରକାରଙ୍କ ପ୍ରକଳ୍ପକୁ ଜମି ଯୋଗାଇ ଦେଉନଥିଲା । ସବୁବେଳେ ବିରୋଧ କରୁଥିଲା । ହେଲେ ଏବେତ ଓଡିଶାରେ ଡବଲ ଇଞ୍ଜିନ ସରକାର? ଏବେ ନର୍ଲାରେ“ଇଲେକ୍ଟ୍ରିକ ରେଳ ଇଞ୍ଜିନ ପିରିଓଡିକାଲ ଓଭର ହୌଲିଙ୍ଗ କାରଖାନା” କରିବା ପାଇଁ କେନ୍ଦ୍ରକୁ କୌଣସୀ ବାଧା ଉପୁଜିବା କଥା ନାହିଁ । ହେଲେ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଶିଳାନ୍ୟାସ ସତ୍ୱେ କାହିଁକି ଆଗେଇ ପାରୁନି ଏହି ପ୍ରକଳ୍ପ? ନର୍ଲା ଅଞ୍ଚଳ ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଚାଷୀ ଇନ୍ଦ୍ର ଦେବତାଙ୍କ ଉପରେ ଭରଷା କରିଥାନ୍ତି ଚାଷ କାର୍ଯ୍ୟ ପାଇଁ । ଭଲ ବର୍ଷା ହେଲା ତ ଠିକ ନହେଲେ ଚାଷୀଙ୍କ କପାଳ ଫାଟିଲା । ବିକାଶରୁ ବହୁ ଦୂରରେ ରହିଥିବା ନର୍ଲା ଅଞ୍ଚଳରେ କଳ କାରଖାନା ନଥିବାରୁ ଏଠାକାର ଲୋକେ ଚାଷକାର୍ଯ୍ୟ ସରିଯିବା ପରେ ଦାଦନ ଖଟିବା ପାଇଁ ଯାଇଥାନ୍ତି ବାହାର ରାଜ୍ୟକୁ । ଲୋକଙ୍କ ଅନେକ ଆଶା ବିଶ୍ୱାସ ଥିଲା ନର୍ଲାରେ“ଇଲେକ୍ଟ୍ରିକ ରେଳ ଇଞ୍ଜିନ ପିରିଓଡିକାଲ ଓଭର ହୌଲିଙ୍ଗ କାରଖାନା” ନିର୍ମାଣ ହେଲେ ସମସ୍ତେ କର୍ମ ସଂସ୍ଥାନ ପାଇବେ । ଆଉ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବାକୁ ପଡିବ ନାହିଁ । ଘରେ ସ୍ତ୍ରୀ, ପିଲା, ଛୁଆ ସହ ଶାନ୍ତିରେ ରହି ଜୀବନ ବିତାଇବେ ବୋଲି । ହେଲେ ନା ଆଗେଇ ପାରୁଛି କାରଖାନା, ନା ଆର୍ଥିକ ସ୍ୱଚ୍ଛଳ ହେଉଛନ୍ତି ସ୍ଥାନୀୟ ଶ୍ରମଜୀବୀ । ଏବେ ପୁଣି କୋମାରେ ନର୍ଲା “ଇଲେକ୍ଟ୍ରିକ ରେଳ ଇଞ୍ଜିନ ପିରିଓଡିକାଲ ଓଭର ହୌଲିଙ୍ଗ କାରଖାନା” । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୨୦୧୦-୨୦୧୧ ରେ ୟୁପିଏ ସରକାରଙ୍କ ସମୟରେ ସୁଶ୍ରୀ ମମତା ବାନାର୍ଜୀ ରେଳ ମନ୍ତ୍ରୀ ରହିଥିବା ବେଳେ ଫେବୃୟାରୀ ୧୦ ରେ ରେଳ ବଜେଟ ସମୟରେ କଳାହାଣ୍ଡି କିମ୍ବା ଭୁବନେଶ୍ୱରରେ ରେଳୱାଗନ କାରଖାନା ପାଇଁ ପ୍ରସ୍ତାବିତ କରିଥିଲେ । ସେତେବେଳେ କଳାହାଣ୍ଡି ସାଂସଦ ଭାବରେ କଂଗ୍ରେସର ଟାଣୁଆ ନେତା ଭକ୍ତଚରଣ ଦାସ ନିର୍ବାଚିତ ହୋଇଥିଲେ । କଳାହାଣ୍ଡିର କୋଉଠି କରାଯିବ ଏହି ପ୍ରସ୍ତାବିତ କାରଖାନା ବୋଲି ମଧ୍ୟ ବିବାଦ ଉପୁଜିଲା । ଏହାପରେ କେନ୍ଦ୍ର ରେଳ ମନ୍ତ୍ରୀ ଭାବରେ ସୁରେଶ ପ୍ରଭୁ ଦାଇତ୍ୱରେ ରହିଲେ । ଏହାପରେ ମଧ୍ୟ ପୁଣି ବିବାଦ ଉପୁଜି ଉକ୍ତ କାରଖାନାଟି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର “ସୀତାପାଲି”କୁ ଚାଲିଯାଇଥିବା ଆଲୋଚନା ହୁଏ । ଏହାପରେ ରେଳୱାଗନ କାରଖାନାରୁ ଏହା ସଙ୍କୁଚିତ ହୋଇ “ଇଲେକ୍ଟ୍ରିକ ରେଳ ଇଞ୍ଜିନ ପିରିଓଡିକାଲ ଓଭର ହୌଲିଙ୍ଗ କାରଖାନ” ହେବ ବୋଲି ଘୋଷିତ ହେଲା । ଏଥିପାଇଁ ବଜେଟରେ ୧୮୬ କୋଟି ଟଙ୍କା ମଞ୍ଜୁର ହେଲା । ଏହାକୁ ନେଇ ବିଜେଡି ଓ ବିଜେପି ସରକାର ମଧ୍ୟରେ ବାରମ୍ବାର ବିବାଦ ଲାଗି ରହିଲା । ଚାଲିଲା କାଦୁଅ ଫିଙ୍ଗା ଫିଙ୍ଗି। ବିଜେଡି କହିଲା କେନ୍ଦ୍ର ସରକାରଙ୍କ ଇଚ୍ଛା ନାହିଁ । କେନ୍ଦ୍ର ବିଜେପି ସରକାର କହିଲା ବିଜେଡି ସରକାର ଏଥିପାଇଁ ଜମି ଯୋଗାଇ ଦେଉନି । ଏମିତି ବିବାଦରେ ୨୦୨୦ ରେ “ଇଲେକ୍ଟ୍ରିକ ରେଳ ଇଞ୍ଜିନ ପିରିଓଡିକାଲ ଓଭର ହୌଲିଙ୍ଗ କାରଖାନ” ହେବ ବୋଲି ସ୍ଥିରିକୃତ ହେଲା । ହେଲେ ଇତି ମଧ୍ୟରେ ୨୦୧୦ ରୁ ୨୦୨୪ କାରଖାନା ୧୪ ବର୍ଷ ମଧ୍ୟରେ ଏହାକୁ ନେଇ ବିଭିନ୍ନ ସଙ୍ଗଠନ, ବିଭିନ୍ନ ବିରୋଧୀ ଦଳ ତରଫରୁ ଅନେକ ଥର ହୋଇଛି ଆନ୍ଦୋଳନ, ରେଳରୋକ, ଗଣ ଧାରଣା। ୧୪ ବର୍ଷର ବନବାସ ସାରିବା ପରେ ମଧ୍ୟ ଅନିଶ୍ଚିତତା ରେ ରହିଛି ଏହି କାରଖାନା। ଆଗକୁ ଓଡିଶାରେ ବିଧାନ ସଭା ନିର୍ବାଚନକୁ ଆଖି ଆଗରେ ରଖି ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦୀଜୀ କଳାହାଣ୍ଡି ବାସୀଙ୍କ ମନରେ ପୁଣି ଆଶା ଉଦ୍ଜୀବୀତ କରି ୫ ମାର୍ଚ୍ଚ ୨୦୨୪ ରେ ଏହାର ଶିଲାନ୍ୟାସ କଲେ । ଲୋକେ ପୁଣି ଆଶା ବାନ୍ଧି ବସିଲେ ନର୍ଲାର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବେଶ ତତ୍ପର ବୋଲି । ଲୋକେ ମୋଦୀଙ୍କୁ ଆଖିବୁଜା ଭୋଟ ଦେଲେ । କଳାହାଣ୍ଡି ସାଂସଦ ଆସନ ହାତେଇଲା ବିଜେପି । ବହୁ ଭୋଟରେ ନିର୍ବାଚିତ ହେଲେ କଳାହାଣ୍ଡିର ମାଳବିକା ଦେବୀ । ହେଲେ ମୋଦୀଜୀଙ୍କ ଶିଲାନ୍ୟାସ ପରେ ବର୍ଷେ ବିତିଯାଇଥିଲେ ମଧ୍ୟ ପୁଣି କୋମାରେ “ଇଲେକ୍ଟ୍ରିକ ରେଳ ଇଞ୍ଜିନ ପିରିଓଡିକାଲ ଓଭର ହୌଲିଙ୍ଗ କାରଖାନା” । ପ୍ରଶ୍ନ ଉଠୁଛି ଏହି କାରଖାନା ନର୍ଲାରେ ହେବତ? ମୋଦୀ ଗ୍ୟାରେଣ୍ଟି ଫଳପ୍ରଦ ହେବତ?