ଓଇଆରସିର ୭୮ କୋଟିର ଆର୍ଥିକ ଅନିୟମିତତା ପ୍ରସଙ୍ଗ : ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସମାଜବାଦୀ ପାର୍ଟିର ଦାବି 

ଓଡିଆ ବାର୍ତ୍ତା/ ଭୁବନେଶ୍ୱର: ଓଇଆରସିର ୭୮ କୋଟିର ଆର୍ଥିକ ଅନିୟମିତତା ପ୍ରସଙ୍ଗକୁ ଦୋହରାଇଛି ସମାଜବାଦୀ ପାର୍ଟି। ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ ଏ ପ୍ରସଙ୍ଗ ଉତ୍ଥାପନ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଓଡିଶା ଏକ ବିଦ୍ୟୁତ ବଳକା ରାଜ୍ୟ। ସେଥିପାଇଁ ରାଜ୍ୟବାସୀଙ୍କୁ ସୁଲଭ ମୂଲ୍ୟରେ ନିରବଛିନ୍ନ ବିଜୁଳି ଯୋଗାଇବା ଲକ୍ଷ୍ୟରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଗଠନ ହୋଇଥିଲା। ଏହା ମଧ୍ୟରେ ଦୀର୍ଘ ବର୍ଷ ବିତିଥିଲେ ସୁଦ୍ଧା ଆୟୋଗ ଉପଭୋକ୍ତା ମାନଙ୍କ ଆସ୍ତା ଭାଜାନ ହୋଇପାରିନି। ସୁଲଭ ମୂଲ୍ୟରେ ବିଜୁଳି ତ ଦୂରର କଥା ପ୍ରତିବର୍ଷ ଦରବୃଦ୍ଧି କରି ଆୟୋଗ ଘରୋଇ କମ୍ପାନୀ ମାନଙ୍କୁ ଲାଭବାନ କରୁଛି। ନିକଟରେ ସିଏଜିଙ୍କ ରିପୋର୍ଟ  ଆୟୋଗର ଆର୍ଥିକ ଅନିୟମିତତାକୁ ମଧ୍ୟ ପଦାରେ ପକାଇ ଦେଇଛି। ଓଇଆର ପାଣ୍ଠି ମଧ୍ୟ ସରକାରୀ ଆକାଉଣ୍ଟ ପରିବର୍ତ୍ତେ ବ୍ୟାଙ୍କ ଆକାଉଣ୍ଟରେ ଜମା  କରା ଯାଉଥିଲା ବୋଲି ସିଏଜିଙ୍କ ରିପୋର୍ଟ କହୁଛି। ନିୟମ ଅନୁଯାଇ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାପ୍ତ ଅନ୍ୟ ସମସ୍ତ ସରକାରୀ ଅର୍ଥ ସରକାରୀ ଆକାଉଣ୍ଟରେ ଜମା କରାଯିବାର ବ୍ୟବସ୍ଥା ରହିଛି। ବିଦ୍ୟୁତ୍ ଆଇନ-୨୦୦୩ ଅଧୀନରେ ଓଇଆରସି ଗଠନ କରାଯାଇଥିଲା। ଏହି ଆଇନରେ ଓଇଆରସି ପାଣ୍ଠି ଗଠନ କରିବାକୁ ନିୟମ ଥିଲା, ଯେଉଁଥିରେ ଆୟୋଗର ପ୍ରାପ୍ତି ଜମା କରାଯିବ ଏବଂ ସେଥିରୁ ଅର୍ଥ ଖର୍ଚ୍ଚ କରାଯିବ। ଓଡ଼ିଶା ସରକାର ପ୍ରଣୟନ କରିଥିବା ଓଇଆରସି ପାଣ୍ଠି ନିୟମ ଅନୁଯାୟୀ ଓଇଆରସିକୁ ଏଭଳି ପ୍ରାପ୍ତି ରଖିବା ଓ ସେଥିରୁ ଖର୍ଚ୍ଚ କରିବା ପାଇଁ ଏକ ବ୍ୟାଙ୍କ ଖାତା ଖୋଲିବା ଲାଗି ଅନୁମତି ଦିଆଯାଇଥିଲା। ଉପରୋକ୍ତ ନିୟମ ଅନୁଯାୟୀ ସରକାରୀ ବ୍ୟାଙ୍କ ଖାତାରେ ପାଣ୍ଡି ରଖାଯିବା କଥା କିନ୍ତୁ  ୨୦୨୪ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସରକାରୀ ଆକାଉଣ୍ଟ ପରିବର୍ତ୍ତେ ବ୍ୟାଙ୍କ ଖାତାରେ ୭୮ କୋଟି ଟଙ୍କା ରଖାଯାଇଥିଲା। ଏହାଦ୍ଵାରା କେବଳ ସାମ୍ବିଧାନିକ ଆଦେଶ ଉଲ୍ଲଙ୍ଘନ କରାଯାଇ ନାହିଁ ବରଂ ପବ୍ଲିକ ଆକାଉଣ୍ଟ ବାଲାନ୍ସ ମଧ୍ୟ ୭୮କୋଟି ଟଙ୍କା କମ ଥିବା ଉଲ୍ଲେଖ ଅଛି, ଯାହା ବିତ୍ତୀୟ ନିଅଣ୍ଟକୁ ଅର୍ଥ ଯୋଗାଇବାରେ ସହାୟକ ହୋଇଥାନ୍ତା ବୋଲି ରିପୋର୍ଟରେ ଦର୍ଶାଯାଇଛି।  ଯାହା ଆୟୋଗର ପାରିବାର ପଣିଆକୁ ପଦାରେ ପକାଇ ଦେଇଛି। ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ବିଦ୍ୟୁତ୍ ନିୟାମକ ଆୟୋଗର ପାଣ୍ଠି ଭାରତ ସରକାରଙ୍କ ପବ୍ଲିକ ଆକାଉଣ୍ଟରେ ଜମା ହେଉଥିବା ବେଳେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ କାହିଁକି ଏତେ ଟଙ୍କା ସରକାରୀ ଖାତାରେ ଜମା କଲେନି ତାହା ତଦନ୍ତ ସାପେକ୍ଷ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ ସଭାପତି ଶିବ ହାତୀ ଯାଦବ ପ୍ରଶ୍ନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.