ବାଲେଶ୍ଵର ଠାରେ ମକ୍ ଡ୍ରିଲ୍ ନିମନ୍ତେ ଜରୁରୀ ବୈଠକ

ଓଡିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ  କୌଶଳ ଅଭ୍ୟାସ (ମକ୍ ଡ୍ରିଲ) ନିମନ୍ତେ ଏକ ଜରୁରୀ ବୈଠକ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜ ପ୍ରାସାଦଙ୍କ ମିଳିତ ଉପସ୍ଥିତିରେ ଅନୁଷ୍ଠିତ ହେଇଯାଇଛି। ଏହି ମକ୍ ଡ୍ରିଲ୍ ବାଲେଶ୍ଵର ସହରାଞ୍ଚଳରେ ଅପରାହ୍ନ ୪ଟାରେ ହେବା ସମ୍ପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଡ଼ାକବାଜି ଯନ୍ତ୍ର ଯୋଗେ ବୁଧବାର ପୂର୍ବାହ୍ନରେ ପ୍ରଚାର କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଅଭ୍ୟାସ ସମୟ ଅପରାହ୍ନ ୪ଟାରେ ଆରମ୍ଭର ସୂଚନା ୧ମିନିଟ୍ ସାଇରନ୍ ବଜାଇ ଏବଂ ୪.୩୦ଟାରେ ଅଭ୍ୟାସ ଶେଷ ପାଇଁ ୦୧ ମିନିଟ୍ ସାଇରନ ବଜାଇ ଜନସାଧାରଣଙ୍କୁ ଅବଗତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ସହରର ବିଭିନ୍ନ ଜନଗହଳି ପୂର୍ଣ୍ଣ ଅଞ୍ଚଳ ମଧ୍ୟରେ ୯ ଗୋଟି ସ୍ଥାନ ଚିହ୍ନଟ କରାଯାଇ ସାଇରନ୍ ବ୍ୟବସ୍ଥା କରାଯାଇଛି। ଚିହ୍ନଟ ହୋଇଥିବା ସ୍ଥାନଗୁଡିକ ହେଲା ସିନେମା ଛକ, ପୋଲିସ ଲାଇନ, ବିବେକାନନ୍ଦ ମାର୍ଗ, ମୋତିଗଞ୍ଜ ବଜାର, ଫାଣ୍ଡି ଛକ, ଟାଉନ ଥାନା, ଭାସ୍କର ଗଞ୍ଜ, ବସ୍ ଷ୍ଟାଣ୍ଡ୍ ଏବଂ ଆଇ.ଟି.ଆଇ. ଛକ। ଏଥି ସହିତ ବ୍ୟବସାୟୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ୍ ସେବା, ଜନସାଧାରଣଙ୍କ ରାସ୍ତା ଉପରେ ଚଳପ୍ରଚଳ ଯେପରି ସମ୍ପୂର୍ଣ୍ଣ ବନ୍ଦ ରହିବ ସେଥିପ୍ରତି ଧ୍ୟାନ ଦେବା ପାଇଁ ଉଭୟ ଜିଲ୍ଲାପାଳ ମୟୂର ବିକାଶ ଏବଂ ଆରକ୍ଷୀ ଅଧିକ୍ଷକ ରାଜ୍ ପ୍ରସାଦ ଗୁରୁତ୍ୱାରୋପ କରିଛନ୍ତି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ ସଦର ଉପ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ଶିର୍କେ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଯୋଗ ଦେଇ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.