ତୁଳାପଡ଼ା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା: ଆଜିଠୁ ଆରମ୍ଭ ହେଲା ୩୨ ପ୍ରହର ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡ଼ା ନବ ନିର୍ମିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଗତ ୨୫/୫ ରବିବାର ରୁ ଆରମ୍ଭ ହୋଇଛି। ଏହି ଉତ୍ସବରେ ଆଜିଠୁ ୩୨ ପ୍ରହର ନାମଯଜ୍ଞା ଆରମ୍ଭ ହୋଇଛି। ସ୍ଥାନୀୟ ତୁଳାପଡ଼ା ସଙ୍କୀର୍ତ୍ତନ ମଣ୍ଡଳୀ ଆଜି ସକାଳ ୬.୨୦ ସମୟରେ ନାମ ଆରମ୍ଭ କରିଛନ୍ତି। ଏଥିପାଇଁ ପରିଚାଳନା କମିଟି ୧୯ ଗୋଟି ସଂକୀର୍ତ୍ତନ ମଣ୍ଡଳୀଙ୍କୁ ନିମନ୍ତ୍ରଣ କରିଥିବା ଜଣାପଡିଛି। ନାମଯଜ୍ଞରେ ମମତା ପଧାନ ଓ କ୍ଷିରସିନ୍ଧୁ ପଧାନ, ବିଜୟ ସାହୁ ଏଭଳି ଦୁଇ ଯୋଡ଼ି କର୍ତ୍ତା ଦମ୍ପତି ଦାଇତ୍ୱ ନିର୍ବାହନ କରୁଥିବା ବେଳେ ବ୍ରହ୍ମା ପଣ୍ଡିତ ଘନଶ୍ୟାମ ତ୍ରିପାଠୀ ଓ ତାଙ୍କ ସହଯୋଗୀ ମାନେ ପୂଜା ପରିଚାଳନା କରୁଛନ୍ତି। ଜୁନ ୨ ତାରିଖ ଦିନ ଏହାର ପୂର୍ଣ୍ଣାହୁତି ପଡ଼ିବ। ମନ୍ଦିର ପ୍ରତିଷ୍ଠା ଉତ୍ସବ ପରିଚାଳନା କମିଟି ର ସଭାପତି ଅରୁଣ କୁମାର ନାୟକ ଓ ସମ୍ପାଦକ ଗଙ୍ଗାଧର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ନବ ନିର୍ମିତ ଜଗନ୍ନାଥ ମନ୍ଦିର ପାର୍ଶ୍ୱରେ ନିର୍ମିତ ହୋଇଛି ପଞ୍ଚ କୁଣ୍ଡୀୟ ଯଜ୍ଞ ମଣ୍ଡପ। ପାଞ୍ଚ ଗୋଟି ଯଜ୍ଞ କୁଣ୍ଡ ପାଇଁ ପାଞ୍ଚ ଯୋଡ଼ି କର୍ତ୍ତା ଦମ୍ପତି ଘୃତାହୂତି ପ୍ରଦାନ କରି ପୂଜନ କାର୍ଯ୍ୟ କରୁଛନ୍ତି। ବ୍ରହ୍ମା ପଣ୍ଡିତ ମୁଖ୍ୟ ଆଚାର୍ଯ୍ୟ ଦେବ ପ୍ରସାଦ ଷଢ଼ଙ୍ଗୀଙ୍କ ନେତୃତ୍ୱରେ ୧୫ ଜଣ ପଣ୍ଡିତ ଯଜ୍ଞ କାର୍ଯ୍ୟ ପରିଚାଳନା କରୁଛନ୍ତି। ଏଠି ଘୃତ ଯଜ୍ଞ,ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ପ୍ରଭୃତି ଅନୁଷ୍ଠିତ ହେଉଛି। ନୂତନ ମନ୍ଦିର ପ୍ରତିଷ୍ଠା ପରେ ବୁଧବାର ବେଢ଼ା ପରିକ୍ରମା ସହ ସିଂହାସନରେ ବିରାଜିଛନ୍ତି କାଳିଆ ସାଆନ୍ତ। ପାର୍ଶ୍ଵ ଦେବାଦେବୀ ମାନଙ୍କୁ ମଧ୍ଯ ନିଜ ନିଜ ଆସନରେ ବିରାଜମାନ ହୋଇସାରିଛନ୍ତି। ପ୍ରତ୍ୟହ ପ୍ରବଳ ଭକ୍ତ ସମାଗମ ଲାଗି ରହିଛି। କଳାହାଣ୍ଡି କୁଲତା ସମାଜ ପକ୍ଷରୁ ଏଠାରେ ଜଳ ଛତ୍ରର ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳୁଛି। ପରିଚାଳନା କମିଟି ର ସଦସ୍ୟ, ତୁଳାପଡ଼ା ଜନସାଧାରଣ, ଯୁବବର୍ଗ ସମସ୍ତେ ଯଜ୍ଞ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି। ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ପ୍ରମୁଖ ଏହି ଯଜ୍ଞ ର ସଫଳତା ପାଇଁ କାମନା କରିବା ସହିତ ଆୟୋଜକ ମଣ୍ଡଳୀ ଓ ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.