ପାଳିତ ହେଲା ବିଶ୍ୱ ପରିବେଶ ଦିବସ : ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧରେ ଅତିଥି ମାନେ ଦେଲେ ସ୍ପଷ୍ଟ ସନ୍ଦେଶ

ଓଡିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି):
‘କଳିଙ୍ଗ ଆଡଭାନ୍ସ ଚାରିଟେବୁଲ ଟ୍ରଷ୍ଟ’ ଓ ‘ସେଭ୍‌ ଏନଭାୟରନମେଣ୍ଟ, ସେଭ୍‌ ଗ୍ଲୋବ୍’ର ମିଳିତ ପ୍ରୟାସରେ ଭୁବନେଶ୍ଵର ଠାରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଏକକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଡକ୍ଟର ସିପ୍ରା ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ବିଶିଷ୍ଟ ସାମାଜସେବୀ, ସାମ୍ବାଦିକ, ଇଂରାଜୀ ସମ୍ବାଦପତ୍ର ‘ଦ କଳିଙ୍ଗ କ୍ରୋନିକଲ୍ସ’ ଓ ଓଡ଼ିଆ ଖବରକାଗଜ ‘ପର୍ଯ୍ୟବେକ୍ଷକ’ର ସଂପାଦକ ଡ଼କ୍ଟର ପବିତ୍ର ମୋହନ ସାମନ୍ତରାୟ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସଭାକୁ ସମ୍ବୋଧିତ କରିଥିଲେ। ‘ସେଭ୍ ଏନଭାୟରନମେଣ୍ଟ୍, ସେଭ୍ ଗ୍ଲୋବ୍’ର ଅଧ୍ୟକ୍ଷ ଶ୍ରୀ ଗୋପବନ୍ଧୁ ମଲ୍ଲିକ ଓ ‘ଦ ପାୟୋନିୟର୍’ର ବାର୍ତ୍ତା ସଂପାଦକ ଶ୍ରୀ ସୁଜ୍ଞାନ ଚୌଧୁରୀ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ।

ଏ ବର୍ଷ ପରିବେଶ ଦିବସ ‘ପ୍ଲାଷ୍ଟିକ ପ୍ରଦୂଷଣକୁ ପ୍ରତିରୋଧ କରନ୍ତୁ’ ଥିମ୍ ଉପରେ ଆଧାରିତ ଥିଲା। ବକ୍ତାମାନେ ପ୍ଲାଷ୍ଟିକ ପ୍ରଦୂଷଣ ଜନିତ ଜୈବ ବିବିଧତା ହ୍ରାସ, ରାସାୟନିକ ପ୍ରଦୂଷଣ ଓ ପରିବେଶ ଉପରେ ତାହାର ଭୟାବହ ପ୍ରଭାବ ବିଷୟରେ ଅବଗତ କରାଇଥିଲେ। ସେମାନେ ସରକାରଙ୍କୁ ଅନୁରୋଧ କରିଥିଲେ ଯେ ଯେଉଁ ସବୁ ପ୍ଲାଷ୍ଟିକ କାରଖାନା ପରିବେଶ ପାଇଁ ହାନିକାରକ, ସେଗୁଡ଼ିକୁ ବନ୍ଦ କରାଯିବା ଉଚିତ।

ଡ଼କ୍ଟର ସାମନ୍ତରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ରାଷ୍ଟ୍ରୀୟ ବନ ନୀତି ୧୯୮୮ ଅନୁସାରେ ଭାରତର ୩୩% ଭୌଗୋଳିକ କ୍ଷେତ୍ର ଉପରେ ଉଦ୍ଭିଦ ଆବରଣ ହେବା ଉଚିତ। କିନ୍ତୁ ବର୍ତ୍ତମାନ ମାତ୍ର ୨୫.୧୭% ଅଞ୍ଚଳରେ ହିଁ ଜଙ୍ଗଲ ଅଛି, ଯାହାକି ଦୁଃଖଦ ଓ ଚିନ୍ତାଜନକ। ଏହା ସରକାରଙ୍କର ପାଇଁ ଏକ ନୈତିକ ଓ ଆଇନଗତ ଦାୟିତ୍ୱ ବୋଲି ସେ କହିଥିଲେ। ଆହୁରି ମଧ୍ୟ ନାଗରିକମାନେ ଗଛ ଲଗାଇବାର ଆବଶ୍ୟକତା ଉପରେ ସେ ଜୋର୍ ଦେଇଥିଲେ।

ଶ୍ରୀ ସୁଜ୍ଞାନ ଚୌଧୁରୀ କହିଲେ ଯେ, ଭାରତ ପ୍ରତିବର୍ଷ ୯.୩ ମିଲିୟନ୍ ଟନ୍ ପ୍ଲାଷ୍ଟିକ ପ୍ରଦୂଷଣ ସୃଷ୍ଟି କରେ, ଯାହା ବିଶ୍ୱ ମାନ୍ୟ ପ୍ଲାଷ୍ଟିକ ନିର୍ଗମନର ପ୍ରାୟ ପାଞ୍ଚ ଶତାଂଶ ଅଟେ। ଏହି ପ୍ରବୃତ୍ତି ଅବିରତ ଚାଲିଲେ ପୃଥିବୀର ଇକୋ ସିଷ୍ଟମ୍‌ ଧ୍ଵଂସ ହେବା ନିଶ୍ଚିତ ବୋଲି ସେ ସତର୍କ କରାଇଥିଲେ । ସେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବନ୍ଦ କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ।

ଡ଼କ୍ଟର ସୁଶାନ୍ତ ଦାସ, ଗୋପବନ୍ଧୁ ମଲ୍ଲିକ ଓ ବିଶିଷ୍ଟ ଲେଖିକା ରଶ୍ମୀ ରାଉଳ ପରିବେଶ ପ୍ରଦୂଷଣ ଉପରେ ଚିନ୍ତା ବ୍ୟକ୍ତ କରିଥିଲେ। ସେମାନେ ଓଡିଶାର ପ୍ରତ୍ୟେକ ଅଞ୍ଚଳରେ ଭଗବାନ ଜଗନ୍ନାଥଙ୍କ ନାମରେ ନିମ୍ବ ଗଛ ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ପରିବେଶ ପ୍ରେମୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ, ଯେଉଁମାନଙ୍କ ମଧ୍ୟରେ ସୁଲଗ୍ନା ସୁଚରିତା, ବନଶ୍ରୀ ମହାପାତ୍ର, ନୃସିଂହନାଥ ନନ୍ଦ ଓ ଦୀନବନ୍ଧୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଡ଼ା. ସୁଶାନ୍ତ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାର ସଫଳତା ପାଇଁ କୃତଜ୍ଞତା ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.