ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ରୋତ୍ସବ ଓ ନବ ଯୌବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ବଡ଼ି ଭୋରରୁ ଠାକୁର ମାନଙ୍କୁ ସ୍ନାନ ମାର୍ଜନା କରାଯାଇ ମଙ୍ଗଳ ଆଳତି, ଧୂପ, ଦୀପ ଦେଇ ବାଳ ଭୋଗ ଅର୍ପଣ କରାଯାଇଥିଲା। ଏହାପରେ ଠାକୁର ଭକ୍ତ ମାନଙ୍କୁ ନବ ଯୌବନ ଦର୍ଶନ ଦେଇଥିଲେ। ପରିଚାଳନା କମିଟି ସଭାପତି ଚିରଞ୍ଜିବୀ ଗୌଡ଼ିଆଙ୍କ ନେତୃତ୍ବରେ ପରମାନନ୍ଦ ଭଞ୍ଜ ଓ ତାଙ୍କ ଧର୍ମ ପତ୍ନୀ ବିଜୟା ଲକ୍ଷ୍ମୀ ଭଞ୍ଜ କର୍ତ୍ତା ଦାଇତ୍ୱ ନିର୍ବାହନ କରି ହୋମ ରେ ଆହୂତି ପ୍ରଦାନ କରିଥିଲେ। ଜଗନ୍ନାଥ ମନ୍ଦିରର ସ୍ଥାୟୀ ପୂଜକ ପଦ୍ମନାଭ ପଣ୍ଡା ଓ ବିଶି ପଣ୍ଡା ପୂଜନ କାର୍ଯ୍ୟ ପରିଚାଳନା କରିଥିଲେ।ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଭଗବାନ ଙ୍କ ନବ ଯୌବନ ଦର୍ଶନ କରିବା ସହ ନେତ୍ରୋତ୍ସବ ରେ ସାମିଲ ହୋଇଥିଲେ। ଏହାପରେ ମନ୍ଦିରରେ ତିନିଗୋଟି ନେତ ବନ୍ଧା ଯାଇଥିଲା। ଆସନ୍ତା କାଲି ଠାକୁରଙ୍କ ରଥ ଯାତ୍ରାକୁ ନେଇ ଭକ୍ତ ବୃନ୍ଦଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା। ସେହିଭଳି ତୁଳାପଡ଼ା, ରୁପ୍ରାରୋଡ, ବୁଢ଼ୀପଦର ଦେବଗିରି ମଠ ପ୍ରଭୃତି ସ୍ଥାନରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।