ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ। ସେହି ମନ୍ଦିରକୁ ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମଲୋକ ଯାଇ ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ। ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ। ନାରଦ ଏହି ଦୁଇ ଦେବଦୂତଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପାଇଁ ରଥ ନିର୍ମାଣ କରାଯାଇଥିଲା। ନାରଦଙ୍କ ନିର୍ଦ୍ଦେଶ ମତେ ଶଙ୍ଖନିଧି ଓ ପଦ୍ମନିଧି ରଥ ନିର୍ମାଣ ଆରମ୍ଭ କରିଥିଲେ। ସେହିରଥ ତିନୋଟିକୁ ସୁନ୍ଦର ଓ ନରମ ବସ୍ତ୍ରଦ୍ୱାରା ସଜାଇଥିଲେ। ସେଥିରେ ନାନା ରତ୍ନ ଏବଂ ସ୍ୱର୍ଣ୍ଣ ଅଳଙ୍କାର ମାନ ଲଗାଇଥିଲେ। ତିନି ଲୋକ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ସୁଖ ବୃଦ୍ଧି କରିପାରୁଥିବା ଭଳି ତିନୋଟି ଆଶ୍ଚର୍ଯ୍ୟଜନକ ରଥ ପ୍ରସ୍ତୁତ ହୋଇଗଲା। ଏହା ପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ରଥଯାତ୍ରା।